ସୁପ୍ରିମ୍‌ କୋର୍ଟରେ ଜବାବ ରଖିଲେ ନିର୍ବାଚନ କମିସନ

ଜଣେ ପ୍ରାର୍ଥୀ ଦୁଇ ଆସନରୁ ଲଢ଼ିବା ଉଚିତ ନୁହେଁ

ନୂଆଦିଲ୍ଲୀ: ଗୋଟିଏ ଆସନରୁ କେବଳ ଜଣେ ପ୍ରାର୍ଥୀ ହିଁ ଲଢ଼ି ପାରିବେ। ସୁପ୍ରିମକୋର୍ଟରେ ଏନେଇ ଦାଖଲ ହୋଇଥିବା ଏକ ପିଟିସନ୍‌ ସଂକ୍ରାନ୍ତରେ ନିଜର ପକ୍ଷ ରଖି ଭାରତର ନିର୍ବାଚନ କମିସନ ଏହାକୁ ସମର୍ଥନ ଜଣାଇଛନ୍ତି। ଜଣେ ପ୍ରାର୍ଥୀ ଦୁଇଟି ଆସନରୁ ଲଢିବା ପରେ ଗୋଟିଏ ଆସନରୁ ଇସ୍ତଫା ଦେଇଥାନ୍ତି। ଏଭଳି ସ୍ଥିତିରେ ଉକ୍ତ ଆସନ ପାଇଁ ଉପ ନିର୍ବାଚନ ଖର୍ଚ୍ଚ ମଧ୍ୟ ସରକାରଙ୍କୁ ସହିବାକୁ ପଡିଥାଏ। ଏହା ପ୍ରାର୍ଥୀମାନଙ୍କ ସହ ମଧ୍ୟ ଅନ୍ୟାୟ। କିନ୍ତୁ ଜନ ପ୍ରତିନିଧିତ୍ୱ ଆଇନର ଧାରା ୩୩(୭)ରେ ଜଣେ ପ୍ରାର୍ଥୀ ଦୁଇଟି ଆସନରୁ ଲଢ଼ିବା ନିୟମ ଥିବାରୁ ଏଥିରେ ସଂଶୋଧନର ଆବଶ୍ୟକତା ଥିବା ଦର୍ଶାଇ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ଏନେଇ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ୨୦୦୪ ଓ ୨୦୧୬ ମସିହାରେ ଏହି ନିୟମରେ ସଂଶୋଧନ ପାଇଁ ପ୍ରସ୍ତାବ ଆସିଛି। ୨୫୫ ଲ’ କମିସନ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଜବାବ ଦାଖଲ ପରେ ଯାଇ ସୁପ୍ରିମକୋର୍ଟ ଏହି ନିୟମରେ ସଂଶୋଧନ ପାଇଁ ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ କରିଛନ୍ତି। ତେଣୁ ଏହି ମାମଲାର ଶୁଣାଣି ୬ମାସ ଯାଏଁ ଘୁଞ୍ଚାଇ ଦିଆଯାଇଛି।

ସମ୍ବନ୍ଧିତ ଖବର