ଲୁଇସ୍‌ ରୋଡ୍‌ରେ ବାବୁଙ୍କ ଶୋଭାଯାତ୍ରା

ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂହ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ଆଜି ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ପୂଜାଚ୍ଚର୍ନା କରିବା ସହ ଆଜ୍ଞାମାଳ ନେଇ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରିଥିଲେ। ଜୟ ପ୍ରଭୁ ଲିଙ୍ଗରାଜ, ଜୟ ଶ୍ରୀରାମ ନାରାରେ କମ୍ପିଥିଲା ସ୍ଥାନୀୟ ଅଞ୍ଚଳ। କର୍ମୀମାନେ ହାତରେ ଦଳୀୟ ପତାକା ଓ ବେକରେ ଗେରୁଆ ରଙ୍ଗର ଗାମୁଛା ପକାଇ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରା ମନ୍ଦିର ସମ୍ମୁଖରୁ ଗ୍ୟାରେଜ୍‌ ଛକ, ରବି ଟକିଜ୍‌, ବିଜେବି କଲେଜ, କଳ୍ପନା ‌ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଯାଇଥିଲା। ‘ମୋଦୀ ଗ୍ୟାରେଣ୍ଟି’ ଗୀତର ତାଳେ ବିଜେପି କର୍ମୀମାନେ ନାଚୁଥିବା ଦେଖିବାକୁ ମିଳିଥିଲା। ଏହି ଶୋଭାଯାତ୍ରାରେ ଭୁବନେଶ୍ବର ବିଜେପି ଲୋକସଭା ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ବିଜେପି ନେତ୍ରୀ ରଶ୍ମି ମହାପାତ୍ରଙ୍କ ସମେତ ଅନେକ ବରିଷ୍ଠ ବିଜେପି ନେତା ଯୋଗଦେଇଥିଲେ। ଦିନ ପ୍ରାୟ ୧ଟା ସୁଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଦଳବଳ ପହଞ୍ଚି ଶ୍ରୀ ସିଂହ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର