ସୂର୍ଯ୍ୟ ଉପରେ ଗବେଷଣା ନିମନ୍ତେ ଜୁନ୍‌-ଜୁଲାଇ ସୁଦ୍ଧା ପ୍ରଥମ ଅଭିଯାନ ଆରମ୍ଭ କରିବ ଭାରତ: ‘ଇସ୍ରୋ’ ଅଧ୍ୟକ୍ଷ

ବେଙ୍ଗାଲୁରୁ: ସୂର୍ଯ୍ୟ ଉପରେ ଗବେଷଣା କରିବା ନିମନ୍ତେ ଚଳିତ ବର୍ଷ ଜୁନ୍‌ ଅଥବା ଜୁଲାଇ ସୁଦ୍ଧା ‘ଆଦିତ୍ୟା-ଏଲ୍‌୧’ ଅଭିଯାନ ଆରମ୍ଭ କରିବା ଲାଗି ‘ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ୍‌’ (ଇସ୍ରୋ) ଯୋଜନା କରୁଥିବା କଥା ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି।

ସୂର୍ଯ୍ୟ ଓ ସୌର କରୋନା ପର୍ଯ୍ୟବେକ୍ଷଣ କରିବା ଲାଗି ‘ଆଦିତ୍ୟ-ଏଲ୍‌୧’ ହେଉଛି ପ୍ରଥମ ଭାରତୀୟ ମହାକାଶ ଅଭିଯାନ।

ଗୁରୁବାର ଦିନ ‘ଭିଜିବଲ୍‌ ଲାଇନ୍‌ ଏମିସନ୍‌ କରୋନାଗ୍ରାଫ୍‌’ (ଭିଇଏଲ୍‌ସି) ‌‘ପ୍ଲେଲୋଡ୍‌’ ହସ୍ତାନ୍ତର ସମାରୋହରେ ଉଦ୍‌ବୋଧନ ଦେଇ ‘ଇସ୍ରୋ’ ଅଧ୍ୟକ୍ଷ ଏସ୍‌. ସୋମନାଥ କହିଛନ୍ତି ଯେ, ଅଗଷ୍ଟ ସୁଦ୍ଧା ଏହି ଅଭିଯାନର ‘ଲଞ୍ଚ୍ ଉଇଣ୍ଡୋ’ ବନ୍ଦ ହେଉଥିବାରୁ ଜୁନ୍‌ ଅଥବା ଜୁଲାଇ ସୁଦ୍ଧା ‘ଆଦିତ୍ୟ-ଏଲ୍‌୧’ ଅଭିଯାନ ଲଞ୍ଚ୍‌ କରାଯିବ।

Image Courtesy of The Hindu

‘ଏଲ୍‌୧’ କକ୍ଷପଥରେ ଥାଇ ଏହା ଅନବରତ ସୂର୍ଯ୍ୟ ଉପରେ ନଜର ରଖିବ। ‘ଆଦିତ୍ୟ-ଏଲ୍‌୧’ରେ ସମୁଦାୟ ୭ଟି ପ୍ଲେଲୋଡ୍‌ ରହିଛି। ସେଥିରୁ ପ୍ରଥମଟି ହେଉଛି ‘ଭିଇଏଲ୍‌ସି’। ଏହାକୁ ବେଙ୍ଗାଲୁରୁସ୍ଥିତ ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଷ୍ଟ୍ରୋଫିଜିକ୍ସ୍‌’ଦ୍ବାରା ନିର୍ମାଣ କରାଯାଇଛି।

ବାକି ୬ଟି ‘ପ୍ଲେଲୋଡ୍‌’ ‘ଇସ୍ରୋ’ ଏବଂ ଆଉ କେତେକ ବୈଜ୍ଞାନିକ ପ୍ରତିଷ୍ଠାନଦ୍ବାରା ପ୍ରସ୍ତୁତି କରାଯାଉଛି ବୋଲି ସୋମନାଥ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ପୃଥିବୀ ଏବଂ ତା’ର ଚତୁଃପାର୍ଶ୍ବରେ ସୂର୍ଯ୍ୟର ପ୍ରଭାବ ବିଷୟରେ ବୁଝିବା ଏବେ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଲାଣି। ‘ଆଦିତ୍ୟ-ଏଲ୍‌୧’ ଅଭିଯାନ ସେହି ବିଷୟରେ ଉପରେ ଗୁରୁତ୍ବାରୋପ କରିବ। ଏହି ଅଭିଯାନର ଆରମ୍ଭରୁ ପୂର୍ଣ୍ଣ ହେବା ପାଇଁ ୧୫ ବର୍ଷ ସମୟ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର