ଆମେଥିରେ ଏକ ଯୁଗର ଅନ୍ତ: କେ.ଏଲ୍‌. ଶର୍ମା କଂଗ୍ରେସ ପ୍ରାର୍ଥୀ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଗାନ୍ଧୀ ପରିବାରର ଗଡ଼ ଭାବେ ପରିଚିତ ଉତ୍ତରପ୍ରଦେଶର ଆମେଥି ନିର୍ବାଚନ ମଣ୍ଡଳୀରେ ଏଥର ଭିନ୍ନ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିଛି। ଏଠାରେ ଚଳିତ ଲୋକସଭା ନିର୍ବାଚନରେ ଗାନ୍ଧୀ ପରିବାରର କେହି ପ୍ରାର୍ଥୀ ନହେବା ଏକ ଯୁଗର ଅନ୍ତ ବୋଲି କୁହାଯାଉଛି। ୧୯୭୦ ଏବଂ ୧୯୯୦ ଦଶକରେ କିଛି ବର୍ଷ ବ୍ୟତୀତ ଆମେଥିରୁ ୨୦୨୯ ପର୍ଯ୍ୟନ୍ତ ଗାନ୍ଧୀ ପରିବାରର ଜଣେ ସଦସ୍ୟ ପ୍ରତିନିଧିତ୍ୱ କରି ଆସୁଥିଲେ। ତେବେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ସ୍ମୃତି ଇରାନୀ ରାହୁଲ ଗାନ୍ଧିଙ୍କୁ ୫୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିବା ପରେ କଂଗ୍ରେସର ଗଡ଼ ଭାଙ୍ଗି ଯାଇଥିଲା।

ଏହି ଆସନ ପାଇଁ କଂଗ୍ରେସ ଦୀର୍ଘଦିନ ଧରି ସସ୍‌ପେନ୍ସ ଜାରି ରଖିବା ପରେ ଶେଷରେ ଆଜି ସକାଳେ ରାଏବରେଲି ଓ ଆମେଥି ନିମନ୍ତେ ପ୍ରାର୍ଥୀ ଘୋଷଣା କରିଥିଲା। ଆଜି ସକାଳ ସୁଦ୍ଧା ରାହୁଲ ଗାନ୍ଧୀ ଆମେଥି ଓ ଅନ୍ୟଟିରୁ ପ୍ରିୟଙ୍କା ଗାନ୍ଧୀ ଠିଆ ହେବେ ବୋଲି ଆକଳନ କରି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା। ତେବେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ସ୍ଥାନୀୟ ନେତାଙ୍କ ରଣନୀତି ବଦଳିଥିଲା। ରାଏବରେଲିରୁ ରାହୁଲ ଗାନ୍ଧୀ ଏବଂ ଆମେଥିରୁ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିବା ପରେ ଉଭୟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଦ୍ବନ୍ଦ୍ବାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା। ୨୦୧୯ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କଠାରୁ ଆମେଥି ଆସନରୁ ହାରିଯିବା ପରେ ଏହି ଆସନରୁ ଠିଆ ହେବାକୁ ଏଥର ଗାନ୍ଧୀ ପରିବାରର କୌଣସି ସଦସ୍ୟ ସାହସ କରି ନାହାନ୍ତି। ୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଆମେଥିରୁ ପ୍ରାର୍ଥୀ ନହେବା ଇଣ୍ଡି ମେଣ୍ଟର ଅଂଶୀଦାର ଦଳ ନେତାଙ୍କୁ ମଧ୍ୟ ବିସ୍ମିତ କରିଛି।

ସମ୍ବନ୍ଧିତ ଖବର