କେନ୍ଦ୍ର ବଜେଟ୍‌ ୨୦୨୩-୨୪ : ୧୦ ଲକ୍ଷ କୋଟିର ପୁଞ୍ଜିବ୍ୟୟ

ନୂଆଦିଲ୍ଲୀ: ଅର୍ଥନୀତିରେ ଅଭିବୃଦ୍ଧିକୁ ତ୍ବରାନ୍ବିତ ଏବଂ ନିଯୁକ୍ତିକୁ ବ୍ୟାପକ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିବ୍ୟୟ ପ୍ରସ୍ତାବ ରଖିଛନ୍ତି। ଏହା ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୩.୩ ପ୍ରତିଶତ ରହିଛି। ଗତ ବଜେଟ୍ ତୁଳନାରେ ପୁଞ୍ଜିବ୍ୟୟ ୩୩ ପ୍ରତିଶତ ଅଧିକ। ସରକାର ଗତ ୩ ବର୍ଷ ହେଲା ପୁଞ୍ଜିବ୍ୟୟକୁ କ୍ରମାଗତଭାବେ ବଢ଼ାଇ ଚାଲିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ପୁଞ୍ଜିବ୍ୟୟରେ ପାଖାପାଖି ୩ ଗୁଣା ବୃଦ୍ଧି ହୋଇଛି। ଏହାଛଡ଼ା ଗ୍ରାଣ୍ଟ-ଇନ୍-ଏଡ୍‌ ଆକାରରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପୁଞ୍ଜି ସଂପତ୍ତି ସୃଷ୍ଟି ପାଇଁ ଦେଉଥିବା ଅର୍ଥକୁ ମିଶାଇଲେ ମୋଟ ପ୍ରଭାବୀ ପୁଞ୍ଜିବ୍ୟୟ ୧୩.୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ, ଯାହାକି ଜିଡିପିର ୪.୫ ପ୍ରତିଶତ ବୋଲି ଅର୍ଥମନ୍ତ୍ରୀ ବଜେଟରେ ଉଲ୍ଲେଖ କରିଛନ୍ତି। ଭିତ୍ତିଭୂମି କ୍ଷେତ୍ରରେ ନିବେଶ ପାଇଁ ରାଜ୍ୟ ସରକାରଗୁଡ଼ିକୁ କେନ୍ଦ୍ର ସରକାର ୫୦ ବର୍ଷିଆ ସୁଧମୁକ୍ତ ଋଣ ପ୍ରଦାନ କରୁଛନ୍ତି। ଚଳିତ ବଜେଟରେ ଏହି ଅବଧିକୁ ଆଉ ୧ ବର୍ଷ ପାଇଁ ବଢ଼ାଇ ଦିଆଯାଇଛି। ଏ ବାବଦରେ ୧.୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି।

ବନ୍ଦର, କୋଇଲା, ଇସ୍ପାତ, ସାର ଏବଂ ଖାଦ୍ୟଶସ୍ୟ କ୍ଷେତ୍ରରେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଯୋଗାଯୋଗ ସୁବିଧା ଯୋଗାଇ ଦେବା ପାଇଁ ୧୦୦ଟି ଗୁରୁତ୍ବପୂର୍ଣ୍ଣ ପରିବହନ ଭିତ୍ତିଭୂମି ପ୍ରକଳ୍ପ ଚିହ୍ନଟ କରାଯାଇଛି। ୭୫ ହଜାର କୋଟି ଟଙ୍କା ନିବେଶରେ ଏଗୁଡ଼ିକର ନିର୍ମାଣ ହେବ। ଘରୋଇ କ୍ଷେତ୍ରରୁ ଏଥିପାଇଁ ୧୫ ହଜାର କୋଟି ଟଙ୍କା ସଂଗ୍ରହ ହେବ। ବିମାନ ମାଧ୍ୟମରେ ଆଞ୍ଚଳିକ ଯୋଗାଯୋଗ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ପାଇଁ ବଜେଟରେ ୫୦ଟି ଅତିରିକ୍ତ ବିମାନ ବନ୍ଦର, ହେଲିପୋର୍ଟ, ୱାଟର ଏରୋଡ୍ରମ ଏବଂ ଅତ୍ୟାଧୁନିକ ଲ୍ୟାଣ୍ଡିଂ ଗ୍ରାଉଣ୍ଡ୍‌ର ପୁନରୁଦ୍ଧାର ହେବ ବୋଲି ଅର୍ଥମନ୍ତ୍ରୀ ବଜେଟରେ ଘୋଷଣା କରିଛନ୍ତି।

ମନରେଗା ରାଶି କମିଲା, ପିଏମ୍‌ ଆୱାସ ବଢ଼ିଲା

Elite IAS Academy

ନୂଆଦିଲ୍ଲୀ, ୧/୨: ବଜେଟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଆଇନ (ମନରେଗା) ପାଇଁ ୬୦ ହଜାର କୋଟି ଟଙ୍କାର ଅର୍ଥବରାଦ କରାଯାଇଛି। ଗତ ବଜେଟରେ ହୋଇଥିବା ୭୩ ହଜାର କୋଟି ଟଙ୍କା ତୁଳନାରେ ଏହା ୨୧.୬୬ ପ୍ରତିଶତ କମ୍‌। ସଂଶୋଧିତ ଅଟକଳରେ ଏହି ରାଶି ୮୯,୪୦୦ କୋଟି ଟଙ୍କା ଥିଲା। ମନରେଗା ଅର୍ଥ କମ୍‌ କରାଯାଇଥିବାରୁ ଏହାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଏମଜିଏନଆରଜିଏସ ଶବ୍ଦ ଥରେ ମାତ୍ର ଉଚ୍ଚାରଣ କରିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାକୁ ଅର୍ଥମନ୍ତ୍ରୀ ୭୯ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ପିଏମ ଆୱାସ ଯୋଜନାରେ ବ୍ୟୟବରାଦ ଗତ ବଜେଟ ତୁଳନାରେ ୬୬ ପ୍ରତିଶତ ବୃଦ୍ଧି ପାଇଛି। ଗତ ବଜେଟରେ ୮୪ ଲକ୍ଷ ଗୃହ ନିର୍ମାଣ ପାଇଁ ୪୮ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଥିଲା।

ନିର୍ବାଚନ ଉପରେ ନଜର: କେନ୍ଦ୍ର ଫୋକସ୍‌ରେ ଆଦିବାସୀ, ୧୫ ହଜାର କୋଟି ଟଙ୍କା ଆବଣ୍ଟନ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍‌ ୨୦୨୩-୨୪ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଦିବାସୀଙ୍କ କଲ୍ୟାଣ ପାଇଁ ୧୫ ହଜାର କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଗତବର୍ଷର ବଜେଟ୍‌ ତୁଳନାରେ ଏହା ପ୍ରାୟ ୫ ଗୁଣ ଅଧିକ ହୋଇଥିବାରୁ ସରକାର ଆଦିବାସୀ ସଂପ୍ରଦାୟର ବିକାଶକୁ ଏବେ ଫୋକସ୍‌ରେ ରଖିଥିବା କୁହାଯାଉଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଯୋଜନାବଦ୍ଧ ରଣନୀତିରେ ସରକାର ଆଗକୁ ବଢ଼ୁଥିବା ବେଳେ ଆଦିବାସୀଙ୍କ ବିକାଶ ପ୍ରସଙ୍ଗରେ ଅଧିକ ସମ୍ବେଦନଶୀଳ ବୋଲି ବାର୍ତ୍ତା ଦେଇଛନ୍ତି। ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏଥର ବଜେଟ୍‌ରେ ଏହାର ପ୍ରଭାବ ସ୍ପଷ୍ଟ ବାରିହେଉଛି। ‘ଅମୃତ କାଳ’ର ଏହି ପ୍ରଥମ ବଜେଟ୍‌ରେ ସମଗ୍ର ଦେଶରେ ଆଦିବାସୀଙ୍କ କଲ୍ୟାଣ ପାଇଁ ସରକାର ବଦ୍ଧପରିକର ବୋଲି ସ୍ପଷ୍ଟ କରିଛନ୍ତି।

ଚଳିତ ବର୍ଷ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ବିଧାନସଭା ନିର୍ବାଚନ ହେବ ଏବଂ ଏହି ରାଜ୍ୟଗୁଡ଼ିରେ ଆଦିବାସୀ ସଂପ୍ରଦାୟର ଭୋଟ୍‌ ବ୍ୟାଙ୍କ୍‌ ବେଶ୍‌ ଗୁରୁତ୍ବ ବହନ କରୁଛି। ଛତିଶଗଡ଼ ଏବଂ ତ୍ରିପୁରାରେ ୩୦ ପ୍ରତିଶତ ଜନସଂଖ୍ୟା ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ମେଘାଳୟ, ମିଜୋରାମ ଏବଂ ନାଗାଲାଣ୍ଡରେ ୮୫ ପ୍ରତିଶତ ଜନସଂଖ୍ୟା ଆଦିବାସୀ ବର୍ଗର। କଂଗ୍ରେସ ଶାସନରେ ଥିବା ଛତିଶଗଡ଼ରେ କ୍ଷମତାକୁ ଫେରିବା ବିଜେପି ପାଇଁ ଏକ ବହୁତ ବଡ଼ ଚ୍ୟାଲେଂଜ ହୋଇ ରହିଛି। ଆଦିବାସୀଙ୍କ ନିକଟରେ ପହଞ୍ଚିବା ପାଇଁ ବିଜେପି ଜୋର୍‌ଦାର ପ୍ରୟାସ ଜାରି ରଖିଥିବା ବେଳେ ଆଦିବାସୀଙ୍କ କଲ୍ୟାଣ ପାଇଁ ହୋଇଥିବା ବଜେଟ୍‌ ବ୍ୟବସ୍ଥା ମଧ୍ୟ ଦଳକୁ ସୁହାଇବ ବୋଲି କୁହାଯାଉଛି।

କର୍ଣ୍ଣାଟକ ପାଇଁ ୫୩୦୦ କୋଟି ଟଙ୍କାର ଉପହାର

ନୂଆଦିଲ୍ଲୀ: କେନ୍ଦ୍ର ବ‌ଜେଟରେ ଆଜି କର୍ଣ୍ଣାଟକ ପାଇଁ ୫,୩୦୦ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି। କର୍ଣ୍ଣାଟକରେ ଅପର୍‌ ଭଦ୍ରା ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୫,୩୦୦ କୋଟି ଆର୍ଥିକ ସହାୟତା ଦେବେ। ସଂସଦରେ ବଜେଟ ଭାଷଣ ରଖିବା ସମୟରେ ନିର୍ମଳା କହିଥିଲେ, ମରୁଡ଼ି ପ୍ରବଣ କେନ୍ଦ୍ରୀୟ କର୍ଣ୍ଣାଟକ ଅଞ୍ଚଳ ପାଇଁ ୫,୩୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା‌ ଦିଆଯିବ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଏଥିପାଇଁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୁନା ଦାମ୍‌ରେ ବୃଦ୍ଧି

The Economic Times

ବଜେଟ୍ ଅଭିଭାଷଣ ‌ଶେଷ ହେବା ପରେ ସୁନା ଓ ରୁପା ମୂଲ୍ୟରେ ହଠାତ୍‌ ବୃଦ୍ଧି ଦେଖିବାକୁ ମିଳିଥିଲା। ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ୍‌ରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୫୮,୦୬୦ ଟଙ୍କାକୁ ବୃଦ୍ଧି ପାଇଥିଲା। ଏହା ହେଉଛି ସୁନା ମୂଲ୍ୟର ସର୍ବକାଳୀନ ରେକର୍ଡ ସ୍ତର। ଆଗାମୀ ଦିନରେ ସୁନା ଦାମ୍ ୬୦ ହଜାର ଟଙ୍କା ଟପିଯିବ ବୋଲି ଅନୁମାନ କରାଯାଉଛି। ରୁପା ମୂଲ୍ୟରେ ମଧ୍ୟ ଆଜି ୧୯୪୭ ଟଙ୍କାର ବୃଦ୍ଧି ଘଟି ୬୯,୮୯୭ କୋଟି ଟଙ୍କା ‌ହୋଇଛି। ଗତ କିଛିଦିନ ଧରି ସୁନା ମୂଲ୍ୟରେ ବୃଦ୍ଧି ଘଟୁଥିଲା। ଆଗାମୀ ଦିନରେ ଏହା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର