ଅଭିନେତ୍ରୀ ଲୈଲା ଖାନ ଓ ତାଙ୍କ ପରିବାରର ହତ୍ୟାକାରୀ ସାବତ ବାପାକୁ ମିଳିଲା ଫାଶୀ ଦଣ୍ଡ

ମୁମ୍ବାଇ: ଅଭିନେତ୍ରୀ ଲୈଲା ଖାନ ଓ ତାଙ୍କ ପରିବାରର ହତ୍ୟାକାରୀ ସାବତ ବାପାକୁ ମିଳିଲା ଫାଶୀ ଦଣ୍ଡ। ୨୦୧୧ରେ ଘଟଣା ଘଟିଥିବା ବେଳେ ଆଜି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ହତ୍ୟାକାରୀ ସାବତ ପିତା ପରଭେଜ ଟାକଙ୍କୁ କୋର୍ଟ ଫାଶୀ ଦଣ୍ଡ ଦେଇଛନ୍ତି। ୨୦୧୧ରେ ଲୈଲା ଖାନ, ତାଙ୍କ ମା’ ଏବଂ ତାଙ୍କ ଚାରି ଭାଇଭଉଣୀଙ୍କୁ ହତ୍ୟା କରାଯାଇଥିଲା। ସେବେଠାରୁ ଲୈଲାଙ୍କ ହତ୍ୟା ମାମଲାର ଶୁଣାଣି ମୁମ୍ବାଇ କୋର୍ଟରେ ଚାଲିଥିଲା। ବର୍ତ୍ତମାନ ଏହି ମାମଲାରେ ସେସନ୍ସ କୋର୍ଟ ପରଭେଜ ଟାକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ହତ୍ୟା ବ୍ୟତୀତ ପରଭେଜ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିବାରୁ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସୂଚନା ମୁତାବକ, ଲୈଲା ଖାନ ହତ୍ୟା ମାମଲା ୧୩ବର୍ଷ ପୁରୁଣା। ପରଭେଜ ଟାକ ଲୈଲାଙ୍କ ମା’ଙ୍କ ତୃତୀୟ ସ୍ବାମୀ ଥିଲେ। ଲୈଲା, ତାଙ୍କ ମା ଏବଂ ଚାରି ଭାଇଭଉଣୀଙ୍କ ସହ ଇଗତପୁରୀରେ ଥିବା ଫାର୍ମ ହାଉସକୁ ଛୁଟି କଟାଇବାକୁ ଯାଇଥିବା ବେଳେ ପରଭେଜ ସେମାନଙ୍କୁ ହତ୍ୟା କରି ପୋତି ଦେଇଥିଲେ। ଯେତେବେଳେ ଲୈଲାଙ୍କ ପିତା ମୁମ୍ବାଇର ଓଶିୱାରା ପୁଲିସ ଷ୍ଟେସନରେ ଅପହରଣ ମାମଲା ଦାୟର କରିଥିଲେ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା।  ତଦନ୍ତ ବେଳେ ପରିବାର ଦୁବାଇରେ ଥିବା କହିଥିଲେ ପରଭେଜ। ହେଲେ ପରେ ନିଜର ଦୋଷ ସ୍ବୀକାର କରିଥିଲେ।

ଲୈଲା କନ୍ନଡ ଚଳଚ୍ଚିତ୍ର ମେକ୍ଅପ୍ ସହିତ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାଙ୍କର ପ୍ରକୃତ ନାମ ରେଶମା ପଟେଲ। କିନ୍ତୁ ସେ ପ୍ରଥମ ଫିଲ୍ମ ପରେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। ଲୈଲା ରାଜେଶ ଖାନ୍ନାଙ୍କ ସହ ମଧ୍ୟ କାମ କରିଥିଲେ। ସେ ତାଙ୍କ ସହ ୱଫା: ଏ ଡେଡଲି ଲଭ୍ ଷ୍ଟୋରୀରେ କାମ କରିଥିଲେ। ଏହି ଚଳଚ୍ଚିତ୍ରରେ ଲୈଲା ବହୁତ ବୋଲ୍ଡ ଦୃଶ୍ୟ ଦେଇଥିଲେ ଯେଉଁଥିପାଇଁ ତାଙ୍କୁ ବହୁତ ସମାଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର