ମୁଡ୍‌ ଅଫ୍‌ ଦି ନେସନ୍‌ ସର୍ଭେ: ନବୀନ ପୁଣି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଗତବର୍ଷ ତୁଳନାରେ ‌ଲୋକପ୍ରିୟତା କମିଛି, ଦେଶରେ ଯୋଗୀ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ଦ୍ବିତୀୟରେ କେଜ୍ରିୱାଲ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ରାଜ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଛନ୍ତି। ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ଦି ନେସନ୍‌ ସର୍ଭେ ଅନୁଯାୟୀ ନବୀନ ହେଉଛନ୍ତି ଓଡ଼ିଶାର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ସର୍ଭେରେ ସାମିଲ ହୋଇଥିବା ମୋଟ୍‌ ୩,୭୬୦ ମତଦାତାଙ୍କ ମଧ୍ୟରୁ ୬୧.୩ ପ୍ରତିଶତ ନବୀନଙ୍କୁ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଛତିଶଗଡ଼, ଦିଲ୍ଲୀ, ଗୁଜରାଟ ଏବଂ ଆସାମ‌ରେ ତାଙ୍କ ପ୍ରତିପକ୍ଷଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। କିନ୍ତୁ ନବୀନଙ୍କ ଲୋକପ୍ରିୟତା ଗତବର୍ଷ ତୁଳନାରେ କମିଛି।

ମୁଡ୍‌ ଅଫ୍‌ ଦି ନେସନ୍‌ ପୋଲ୍‌ ଅନୁଯାୟୀ ଗତବର୍ଷ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ୭୮ ପ୍ରତିଶତ ଥିବାବେଳେ ଚଳିତବର୍ଷ ଏହା ୬୧.୩ ପ୍ରତିଶତକୁ ଖସି ଆସିଛି। ସର୍ଭେ ଅନୁଯାୟୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଦ୍ବିତୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୃତୀୟ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଚତୁର୍ଥ ଏବଂ ଆସାମର ହିମନ୍ତ ବିଶ୍ବ ଶର୍ମାଙ୍କୁ ପଞ୍ଚମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିବେଚନା କରାଯାଇଛି।

ସର୍ଭେରେ ସାମିଲ ହୋଇଥିବା ୬,୭୦୩ ମତଦାତାଙ୍କ ମଧ୍ୟରୁ ୫୯.୧ ପ୍ରତିଶତ ବାଘେଲ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହିଥିବାବେଳେ ଦିଲ୍ଲୀରେ ୫୭.୭ ପ୍ରତିଶତ ମତଦାତା କେଜ୍ରିୱାଲଙ୍କ କାର୍ଯ୍ୟରେ ଖୁସି ଅଛନ୍ତି। ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ଦେଶରେ ମୋଟ ୧,୩୪,୪୮୭ ମତଦାତାଙ୍କ ମଧ୍ୟରୁ ୪୩ ପ୍ରତିଶତ ଯୋଗୀଙ୍କୁ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହିଛନ୍ତି। କେଜ୍ରିୱାଲ ହେଉଛନ୍ତି ଦେଶରେ ଦ୍ବିତୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ୧୯ ପ୍ରତିଶତ କେଜ୍ରିୱାଲଙ୍କ ସପକ୍ଷରେ ଭୋଟ୍‌ ଦେଇଛନ୍ତି।

ସମ୍ବନ୍ଧିତ ଖବର