ପ୍ରତିଶୋଧ ପରାୟଣ ହୋଇ କଂଗ୍ରେସ ଏହି ମହାଭିଯୋଗ ପ୍ରସ୍ତାବ ଆଣିଛି : ଜେଟଲୀ

ନୂଆଦିଲ୍ଲୀ : ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଜଷ୍ଟିସ ଲୋୟା ମାମଲାରେ ଆଶାନୁରୂପ ରାୟ ନ ଆସିବାରୁ ପ୍ରତିଶୋଧ ପରାୟଣ ହୋଇ କଂଗ୍ରେସ ଏପରି କରିଛି ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି । ରାଜନୈତିକ ଉଦ୍ଦେଶ୍ୟରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ନ୍ୟାୟପାଳିକାର ସ୍ୱତନ୍ତ୍ରତା ପ୍ରତି ଏକ ବିପଦ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ନ୍ୟାୟପାଳିକାକୁ ବଦନାମ କରିବାକୁ ଜଷ୍ଟିସ ଲୋୟାଙ୍କ ସ୍ୱାଭାବିକ ମୃତ୍ୟୁକୁ ଏକ ହତ୍ୟାର ରୂପ ଦିଆଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ନିଜ ରାୟରେ ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛନ୍ତି ।

କଂଗ୍ରେସ ଓ ଅନ୍ୟ ୭ ବିରୋଧୀ ଦଳ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦିପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପାଇଁ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ନୋଟିସ ଦେଇଛନ୍ତି । ପ୍ରଧାନ ବିଚାରପତି ଦିପକ ମିଶ୍ର ନିଜ କ୍ଷମତାର ଦୁରୁପଯୋଗ କରୁଥିବା ଅଭିଯୋଗରେ ଏହି ନୋଟିସ ଦିଆଯାଇଛି । ଏଥିରେ ୭୧ ଜଣ ରାଜ୍ୟ ସଭା ଏମପି ସ୍ୱାକ୍ଷର କରିଛନ୍ତି । ଏହି ମହାଭିଯୋଗ ପ୍ରସ୍ତାବରେ ତୃଣମୂଳ କଂଗ୍ରେସ, ଏନସିପି, ସିପିଆଇ, ସିପିଏମ, ଆରଜେଡି, ମୁସଲିମ ଲିଗ୍‌, ଏସ୍‌ପି ଓ ବିଏସ୍‌ପିର ରାଜ୍ୟସଭା ସଦସ୍ୟମାନେ ସ୍ୱାକ୍ଷର କରିଛନ୍ତି ।

ସମ୍ବନ୍ଧିତ ଖବର