ଭାରତୀୟ ସେନାବାହିନୀ ସହ ଲଢ଼ିବାକୁ କଶ୍ମୀରୀମାନଙ୍କୁ ପାକିସ୍ତାନରେ ତାଲିମ ଦିଆଯାଇଥିଲା: ପରଭେଜ୍‌ ମୁଶରଫ୍‌

ଇସ୍‌ଲାମାବାଦ: କଶ୍ମୀରରେ ଭାରତୀୟ ସେନାବାହିନୀ ବିରୋଧରେ ଲଢ଼ିବା ଲାଗି କଶ୍ମୀରୀମାନଙ୍କୁ ପାକିସ୍ତାନରେ ତାଲିମ୍‌ ଦିଆଯାଇ ସେମାନଙ୍କୁ ‘ବୀର’ ବୋଲି ଉତ୍ସାହିତ କରାଯାଉଥିଲା ବୋଲି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅବସରପ୍ରାପ୍ତ ଜେନେରାଲା ପର୍‌ଭେଜ୍‌ ମୁଶରଫ୍‌ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଓସାମା ବିନ୍‌ ଲାଡେନ୍‌ ଏବଂ ଜଲାଲ୍‌ଉଦିନ୍‌ ହକିନି ଭଳି ଆତଙ୍କବାଦୀ ଥିଲେ ପାକିସ୍ତାନୀ ବୀର।

ପାକିସ୍ତାନର ରାଜନେତା ଫର୍‌ହତ୍‌ଉଲ୍ଲା ବାବର ବୁଧବାର ଦିନ ଟୁଇଟର୍‌ ସେୟାର କରିଥିବା ତାରିଖ ପଡ଼ି ନ ଥିବା ଏକ ସାକ୍ଷାତ୍‌କାର ଭିଡିଓ କ୍ଲିପ୍‌ରେ ମୁଶରଫ୍‌ କହୁଥିବାର ଶୁଣାଯାଉଛି ‘‘… ପାକିସ୍ତାନକୁ ଉପକୃତ କରାଇବାକୁ ଓ ରୁଷ୍‌କୁ ସେଠାରୁ ତଡ଼ିବାକୁ ୧୯୭୯ରେ ଆମେ ଆଫଗାନୀସ୍ଥାନରେ ଧାର୍ମିକ ଆତଙ୍କବାଦ ପ୍ରଚଳନ କରାଇଥିଲୁ। ସମଗ୍ର ବିଶ୍ୱରୁ ଆମେ ମୁଜାହିଦୀନ୍‌ଙ୍କୁ ଆଣି ଆମେ ତାଲିମ ଦେଲୁ, ଅସ୍ତ୍ର ଯୋଗାଇଲୁ। ଓସାମା ବିନ୍‌ ଲାଡେନ୍‌ ଥିଲେ ଆମର ନାୟକ। ସେତେବେଳର ପରିବେଶ ଭିନ୍ନ ଥିଲା ଏବଂ ଏବେ ମଧ୍ୟ ପରିବେଶ ଭିନ୍ନ ହୋଇଛି। ନାୟକମାନେ ଖଳନାୟକ ପାଲଟି ଯାଇଛନ୍ତି।’’

Image Source: Spicegel

କଶ୍ମୀରର ଅସ୍ଥିରତା ସଂକ୍ରାନ୍ତରେ କହିଲାବେଳେ ଆତ୍ମନିର୍ବାସିତ ସ୍ୱେଚ୍ଛାଚାରୀ ଶାସକ ମୁଶରଫ୍‌ କହିଛନ୍ତି ‘‘… ପାକିସ୍ତାନକୁ ଆସୁଥିବା କଶ୍ମୀରୀମାନଙ୍କୁ ବୀରୋଚିତ ଅଭ୍ୟର୍ଥନା ମିଳୁଥିଲା। ଆମେ ସେମାନଙ୍କୁ ତାଲିମ ଦେବା ସହ ସାହାଯ୍ୟ କରୁଥିଲୁ। ଭାରତୀୟ ସେନାବାହିନୀ ବିରୋଧରେ ଲଢ଼ିବେ ବୋଲି ଆମେ ସେମାନଙ୍କୁ ମୁଜାହିଦୀନ ବୋଲି ବିଚାର କରୁଥିଲୁ। ସେତେବେଳେ ଲଶ୍ୱର-ଏ-ତୈବା ଭଳି କେତେଗୁଡ଼ିଏ ଆତଙ୍କବାଦୀ ସଙ୍ଗଠନର ଅଦ୍ଭୁଦୟ ହେଲା। ସେମାନେ ଥିଲେ ଆମର ବୀର।

ସମ୍ବନ୍ଧିତ ଖବର