ଅମିତ ଶାହଙ୍କୁ ଭେଟିଲେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ, ସରକାର ଗଠନ ନେଇ ଆଶାବାଦୀ

ଆଜି ସୋନିଆ ଗାନ୍ଧୀଙ୍କୁ ଭେଟିବେ ଏନସିପି ମୁଖ୍ୟ ଶରଦ ପାୱାର

ମୁମ୍ୱାଇ: ମହାରାଷ୍ଟ୍ରରେ ନୂତନ ସରକାର ଗଠନକୁ କେନ୍ଦ୍ରକରି ବିଜେପି ଓ ଶିବସେନା ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉ ନ ଥିବା ବେଳେ ଆଜି ସକାଳେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଉଭୟଙ୍କ ଭିତରେ କେଉଁ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି ତାହା ଜଣାପଡ଼ି ନଥିଲେ ବି ଏଥିରେ ମହାରାଷ୍ଟ୍ରରେ ନୂତନ ସରକାର ଗଠନ ସଂପର୍କରେ ଆଲୋଚନା କରାଯାଇଥିବାର ଅନୁମାନ କରାଯାଉଛି। ଏଥିସହ ସେ ଗଣମାଧ୍ୟମକୁ କହିଛନ୍ତି ଯେ ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ସରକାର ଗଠନ ନେଇ ସେ ଆଶାବାଦୀ।

ସୂଚନାଯୋଗ୍ୟ, ବିଜେପି ତା’ ନିଜ ଫର୍ମୂଲାରେ ସରକାର ଗଠନ ପାଇଁ ଜିଦ୍ ଧରି ବସିଥିବା ବେଳେ ସହଯୋଗୀ ଶିବସେନା ନିଜର ୫୦-୫୦ ଫର୍ମୂଲାରେ ସରକାର ଗଠନ ପାଇଁ କରିଥିବା ଦାବିରେ ଏବେ ବି ଅଟଳ ରହିଛି। ଗତକାଲି ଶିବସେନା ପୁଣିଥରରେ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ନିଜର ଦାବିକୁ ହୋହରାଇବା ସହ ଯଦି ବିଜେପି ଏଥିରେ ଅରାଜି ହୁଏ ତେବେ କଂଗ୍ରେସ ଓ ଏନ୍ସିପି ସମର୍ଥନରେ ରାଜ୍ୟରେ ସରକାର ଗଢ଼ିବ ଓ ଏଥିପାଇଁ ଆବଶ୍ୟକ ଥିବା ସଂଖ୍ୟା ଓ ସମର୍ଥନ ତା’ ନିକଟରେ ରହିଛି ବୋଲି ବିଜେପିକୁ ଚରମବାଣୀ ଶୁଣାଇଥିଲା।

image source–asian age

ଶିବସେନା ସପକ୍ଷରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି ବୋଲି ଗତକାଲି ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ କହିଥିଲେ । ଏହି ସଂଖ୍ୟା ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ବିଧାୟକଙ୍କୁ ମିଶାଇଲେ ୧୭୫ ହେବ। ଉଲ୍ଲେଖଯୋଗ୍ୟ, ଶିବସେନା ପାଖରେ ୫୬ ବିଧାୟକ ରହିଛନ୍ତି। ଏଥିସହ କଂଗ୍ରେସର ୪୪ ଓ ଏନସିପିର ୫୪ ବିଧାୟକଙ୍କ ସହ ଅନ୍ୟାନ୍ୟ ବିଧାୟକଙ୍କୁ ମିଶାଇଲେ ଏହି ସଂଖ୍ୟା ୧୭୫ ହେବ।

ଏଣେ ରାଜ୍ୟରେ ଏନସିପି ସହ ମେଣ୍ଟ କରିଥିବା କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଆଜି ଭେଟି ଏନସିପି ମୁଖ୍ୟ ଶରଦ ପାୱାର ତାଙ୍କ ସହ ଏ ବାବଦରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର