୨୪ରେ ଶ୍ରୀଲଙ୍କା ଫେରିବେ ଗୋଟାବାୟା ରାଜପକ୍ଷେ

ନୂଆଦିଲ୍ଲୀ : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆସନ୍ତା ୨୪ ତାରିଖରେ ଶ୍ରୀଲଙ୍କା ଫେରିବେ । ଏ ସଂପର୍କରେ ଶ୍ରୀଲଙ୍କାର ଏକ ସ୍ଥାନୀୟ ଗଣମାଧ୍ୟମ ନ୍ୟୁଜଫାଷ୍ଟ ସୂଚନା ଦେଇଛି ।

ଶ୍ରଲଙ୍କାର ଜଣେ ପୂର୍ବତନ କୂଟନୀତିଜ୍ଞ ତଥା ରାଜପକ୍ଷେ ପରିବାରର ଜଣେ ସଂପର୍କୀୟ ଉଦୟଙ୍ଗ ବୀରତୁଙ୍ଗାଙ୍କ ସୂଚନାକୁ ଆଧାର କରି ଶ୍ରୀଲଙ୍କା ଗଣମାଧ୍ୟମ ନ୍ୟୁଜଫାଷ୍ଟ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ତେବେ ଶ୍ରୀଲଙ୍କା ସରକାର ଏ ସଂପର୍କରେ କୌଣସି ଘୋଷଣା କରିନାହାନ୍ତି ।

ଆସନ୍ତା ୨୪ ତାରିଖରେ ଗୋଟାବାୟା ଶ୍ରୀଲଙ୍କା ଫେରିଲେ ସେଠାରେ ପୁଣି ଥରେ  ବିବାଦ ସୃଷ୍ଟି ହେବାର ସମ୍ଭାବନା ରହିଛି । କାରଣ ଲୋକଙ୍କ ବିରୋଧ ଯୋଗୁଁ ସେ ଦେଶଛାଡି ପଳାଇଥିଲେ ।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କା ଏବେ ୧୯୪୮ରେ ନିଜର ସ୍ବାଧୀନତା ପରଠାରୁ ସବୁଠାରୁ ବଡ଼ ସଂକଟ ଦେଇ ଗତିକରୁଛି । ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । ଜନ ଆନ୍ଦୋଳନ ଫଳରେ ଟୋଗାବାୟା ଗତ ଜୁଲାଇ ୧୩ ତାରିଖରେ ଶ୍ରୀଲଙ୍କାଛାଡି ମାଳଦ୍ବୀପ ପଳାଇଯାଇଥିଲେ । ସେଠାରେ ଦୁଇ ଦିନ ରହିବା ପରେ ସେ ସିଂଗାପୁର ପଳାଇଯାଇଥିଲେ । ସିଂଗାପୁରରେ ପ୍ରାୟ ଏକ ମାସ ରହିବା ପରେ ସେ ଗତ ସପ୍ତାହରେ ଥାଇଲାଣ୍ଡ ପଳାଇଥିଲେ ।

ଶ୍ରୀଲଙ୍କାରେ ରାନିଲ ବିକ୍ରମସିଂଘେ ରାଷ୍ଟ୍ରପତି ହେବା ପରେ ଗୋଟାବାୟାଙ୍କ ସ୍ବଦେଶ ଫେରିବା ପଥ ପରିଷ୍କାର ହୋଇଥିଲା । କାରଣ ଗୋଟାବାୟାଙ୍କ ଦଳ ସମର୍ଥନରେ ହିଁ ସେ ରାଷ୍ଟ୍ରପତି ହୋଇଛନ୍ତି ବୋଲି କୁହାଯାଉଛି ।

 

ସମ୍ବନ୍ଧିତ ଖବର