ଜୟପୁର: ରାଜସ୍ଥାନ କଂଗ୍ରେସରେ ଲଢେଇ କମିବାର ନାମ ନେଉନାହିଁ | ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ କଂଗ୍ରେସ ନେତା ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଲଢେଇ ଦିନକୁ ଦିନ ବଢିଚାଲିଛି | ବିଶେଷ କରି କିଛିଦିନ ତଳେ ସଚିନ ପାଇଲଟ ଦୁର୍ନୀତି ବିରୋଧରେ ଜନସଂଘର୍ଷ ପଦଯାତ୍ରା ଆୟୋଜନ କରିଥିଲେ | ବଡ଼କଥା ଯେ ଏହି ପଦଯାତ୍ରା ସମୟରେ ସଚିନ ଗେହଲୋଟ ସରକାରଙ୍କ ଦୁର୍ନୀତି ବାବଦରେ ମଧ୍ୟ ଖୁଲମଖୁଲା କହିଥିଲେ | କେବଳ ଏତିକି ନୁହେଁ ସଚିନ କଂଗ୍ରେସ ହାଇକମାଣ୍ଡଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ | ପାଇଲଟ୍ କହିଥିଲେ ଯେ ‘ମୁଁ ଡରିବି ନାହିଁ ଏବଂ ଚୁପ ହୋଇ ବସିବି ନାହିଁ। ବିରୋଧୀ ଦଳରେ ଥିବାବେଳେ ସେ ଏବଂ ତାଙ୍କ ସହକର୍ମୀମାନେ ଦଳକୁ ଆଗକୁ ଆଣିବା ପାଇଁ କଠିନ ପରିଶ୍ରମ କରିଥିଲେ। ଆଉ ଏବେ ମୁଁ ଆଉ ପଛକୁ ଫେରିବି ନାହିଁ, ମୁଁ ଯାହାବି ବଳିଦାନ ଦେବାକୁ ହେବ ସେଥିପାଇଁ ପ୍ରସ୍ତୁତ ଅଛି’।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଆଜି ରାଜସ୍ଥାନ କଂଗ୍ରେସର ପ୍ରଭାରୀ ସୁଖଜିନ୍ଦର ରନ୍ଧୱା ଜୟପୁରରେ ପହଞ୍ଚି ପାଇଲଟଙ୍କ ଗୋଷ୍ଠୀକୁ କଡା ସନ୍ଦେଶ ଦେଇଛନ୍ତି | ଜନସଂଘର୍ଷ ପଦଯାତ୍ରା ଆୟୋଜନ କରିଥିବାରୁ ପାଇଲଟଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପ୍ରଶ୍ନରେ ରନ୍ଧୱା କହିଛନ୍ତି ଯେ, ‘କଂଗ୍ରେସ ଦଳ କେବେବି କାହାକୁ ବହିଷ୍କାର କରିବାକୁ ଚାହେଁନାହିଁ। କଂଗ୍ରେସ ଏପରି ଏକ ଦଳ, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନ କରେ | ଦଳରେ ଯେଉଁମାନେ ପୁରୁଣା ସେମାନଙ୍କୁ ତ କଂଗ୍ରେସ କେବେ ବି ବିଦା କରେ ନାହିଁ | କିଛି ଅଛନ୍ତି କଂଗ୍ରେସକୁ ଛାଡି ପଳାଇଛନ୍ତି | କିନ୍ତୁ କଂଗ୍ରେସ ସେମାନଙ୍କୁ ଛାଡ଼ିନଥିଲା | ଯେଉଁମାନେ କଂଗ୍ରେସ ଛାଡି ପଳାଇଛନ୍ତି ସେମାନଙ୍କ ଅବସ୍ଥା କଣ ସମସ୍ତେ ଜାଣନ୍ତି | ଅନ୍ୟପଟେ ସଚିନଙ୍କ ପଦଯାତ୍ରାକୁ ନେଇ ରନ୍ଧୱା କହିଛନ୍ତି, ‘ଏହା ତାଙ୍କର ବ୍ୟକ୍ତିଗତ ଯାତ୍ରା ଥିଲା। ଏହି ଯାତ୍ରା ସହିତ ଦଳର କୌଣସି ସମ୍ପର୍କ ନାହିଁ। ପାଇଲଟଙ୍କୁ ଦଳୀୟ ବୈଠକରେ ପ୍ରସଙ୍ଗ ଉଠାଇବା ଉଚିତ୍। ଯଦି ବୈଠକରେ କୌଣସି ଆଲୋଚନା ହୋଇନଥାନ୍ତା, ତେବେ ଆମେ କହିଥାନ୍ତେ ଯେ ସଚିନଙ୍କ କଥା ଶୁଣାଯାଇନଥିଲା’ |