୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ଆରବିଆଇ ଜାରିକଲା ଗାଇଡଲାଇନ

ନୂଆଦିଲ୍ଲୀ: ୨୦୦୦ଟଙ୍କିଆ ନୋଟ୍ ବଦଳାଇବା ପ୍ରକ୍ରିୟା ଦେଶର ସମସ୍ତ ବ୍ୟାଙ୍କରେ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ସମୟରେ ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ବିନା ପରିଚୟପତ୍ରରେ ନୋଟ୍ ବଦଳାଇବା ପାଇଁ ରିଜର୍ଭ ବ୍ୟାଙ୍କ ଓ ଷ୍ଟେଟ ବ୍ୟାଙ୍କର ଆଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଆଇଏଲ ଦାଖଲ କରିଛନ୍ତି। କୈଣସି ପରିଚୟ ପ୍ରମାଣ ବିନା ୨୦୦୦ଟଙ୍କିଆ ନୋଟ୍ ବଦଳାଇବାକୁ ଅନୁମତି ନଦେବାକୁ ସେ ଦାବି କରିଛନ୍ତି।

ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଲୋକମାନେ ନୋଟ୍ ବଦଳାଇବା ପାଇଁ ବ୍ୟାଙ୍କଗୁଡିକୁ ଭିଡ଼ କରନ୍ତୁ ନାହିଁ। ଆମେ ଚାରି ମାସ ସମୟ ଦେଇଛୁ। ଆପଣ ଆରାମରେ ନୋଟ୍ ବଦଳାଇପାରିବେ, କିନ୍ତୁ ସମୟ ସୀମାକୁ ଗମ୍ଭୀରତାର ସହ ନିଅନ୍ତୁ। ସୋମବାର ଆରବିଆଇ ଆଉ ଏକ ଗାଇଡଲାଇନ ଜାରି କରିଛି। ଏଥିରେ ବ୍ୟାଙ୍କଗୁଡ଼ିକୁ ଗରମକୁ ଦୃଷ୍ଟିରେ ରଖି ଲୋକଙ୍କ ପାଇଁ ଛାଇ ସ୍ଥାନ ଓ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି। କେତେ ନୋଟ୍ ବଦଳା ଯାଇଛି ଓ କେତେ ଜମା ହୋଇଛି ତାହାର ଏକ ଦୈନିକ ହିସାବ ରଖିବାକୁ ବ୍ୟାଙ୍କମାନଙ୍କୁ ନିର୍ଦେଶ ଦିଆଯାଇଛି।

ଶକ୍ତିକାନ୍ତ ଦାସ କହିଛନ୍ତି,ପୂର୍ବରୁ ଲୋକମାନେ ଦୋକାନରେ ୨୦୦୦ ଟଙ୍କିଆ ନୋଟ୍ ଗ୍ରହଣ କରୁ ନଥିଲେ। ଆମ ଘୋଷଣା ପରେ ଏହା ବୋଧହୁଏ ଆହୁରି ବୃଦ୍ଧି ପାଇଛି। ଆମେ କହିଥିଲୁ ଏହା ଏକ ଲିଗାଲ ଟେଣ୍ଡର ରହିବ। ଆପଣ ୨୦୦୦ ଟଙ୍କିଆ ନୋଟରେ କିଣାକିଣି କରିପାରିବେ। ସେପ୍ଟେମ୍ବର ୩୦ ସୁଦ୍ଧା ଅଧିକାଂଶ ନୋଟ୍ ଆମ ପାଖକୁ ଆସିବ ଏବଂ ତା’ପରେ ଆମେ ନିଷ୍ପତ୍ତି ନେବୁ।

୨୦୦୦ ଟଙ୍କିଆ ନୋଟକୁ ପରିବର୍ତ୍ତନ କରିବା ପାଇଁ ଷ୍ଟେଟ ବ୍ୟାଙ୍କ ଏକ ଗାଇଡଲାଇନ ଜାରି କରିଛି। ଷ୍ଟେଟ ବ୍ୟାଙ୍କ କହିଛି ଯେ ନୋଟ୍ ବଦଳାଇବା ପାଇଁ କୈଣସି ପରିଚୟ ପ୍ରମାଣପତ୍ର ଆବଶ୍ୟକ ନାହିଁ। କୈଣସି ଫର୍ମ ମଧ୍ୟ ପୂରଣ କରିବାକୁ ପଡିବ ନାହିଁ। ଏକ ସମୟରେ ୧୦ଟି ନୋଟ୍ ବଦଳା ଯାଇପାରିବ। ଷ୍ଟେଟ ବ୍ୟାଙ୍କ ଏହି ବିଜ୍ଞପ୍ତି ଜାରି କରିଛି କାରଣ ନୋଟ୍ ବଦଳ ସମ୍ପର୍କରେ ସୋସିଆଲ ମିଡିଆରେ ବିଭିନ୍ନ ମିଥ୍ୟା ସୂଚନା ଦିଆଯାଉଛି। ଏହା କୁହାଯାଉଥିଲା ଯେ ନୋଟ୍ ବିନିମୟ ପାଇଁ ଆଧାର ପରି ଏକ ଆଇଡି ଆବଶ୍ୟକ ଏବଂ ଏକ ଫର୍ମ ମଧ୍ୟ ପୂରଣ କରିବାକୁ ପଡିବ।

ସମ୍ବନ୍ଧିତ ଖବର