ଚେନ୍ନାଇ ବିମାନ ବନ୍ଦରରେ ପ୍ରଥମ ମହିଳା ଅଗ୍ନିଶମକର୍ମୀ ଭାବେ ସାମିଲ ହେଲେ ଏହି ୨ବର୍ଷୀୟ ଶିଶୁର ମା’

ଚେନ୍ନାଇ: ଚେନ୍ନାଇ ବିମାନବନ୍ଦରକୁ ତାର ପ୍ରଥମ ମହିଳା ‘ଫାୟର ଫାଇଟର’ ମିଳି ଯାଇଛି। ୨୮ବର୍ଷୀୟ ରେମ୍ୟା ଶ୍ରୀକାନ୍ତନ୍ ନଭେମ୍ବର ୧ ତାରିଖରେ ବିମାନବନ୍ଦରର କନିଷ୍ଠ ସହାୟକ (ଏଏଫ୍‌ଏସ୍‌) ଭାବେ ଅଗ୍ନିଶମ ସେବା ବିଭାଗରେ ସାମିଲ ହୋଇଛନ୍ତି। ରେମ୍ୟା ଦକ୍ଷିଣ ଭାରତର ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ପ୍ରଥମ ମହିଳା ଫାୟରଫାଇଟର (ଦମକଳକର୍ମୀ) ହୋଇଥିବା ବେଳେ ଦେଶରେ ତୃତୀୟ ସ୍ଥାନରେ ରହିଛନ୍ତି। ଏହା ପୂର୍ବରୁ ରେମ୍ୟା ନୂଆଦିଲ୍ଲୀରେ ଫାୟାର ଟ୍ରେନିଂ ସେଣ୍ଟର (ଏଏଫ୍‌ଟିସି)ରେ ପ୍ରଶିକ୍ଷଣ ନେଉଥିବା ସମୟରେ ୪ମାସ କଠିନ ପରିଶ୍ରମ କରିଥିଲେ।

ନିଜର ନୂଆ ଦାୟିତ୍ବ  ପ୍ରସଙ୍ଗରେ ରେମ୍ୟା କହନ୍ତି, ‘ମୁଁ ଏକ ଏମିତି ଚାକିରି କରିଛି ଯାହାକି ପ୍ରତି କ୍ଷେତ୍ରରେ ଚ୍ୟାଲେଞ୍ଚପୂର୍ଣ୍ଣ। ଆଉ ଏହାକୁ ପୂରା କରି ପାରିବି ବୋଲି ବି ମୋର ଆଶା। ମୋର ଆଶା ଅଛି କି ଆଗାମୀ ଦିନରେ ମହିଳମାନେ ବି ଅଗ୍ନିଶମ ସେବା ବିଭାଗ ସହିତ ଯୋଡ଼ି ହେବେ।’

ତିରୁବନନ୍ତପୁରମର ଏକ ସାଧାରଣ ପରିବାରରୁ ଆସିଥିବା ରେମ୍ୟା ଇଞ୍ଜିନିୟରିଂରେ  ସ୍ନାତକୋତ୍ତର ରହିଛନ୍ତି। ସେ ଏଏଆଇରେ ସାମିଲ ହେବା ପୂର୍ବରୁ ଏଲବିଏସ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି ଫର ଉଇମେନ୍‌ରେ ସହାୟକ ପ୍ରଫେସର ଭାବେ କାମ କରିଛନ୍ତି। କେବଳ ଏତିକି ନୁହେଁ, ସେ ଏକ ୨ବର୍ଷ ଶିଶୁର ମା’ ବି ଅଟନ୍ତି।

ଅନେକ ଦିନ ବିମାନବନ୍ଦରରେ ଫାୟାରଫାଇଟର ଚାକିରିରେ ପୁରୁଷ ରହି ଆସିଥିବା ବେଳେ ଏବେ ପରିସ୍ଥିତିରେ  ପରିବର୍ତ୍ତନ ଆସୁଛି । ଏୟାରଫୋର୍ଟ ଅଥରିଟି ଅଫ ଇଣ୍ଡିଆ ୨୦୧୮ରେ ପ୍ରଥମ ମହିଳା ଫାୟାରଫାଇଟରକୁ ନିଜ ର‍୍ୟାଙ୍କ୍‌ରେ ସାମିଲ କରିଥିଲା।

ସମ୍ବନ୍ଧିତ ଖବର