ଘଣ୍ଟା ଘଣ୍ଟା ଧରି ଇୟରବଡ ବ୍ୟବହାର କରୁଥିବା ଯୁବକ ହରାଇଲେ ଶ୍ରବଣ ଶକ୍ତି

ନୂଆଦିଲ୍ଲୀ: ଏବେ ଲୋକମାନେ ବିଶେଷ କରି ଯୁବପିଢ଼ିମାନେ ଅଧିକ ଇୟରବଡ ବ୍ୟବହାର କରୁଛନ୍ତି। ଗୀତ ଶୁଣିବା ପାଇଁ ହେଉ କି ପୋଡକାଷ୍ଟ ଶୁଣିବା ହେଉ ବା ଫୋନରେ କଥା ‌ହେବା ପାଇଁ ହେଉ, ଏବେ ଇୟରବଡ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଅନେକ ବ୍ୟକ୍ତି ବର୍ତ୍ତମାନ ଅଧାରୁ ଅଧିକ ସମୟ ଇୟରବଡ ବ୍ୟବହାର କରୁଥିବା ଦେଖାଯାଇଛି। ତେବେ ଏଭଳି ଘଣ୍ଟା ଘଣ୍ଟା ଇୟରବଡ ବ୍ୟବହାର କରିବା ଦ୍ବାରା ଆପଣ ଶ୍ରବଣ ଶକ୍ତି ହରାଇପାରନ୍ତି ବୋଲି ଜାଣିଛନ୍ତି କି? ଆଜ୍ଞା ହଁ, ଯଦି ଆପଣ ଘଣ୍ଟା ଘଣ୍ଟା ଧରି ଇୟରବଡ ବ୍ୟବହାର କରୁଛନ୍ତି, ତେବେ ଧୀରେ ଧୀରେ ଆପଣ ଶ୍ରବଣ ଶକ୍ତି ହରାଇବେ।

ଗୋରଖପୁରର ଜଣେ ୧୮ବର୍ଷୀୟ ଯୁବକଙ୍କ ସହ ଏଭଳି ଘଟିଛି। ସେ ଅଧିକ ସମୟ ଇୟରବଡ ବ୍ୟବହାର କରୁଥିବାରୁ ତାଙ୍କ କାନ ସଂକ୍ରମିତ ହୋଇଥିଲା। ଏହି କାରଣରୁ ସେ ଶ୍ରବଣ ଶକ୍ତି ହରାଇଥିଲେ। ଏବେ ସର୍ଜରୀ ପରେ ସେ ପୁଣି ଥରେ ଶୁଣିପାରୁଥିବା କୁହାଯାଉଛି।

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଏକ ଡାକ୍ତରୀ ଦଳ ଉତ୍ତରପ୍ରଦେଶର ଗୋରଖପୁରର ଜଣେ ୧୮ ବର୍ଷର ଯୁବକର ଶ୍ରବଣ କ୍ଷମତାକୁ ସଫଳତାର ସହ ପୁନଃ ସ୍ଥାପନ କରିଛନ୍ତି। ଇଅରଫୋନର ଅତ୍ୟଧିକ ବ୍ୟବହାର ହେତୁ ଯୁବକଙ୍କ କାନରେ ସଂକ୍ରମଣ ହୋଇଥିଲା। ଏବେ ସର୍ଜରୀ କରାଯିବାରୁ ସେ ଶୁଣିବା ଆରମ୍ଭ କରିଛନ୍ତି।

ଡାକ୍ତରଙ୍କ କହିବା ମୁତାବକ, କାନ ଭିତରକୁ ବାୟୁ ଚଳାଚଳ ଜରୁରୀ। ଯଦି ଆପଣ ଅଧିକ ସମୟ ଇୟରଫୋନ ଲଗାଇ ରଖିବେ ତେବେ କାନରେ ଝାଳ ହେବା ସହ ଧୂଳି ଜମିଯିବ। ଯଦି ଆପଣ ନିଜର କାନକୁ ସଫା ନ କରୁଛନ୍ତି ଓ ଇୟରଫୋନଙ୍କୁ ସଫା ନ କରି ବାରମ୍ବାର ବ୍ୟବହାର କରୁଛନ୍ତି, ତେବେ କାନରେ ସଂକ୍ରମଣ ହୋଇ ଆପଣ ଶ୍ରବଣ ଶକ୍ତି ହରାଇପାରନ୍ତି। ସେଥିପାଇଁ ଇୟରଫୋନ କମ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ଏବଂ କମ ଶବ୍ଦରେ ଗୀତ ଶୁଣନ୍ତୁ।

ସମ୍ବନ୍ଧିତ ଖବର