ଇମ୍ରାନଙ୍କ ସମସ୍ୟା ବଢ଼ିଲା: ତୋଷଖାନା ମାମଲାରେ ଚାର୍ଜ ଫ୍ରେମ୍‌ କଲେ କୋର୍ଟ

ନିର୍ଯାତନା ଦିଆଯାଉଛି, ହତ୍ୟା ଷଡ଼ଯନ୍ତ୍ର ହେଉଛି: ଇମ୍ରାନ

ନୂ୍ଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଗିରଫକୁ ଇସଲାମାବାଦ ହାଇକୋର୍ଟ ନ୍ୟାୟ ସଙ୍ଗତ କହିବାପରେ ଇମ୍ରାନଙ୍କ ପାଇଁ ସମସ୍ୟା ବଢ଼ିଛି। ଅତିରିକ୍ତ ସେସନ୍ସ କୋର୍ଟ ଇମ୍ରାନଙ୍କ ବିରୋଧରେ ତୋ‌ଷଖାନା ମାମଲାରେ ଚାର୍ଜଫ୍ରେମ୍‌ କରିଛନ୍ତି। ଇମ୍ରାନ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ‌ବିଦେଶରୁ ପାଇଥିବା ଉପହାର ବାବଦରେ ବିସ୍ତୃତ ତଥ୍ୟ ଏବଂ ସୂଚନା ଦେବାରେ ବିଫଳ ହେବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୧୮ରେ କ୍ଷମତାକୁ ଆସିଥିବା‌ ଇମ୍ରାନ ଆରବ ଶାସକଙ୍କ ଏବଂ ଅନ୍ୟ ରାଷ୍ଟ୍ରମାନଙ୍କଠାରୁ ଦାମୀ ଉପହାର ପାଇଥିଲେ। ଏହି ଉପହାରଗୁଡ଼ିକୁ ତୋଷଖାନାରେ ଜମା କରାଯାଇଥିଲା। ପରେ ସେ ଏହି ଉପହାରକୁ ରିହାତି ମୂଲ୍ୟରେ କିଣିଥିଲେ ଏବଂ ଏହାକୁ ବହୁ ମୂଲ୍ୟରେ ବିକ୍ରି କରିଥିବା ଅଭିଯୋଗ ହୋଇଛି।

ଇମ୍ରାନଙ୍କୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିବାତ ବେଳେ ଦୁର୍ନୀତି ମାମଲାରେ ୮ ଦିନ ପାଇଁ ତାଙ୍କୁ ରିମାଣ୍ଡରେ ନେବାକୁ ଏନ୍‌ଏବିକୁ ଅନମୁତି ମିଳିଛି। ଅଲ କାଦିର ଟ୍ରଷ୍ଟ୍‌ ଜମି ଦୁର୍ନୀତି ମାମଲାରେ ଇମ୍ରାନ ଗିରଫ ହୋଇଛନ୍ତି। ଅନ୍ୟପକ୍ଷେ ଇମ୍ରାନଙ୍କ ସହଯୋଗୀ ଅସଦ ଉମରଙ୍କୁ ଆଜି କୋର୍ଟ ପରିସରରୁ ଗିରଫ କରାଯାଇଛି। ପିଟିଆଇର ଅନ୍ୟତମ ବରିଷ୍ଠ ନେତା ଶାହ ମହମ୍ମଦ କୁରେସୀ ଆଜି ଗିରଫ ହୋଇଛନ୍ତି ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରଚାରିତ ହୋଇଥିବା ବେଳେ କୁରେସୀ ଏହାକୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷେ ଇସଲାମାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ପିଟିଆଇ ସୁପ୍ରିମକୋର୍ଟରେ ଆବେଦନ କରିଥିବାରୁ ସର୍ବୋଚ୍ଚ ଅଦାଲତଙ୍କ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଇମ୍ରାନ ଖାନ୍‌ ଆଜି କୋର୍ଟରେ କହିଛନ୍ତି, ତାଙ୍କ ଜୀବନ ପ୍ରତି ବିପଦ ଅଛି ଏବଂ ତାଙ୍କୁ ନିର୍ଯାତନା ଦିଆଯାଉଛି। ତାଙ୍କୁ ୱାସରୁମ୍‌ ବ୍ୟବହାର କରିବାକୁ ଦିଆଯାଉନି ଏବଂ ହତ୍ୟା ପାଇଁ ଷଡ଼ଯନ୍ତ୍ର ହେଉଛି। ତାଙ୍କର ହୃଦ୍‌ଘାତ ଘଟାଇବା ଉଦ୍ଦେଶ୍ୟରେ ଏକ ଇଂଜେକ୍ସନ ଦିଆରଯାଇଛି ବୋଲି ଇମ୍ରାନ ଅଦାଲତରେ କହିଛନ୍ତି।

ସମ୍ବନ୍ଧିତ ଖବର