ବିଧାନସଭା ନିର୍ବାଚନ: ଉତ୍ତର-ପୂର୍ବ ରାଜ୍ୟରେ ବିଜେପିକୁ ବଡ଼ ସଫଳତା, କ୍ଷତିରେ କଂଗ୍ରେସ୍‌ ଓ କମ୍ୟୁନିଷ୍ଟ 

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟ ତ୍ରୁିପୁରା, ମେଘାଳୟ ଓ ନାଗାଲ୍ୟାଣ୍ଡରେ ବିଧାନସଭା ନର୍ବାଚନ ଭାରତୀୟ ଜନତା ପାର୍ଟି ଲାଗି ସୁଖବର ଆଣିଛି। ଏକଦା ଏହି ତିନି ରାଜ୍ୟରେ ସ୍ଥିତି ନ ଥିବା ବିଜେପି ଚଳିତ ନିର୍ବାଚନରେ ଏକ ପ୍ରମୁଖ ରାଜନୈତିକ ଶକ୍ତିଭାବେ ଉଭା ହୋଇଛି। ତ୍ରିପୁରାରେ ୨୫ବର୍ଷ ଧରି ଶାସନ ଡୋରି ହାତରେ ରଖିଥିବା ସିପିଆଇ(ଏମ୍‌)କୁ ଲାଗିଛି  ବଡ଼ ଝଟକା। ସେଠାରେ ଲାଲ୍‌ ଦୁର୍ଗରେ ଉଡ଼ିଛି ଗୈରିକ ପତାକା। ତ୍ରିପୁରା ବିଧାନସଭାର ୬୦ ଆସନ ଭିତରୁ ୩୫ଟି ଆସନରେ ବିଜେପି ଆଗୁଆ ରହିଥିବା ବେଳେ ୫ଟି ଆସନ ଜିଣିସାରିଛି। ଏଠାରେ ବିଜେପିର ୪୦ଟି ଆସନ ଜିଣି ସରକାର ଗଢ଼ିବା ସମ୍ଭାବନା ଏକପ୍ରକାର ନିଶ୍ଚିତ ହୋଇଛି। ତ୍ରିପୁରାର ବିଜେପି ନେତା ରାମ୍‌ ମାଧବ ଏହାକୁ ‘ଐତିହାସିକ’ ବିଜୟ ବୋଲି ଆଖ୍ୟା ଦେଇଛନ୍ତି। ଏହି ବିଜୟର ଶ୍ରେୟ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି।

 

ସେହିପରି ନାଗାଲ୍ୟାଣ୍ଡରେ ମଧ୍ୟ ବିଜେପି-ଏନ୍‌ଡିପିପି ମେଣ୍ଟ ୬୦ ଆସନ ବିଶିଷ୍ଟ ବିଧାନସଭାରେ ବହୁମତ ହାସଲ କରିବା ଦିଗରେ ଅଗ୍ରସର ହେଉଛି। ନାଗାଲ୍ୟାଣ୍ଡର ଶାସକ ଦଳ ନାଗା ପିପୁଲ୍ସ ଫ୍ରଣ୍ଟ ମଧ୍ୟାହ୍ଣ ସୁଦ୍ଧା ୪ଟି ଆସନ ଜିଣି ୧୯ଟିରେ ଆଗୁଆ ରହିଥିବା ବେଳେ ବିଜେପି-ଏନ୍‌ଡିପିପି ମେଣ୍ଟ ୩୫ଟି ଆସନରେ ଆଗୁଆ ରହିଥିବା ସୂଚନା ମିଳିଛି। ଏଠାରେ ମଧ୍ୟ ବିଜେପି କ୍ଷମତା ଦାଖଲ କରିବା ସମ୍ଭାବନା ଜୋର୍‌ ଧରିଛି।

କଂଗ୍ରେସ ଶାସନାଧୀନ ମେଘାଳୟରେ କଂଗ୍ରେସ ଯଦିଓ ଏକକ ସଂଖ୍ୟାଗରିଷ୍ଠ ଦଳଭାବେ ଆତ୍ମପ୍ରକାଶ କରୁଛି। କିନ୍ତୁ ସରକାର ଗଢ଼ିବା ନେଇ ସନ୍ଦେହ ଦେଖା ଦେଇଛି। ୧୦ ବର୍ଷ ଧରି କ୍ଷମତାରେ ରହିବା ପରେ ଏଠାରେ କଂଗ୍ରେସ ବିରୋଧୀ ଦଳ ଭାବେ ବିଧାନସଭାରେ ବସିବା ସମ୍ଭାବନା ସୃଷ୍ଟି ହୋଇଛି। ମେଘାଳୟରେ ୬୦ ଆସନ ମଧ୍ୟରୁ ୨୬ଟି ଫଳାଫଳ ଘୋଷଣା ହୋଇସାରିଛି। ମଧ୍ୟାହ୍‌ଣ ସୁଦ୍ଧା କଂଗ୍ରେସ ୧୧ଟି, ଏନ୍‌ପିପି ୫ଟି ଓ ଅନ୍ୟଦଳ ୯ଟି ଆସନ ଜିତିଛନ୍ତି। ଏଠାରେ ବିଜେପି କେବଳ ଗୋଟିଏ ଆସନ ହାସଲ କରିପାରିଛି। ମେଘାଳୟରେ ବିଜେପିର ଏନ୍‌ପିପି ସହିତ ମେଣ୍ଟ ରହିଛି। ସୂଚନା ମୁତାବକ, ଏନ୍‌ପିପି ୧୨ଟି ଓ ବିଜେପି ୨ଟିରେ ଆଗୁଆ ଥିବା ବେଳେ ଅନ୍ୟାନ୍ୟ ୭ଟି ଆସନରେ ଆଗୁଆ ରହିଛନ୍ତି। ଏହି ଅନ୍ୟାନ୍ୟ ଭିତରେ ବିଜେପିର ସମର୍ଥକ ରହିଛନ୍ତି।

ସମ୍ବନ୍ଧିତ ଖବର