ଲଖିମପୁର ହିଂସା ମାମଲାରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ: ଏସ୍‌ଆଇଟିରେ ଉନ୍ନତି ଆଣ, ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କର

ବିଚାରପତି ନିଯୁକ୍ତି ପାଇଁ ରାଜ୍ୟ ସରକାର ରାଜି

ନୂଆଦିଲ୍ଲୀ: ଲଖିମପୁର ଖେରି ହିଂସା ଘଟଣାର ତଦନ୍ତ ପାଇଁ ଗଠିତ ଏସ୍‌ଆଇଟି ଟିମ୍‌ରେ ଉନ୍ନତି ଆଣିବା ପାଇଁ ସୁପ୍ରିମ କୋର୍ଟ ଆଜି ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତକୁ ଉପଯୁକ୍ତ ଭାବେ କରିବା ଲାଗି ଏସଆଇଟିରେ ବରିଷ୍ଠ ଅଧିକାରୀଙ୍କୁ ସାମିଲ ପାଇଁ କୋର୍ଟ କହିଛନ୍ତି। ଏସଆଇଟିରେ ଥିବା ଅଧିକାଂଶ ଅଧିକାରୀ ସବ୍‌ ଇନ୍ସପେକ୍ଟର ଓ ଇନ୍ସପେକ୍ଟର ପାହ୍ୟାର। ତେଣୁ ଉଚ୍ଚ ପାହ୍ୟାର ଅଧିକାରୀମାନଙ୍କୁ ଏସଆଇଟିରେ ନିଯୁକ୍ତି ଦେବାଲାଗି ସୁପ୍ରିମ କୋର୍ଟ କହିଛନ୍ତି। ଉତ୍ତର ପ୍ରଦେଶ କ୍ୟାଡରର ଆଇପିଏସ ଯେଉଁମାନେ କି ରାଜ୍ୟର ବ୍ୟକ୍ତି ହୋଇ ନଥିବେ ସେମାନଙ୍କୁ ଏସଆଇଟିରେ ସାମିଲ କରିବା ପାଇଁ ସୁପ୍ରିମ କୋର୍ଟ କହିଛନ୍ତି। ମଙ୍ଗଳବାର ସଂଧ୍ୟା ସୁଦ୍ଧା ଉକ୍ତ ଆଇପିଏସ ଅଫିସରମାନଙ୍କ ତାଲିକା ପ୍ରଦାନ ପାଇଁ ଖଣ୍ଡପୀଠ କହିଛନ୍ତି। ଏହା ହେଲେ ବୁଧବାର ଏ ନେଇ ପ୍ରକାଶ ପାଇବାକୁ ଥିବା ରାୟରେ ଉକ୍ତ ନାମକୁ ଉଲ୍ଲେଖ କରାଯିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏସଆଇଟିରେ ଥିବା ଅଧିକାଂଶ ଅଧିକାରୀ ଲଖିମପୁର ଖେରି ଅଞ୍ଚଳର ସବ୍‌ ଇନ୍ସପେକ୍ଟର ପାହ୍ୟାର ବୋଲି ବିଚାରପତି ସୂର୍ଯ୍ୟକାନ୍ତ କହିଥିଲେ।

ଏଥିସହିତ ପ୍ରଧାନ ବିଚାରପତି ଏନ୍‌ ଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ତଦନ୍ତକୁ ଦୈନନ୍ଦିନ ଅନୁଧ୍ୟାନ କରିବା ପାଇଁ ଆମେ ପଂଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି ରାକେଶ କୁମାର ଜୈନ କିମ୍ବା ଅନ୍ୟ ନାମ ନେଇ ବିଚାର କରୁଛୁ। ସେମାନଙ୍କ ସହିତ ଆମକୁ ପରାମର୍ଶ ‌କରିବାକୁ ହେବ। ଏ ନେଇ ଆମେ ବୁଧବାର ରାୟ ଦେବୁ। ତେବେ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ଉତ୍ତର ପ୍ରଦେଶ ସରକାର ରାଜି ହୋଇଛନ୍ତି। ସୁପ୍ରିମ କୋର୍ଟ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ତଦନ୍ତର ଅନୁଧ୍ୟାନ ‌ଦୈନନ୍ଦିନ ଭିତ୍ତିରେ କରିବେ ବୋଲି ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛନ୍ତି। ସୁପ୍ରିମ କୋର୍ଟଙ୍କ ପସନ୍ଦର ବିଚାରପତିଙ୍କୁ ଏଥିପାଇଁ ନିଯୁକ୍ତି ଦିଆଯାଇପାରିବ ବୋଲି ରାଜ୍ୟ ସରକାର ରାଜି ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ଘଟଣାରେ ପୂର୍ବରୁ ତଦନ୍ତର ଷ୍ଟାଟସ ରିପୋର୍ଟ ଦାଖଲ ବିଳମ୍ବ ହୋଇଥିବାରୁ ସୁପ୍ରିମ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ପୂର୍ବ ଶୁଣାଣି ‌ବେଳେ ଭୀଷଣ ବିରକ୍ତ ହୋଇଥିଲେ। ଗତମାସ ୩ ତାରିଖରେ ଲଖିମପୁର ଖେରିଠାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ୪ ଜଣ ଆନ୍ଦୋଳନରତ କୃଷକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ସେଠାରେ ହିଂସା ସୃଷ୍ଟି ହୋଇଥିଲା। ଏଥିରେ ଜଣେ ସାମ୍ବାଦିକ, ୪ ଚାଷୀଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର