ଲଢୁଆ ବିମାନର ଅଭାବ : ବାୟୁସେନା କିଣିବ ରୁଷିଆ ନିର୍ମିତ ମିଗ୍‌-୨୯

ନୂଆଦିଲ୍ଲୀ: ବାୟୁସେନାରେ ଲଢୁଆ ବିମାନର ଅଭାବ ଦେଖାଦେଇଛି I ସାମ୍ପ୍ରତିକ ସ୍ଥିତିରେ ବାୟୁସେନା ଅଧିକ ଲଢୁଆ ବିମାନ କିଣିବାକୁ ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛି I ଭାରତୀୟ ବାୟୁସେନା ନିର୍ଦିଷ୍ଟ ଭାବେ ରୁଷିଆ ନିର୍ମିତ  ମିଗ୍‌-୨୯ ଚାହୁଁଥିବା ପ୍ରକାଶ I ଭାରତୀୟ ବାୟୁସେନାରେ ବର୍ତ୍ତମାନ ୪୨ଟି ସ୍କ୍ୟାର୍ଡନର ଆବଶ୍ୟକତା ଥିବା ବେଳେ ଏବେ ଅଛି ମାତ୍ର ୩୦।  ପ୍ରତି ସ୍କ୍ୟାର୍ଡନରେ ଅନ୍ୟୂନ ୧୬ରୁ ୧୮ଟି ଲଢୁଆ ବିମାନର ଆବଶ୍ୟକତା ପଡିଥାଏ I ଚଳିତ ବର୍ଷ ସେପ୍ଟେମ୍ବର୍‌ରେ ଫ୍ରାନ୍ସ୍‌ ନିର୍ମିତ ରାଫେଲ ଲଢୁଆ ବିମାନ ପାଇବାକୁ ଆଶା ରଖିଥିବା ବେଳେ ଭାରତ ୨୧ଟି ରୁଷିଆ ନିର୍ମିତ  ମିଗ୍‌-୨୯ ଲଢୁଆ ବିମାନ କିଣିବାକୁ ପଦକ୍ଷେପ ନେଇସାରିଥିବା ପ୍ରକାଶ I ବାୟୁସେନାର କିଛି ଉଛ ପଦସ୍ଥ ଅଧିକାରୀ ୨୦୧୯ ଫେବୃଆରୀରେ ରୁଷିଆ ଯାଇ ମିଗ-୨୯ବିମାନ ବିଷୟରେ ତଥ୍ୟ ସଂଗ୍ରହ କରିସାରିଛନ୍ତି। ଏୟାର ଫ୍ରେମ୍‌ ଗୁଡିକ ପ୍ରସ୍ତୁତ ହୋଇରହିଛି ଏବଂ ରୁଷିଆ ୧୮ମାସ ମଧ୍ୟରେ ୨୧ଟି  ମିଗ୍‌-୨୯ ଦେବା ପାଇଁ ପ୍ରତିଶ୍ରୁତି ଦେଇଛି ବୋଲି ବାୟୁସେନାର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଏବେ ଯେଉଁ  ମିଗ୍‌-୨୯ଲଢୁଆ ବିମାନ କିଣାଯିବ ପାଇଁ ପ୍ରସ୍ତାବ ରହିଛି ସେଗୁଡିକ ୧୯୯୦ରୁ ୨୦୦୦ ମଧ୍ୟରେ ନିର୍ମାଣ ହୋଇଥିବା ବିମାନଠୁ  ଅଧିକ ଉନ୍ନତଧରଣର। ଏହି ନୂଆ ମୋଡେଲର ମିଗ୍‌-୨୯ର ରାଡ଼ାର ସିଷ୍ଟମ ଅତ୍ୟାଧୁନିକ ହୋଇଥବା ବେଳେ ଆକାଶରେ ଏହା ଇନ୍ଧନ ଭରିପାରୁଥିବା କ୍ଷମତା ମଧ୍ୟ ରଖୁଛି I ପ୍ରତି  ମିଗ୍‌-୨୯ର ମୂଲ୍ୟ ୨୮୫-୩୦୦ କୋଟି ହୋଇଥିବା ବେଳେ ଏହା ଶସ୍ତା ବୋଲି ମତ ଦେଇଛନ୍ତି ଜଣେ ବାୟୁସେନା ଅଧିକାରୀ I ନାସିକ ନିକଟ ଓଜାର୍‌ ଠାରେ  ମିଗ୍‌-୨୯ ଲଢୁଆ ବିମାନ ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ବାୟୁସେନାର ଏକ ପ୍ରତିଷ୍ଠାନ ରହିଛି I ଏତଦବ୍ୟତୀତ ବିମାନ ଚାଳକ ଏବଂ କର୍ମଚାରୀମାନେ ମଧ୍ୟ ପ୍ରଶିକ୍ଷଣ ପାଇସାରିଥିବାରୁ ଏହି ବିମାନଗୁଡିକ କିଣାଗଲେ ସୁବିଧା ହେବ ବୋଲି ବାୟୁସେନା ଅଧିକାରୀମାନେ ମତପ୍ରକାଶ କରିଛନ୍ତି I

ସୂଚନା ଥାଉକି ବାୟୁସେନାର ଏବେ  ମିଗ୍‌-୨୯ଲଢୁଆ ବିମାନର ତିନଟି ସ୍କ୍ୟାର୍ଡନ୍‌ ରହିଛି I ଏଗୁଡିକ ପଶ୍ଚିମ ସୀମାରେ ନିୟୋଜିତ ହେଉଥିବା ବେଳେ ଭାରତୀୟ ନୌସେନା ମଧ୍ୟ ନୌସେନା-ଉପଯୋଗୀ  ମିଗ୍‌-୨୯ ବ୍ୟବହାର କରୁଛି ଯାହା ଯୁଦ୍ଧବିମାନବାହୀ ଜାହାଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ବ୍ୟବହାର ହେଉଛି I

ସମ୍ବନ୍ଧିତ ଖବର