ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏଥର ନିର୍ବାଚନ ଲଢ଼ିବେ ନାହିଁ
ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ତଥା ବିଜେପିର ଇନ୍ଦୋର ସାଂସଦ ସୁମିତ୍ରା ମହାଜନ ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଯେ ସେ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ଏକ ଇସ୍ତାହାରରେ ମହାଜନ କହିଛନ୍ତି ଯେ ଦଳ ପକ୍ଷରୁ ଇନ୍ଦୋର ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ ହେଉଛି। ସେ ଅନୁମାନ କରୁଛନ୍ତି ଯେ ଏଥର ଇନ୍ଦୋରରୁ ସାଂସଦ ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା କରିବାକୁ ବିଜେପି ବୋଧହୁଏ କୁଣ୍ଠାବୋଧ କରୁଛି। ଫଳରେ ସେ ନିଜ ଆଡୁ ନିର୍ବାଚନ ନ ଲଢ଼ିବା ନିଷ୍ପତ୍ତି ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୭୫ ବର୍ଷୀୟା ଏହି ବରିଷ୍ଠ ବିଜେପି ନେତ୍ରୀ ପୂର୍ବରୁ ବରିଷ୍ଠ ଦଳୀୟ ନେତାମାନଙ୍କୁ କହିଥିଲେ ଯେ ଇନ୍ଦୋର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ଘୋଷଣା କରିବାରେ ବିଜେପି ଏବେ ପୂର୍ଣ୍ଣ ସ୍ୱାଧୀନ। ଦଳ କାହାର ବି ନାମ ଘୋଷଣା କରିପାରେ, ସେଥିରେ ତାଙ୍କର କୌଣସି ଆପତ୍ତି ନାହିଁ।
ଚଳିତ ମାସ ସୁମିତ୍ରା ମହାଜନ ୭୫ ବର୍ଷ ପାର୍ ୭୬ ବର୍ଷରେ ପାଦ ଦେଉଥିବା ହେତୁ ତାଙ୍କୁ ଟିକେଟ୍ ମିଳିବା ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଇନ୍ଦୋରରୁ ସୁମିତ୍ରା ୮ ଥର ସାଂସଦ ହୋଇ ସାରିଲେଣି। ବିଜେପିର ବରିଷ୍ଠ ନେତା ଏଲ୍କେ ଆଡଭାନୀ ଓ ମୁରଲୀ ମନୋହର ଜୋଶୀଙ୍କ ଟିକେଟ୍ କଟିବା ପରେ ସ୍ପଷ୍ଟ ହୋଇଛି ଯେ ୭୫ ବର୍ଷରୁ ଊର୍ଧ୍ୱ ବୟସ୍କମାନଙ୍କୁ ବିଜେପି ନିର୍ବାଚନ ମୈଦାନକୁ ଓହ୍ଲାଉ ନାହିଁ।