ଜମି ପ୍ରତିବଦଳରେ ଚାକିରି ଦୁର୍ନୀତି: ଜାମିନ ପାଇଲେ ଲାଲୁ ଯାଦବ, ରାବ୍‌ଡ଼ୀ ଦେବୀ ଓ ପୁଅ ତେଜସ୍ବୀ

ନୂଆଦିଲ୍ଲୀ: ଜମି ପ୍ରତିବଦଳରେ ଚାକିରି ଦୁର୍ନୀତିରେ ସମ୍ପୃକ୍ତି ଥିବା ମାମଲାରେ ଆଜି ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ ଅଦାଲତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ରାଷ୍ଟ୍ରୀୟ ଜନତା ଦଳ’ର (ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ତାଙ୍କ ସ୍ତ୍ରୀ ରାବ୍‌ଡ଼ୀ ଦେବୀ ଓ ସମ୍ପ୍ରତି ବିହାରର ଉପମୁଖ୍ୟମନ୍ତ୍ରୀ ଥିବା ସେମାନଙ୍କ ପୁଅ ତେଜସ୍ବୀ ଯାଦବଙ୍କ ଜାମିନ ମଞ୍ଜୁର କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲାଲୁ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିବା ବ‌େଳେ ଉପରୋକ୍ତ ଦୁର୍ନୀତି ହୋଇଥିଲା। ଭାରତୀୟ ରେଳବାଇରେ ନିଯୁକ୍ତି ପାଇବା ପାଇଁ ଲାଲୁ ଯାଦବଙ୍କ ପରିବାର ଲୋକଙ୍କ ନାଁରେ ଜମି ଟ୍ରାନ୍‌ସ୍‌ଫର୍‌ କରାଯାଇଥିବା ଅଭିଯୋଗ ଆଧାରରେ ଏହି ମାମଲା ଚାଲିଛି।

Image Courtesy of India Today

ଜୁଲାଇ ୩ ତାରିଖ ଦିନ ଲାଲୁ ଯାଦବ ଓ ଅନ୍ୟମାନଙ୍କ ନାଁରେ ‘ସିବିଆଇ’ ସାନି ‘ଚାର୍ଜସିଟ୍‌’ ଫାଇଲ୍‌ କରିଥିଲା। ଏଥିରେ ଉଲ୍ଲେଖ ଅଛି ଯେ, ରେଳବାଇର ନୀତିନିୟମ, ମାର୍ଗଦର୍ଶିକା ଓ ପ୍ରକ୍ରିୟା ଉଲ୍ଲଂଘନ କରାଯାଇ କେନ୍ଦ୍ରୀୟ ରେଳବାଇରେ ପ୍ରାର୍ଥୀମାନଙ୍କୁ ଅନିୟମିତ/ବେଆଇନ ଭାବେ ନିଯୁକ୍ତି ଦିଆଯାଇଛି।

ଲାଲୁ ପ୍ରସାଦଙ୍କ ବିଚାର କରାଯିବା ପାଇଁ ସମର୍ଥ ଅଧିକାରୀଙ୍କଠାରୁ ଆବଶ୍ୟକ ଅନୁମତି ମିଳିଥିବା କଥା ଅଳ୍ପ ଦିନ ତଳେ ‘ସିବିଆଇ’ ଅଦାଲତଙ୍କୁ ଅବଗତ କରାଇବା ପରେ ‘ସ୍ପେସାଲ୍‌ ସିବିଆଇ ଜଜ୍‌’ ବିଚାରପତି ଗୀତାଞ୍ଜଳି ଗୋଏଲ୍‌ ବୁଧବାର ଦିନ ଲାଲୁ ଓ ଅନ୍ୟମାନଙ୍କୁ ଅଦାଲତରେ ହାଜର ହେବାକୁ ସମନ୍‌ ଜାରି କରିଥିଲେ।

ଜୁଲାଇ ୩ ତାରିଖ ଦିନ ଫାଇଲ୍‌ କରାଯାଇଥିବା ‘ଚାର୍ଜ ସିଟ୍‌’ ହେଉଛି ଏହି ମାମଲାର ଦ୍ବିତୀୟ ‘ଚାର୍ଜ ସିଟ୍’। ପ୍ରଥମ ‘ଚାର୍ଜ ସିଟ୍‌’ରେ ତେଜସ୍ବୀ ଯାଦବଙ୍କୁ ଅଭିଯୁକ୍ତ କରାଯାଇ ନ ଥିଲା। ଲାଲୁଙ୍କ ପରିବାରର ୩ ଜଣଙ୍କ ସମେତ ଏହି ‘ଚାର୍ଜ ସିଟ୍‌’ରେ  ‘ସିବିଆଇ’ ଆଉ ୧୪ଜଣ ଅଭିଯୁକ୍ତଙ୍କ ଓ ପ୍ରତିଷ୍ଠାନ କଥା ଉଲ୍ଲେଖ କରିଛି।

ସମ୍ବନ୍ଧିତ ଖବର