ଶେଷ ପର୍ଯ୍ୟାୟରେ ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ନବୀକରଣ କାର୍ଯ୍ୟ: ଦଶହରା ପରେ ହେବ ଉଦ୍‌ଘା‌ଟନ

ଖଣ୍ଡଗିରି: ବହୁ ପ୍ରତୀକ୍ଷିତ ବରମୁଣ୍ଡା ଅତ୍ୟାଧୁନିକ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌ ‌ନବୀକରଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ଖୁବ୍ ଶୀଘ୍ର ଉଦ୍‌ଘାଟିତ ହେବାର ସମ୍ଭାବନା ରହିଛି। ବସ୍‌ ଓ ଯାତ୍ରୀଙ୍କ ପାଇଁ ଯେଉଁ ସର୍ବନିମ୍ନ ସୁବିଧା ଆବଶ୍ୟକ, ତାହା ପ୍ରସ୍ତୁତ ହୋଇ ସାରିଛି ବୋଲି ବିଡିଏ ପକ୍ଷରୁ ସୂଚନ‌ା ମିଳିଛି। ନବୀକରଣ କାର୍ଯ୍ୟର ଏବେ ଚୂଡ଼ାନ୍ତ ସ୍ପର୍ଶ ଦିଆଯାଉଛି।

ଜାତୀୟ ରାଜପଥଠାରୁ ଟର୍ମିନାଲ୍‌ ପର୍ଯ୍ୟନ୍ତ ପ୍ରମୁଖ ରାସ୍ତାକୁ ଜବରଦଖଲ ମୁକ୍ତ କରାଯାଇଛି। ଟର୍ମିନାଲ୍‌ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାର ମୁଖ୍ୟଗେଟ୍‌ ନିର୍ମାଣ ଚାଲିଛି। ପେଭର ବ୍ଲକ, ଡ୍ରେନ୍‌ ତିଆରି କାର୍ଯ୍ୟ ମଧ୍ୟ ଚୂଡ଼ାନ୍ତ ହେବାକୁ ଯାଉଛି। ରାସ୍ତାର ଉଭୟ ପାର୍ଶ୍ବର ସୌନ୍ଦର୍ଯ୍ୟକରଣ, ପାଦଚଲା ରାସ୍ତା ନିର୍ମାଣ, ସାଇକେଲ୍‌ ଟ୍ରାକ୍‌, ବସ୍‌ ରହିବା ସ୍ଥାନ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି। ଟର୍ମିନାଲ ଭିତରେ କୋଠା ନିର୍ମାଣର ସମସ୍ତ କାମ ସରିବା ସହ ଦୋକାନ ଘର, କାଫେଟେରିଆ, ପୁରୁଷ ଓ ମହିଳା ଶୌଚାଳୟକୁ ଶେଷସ୍ପର୍ଶ ଦିଆଯାଉଛି। ଡର୍ମିଟୋରି ନିର୍ମାଣ, ଟିକେଟ କା‌ଉଣ୍ଟର କାମ ୯୦ ପ୍ରତିଶତ ସରିଛି। ଏକ୍ସକେଲେଟର, ଅଗ୍ନି ନିର୍ବାପକ ଯନ୍ତ୍ର, ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଆଦି ସ୍ଥାପନ କାମ ଚାଲିଛି। ଦଶହରା ପରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଏହାର ଉଦ୍‌ଘାଟନ କରିବାକୁ ରୂପରେଖ ପ୍ରସ୍ତୁତ ହେଉଛି।

ସୂଚନାଯୋଗ୍ୟ, ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଆଧୁନିକୀକରଣ କାର୍ଯ୍ୟ ପାଇଁ ୨୦୨୦ ଅଗଷ୍ଟ ୨୩ରେ ଭିତ୍ତିପ୍ରସ୍ତର ପଡ଼ିବା ସହ କାମ ଆରମ୍ଭ ହୋଇଥିଲା। ବିଡିଏ ଟେଣ୍ଡର ଜରିଆରେ ଏହାର ନିର୍ମାଣ କାମ ‘ବ୍ରିଜ ଆଣ୍ଡ ରୁଫ୍‌’କୁ ଦେଇଥିଲା। କାମ ଆରମ୍ଭ ବେଳକୁ ସେପ୍ଟେମ୍ବର ମାସ ହୋଇଯାଇଥିଲା। ପ୍ରାଥମିକ ବ୍ରସ୍ଥାରେ ୧୬୦ କୋଟି ୬୬ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇ ପରବର୍ତ୍ତୀ ସମୟରେ ବଜେଟ୍‌ ୧୮୦ କୋଟିକୁ ବୃଦ୍ଧି ପାଇଥିଲା। କାର୍ଯ୍ୟ ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ମନ୍ଥର ଗତିରେ କାମ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ୫-ଟି ସଚିବ, ପୂର୍ତ୍ତ ବିଭାଗ ସଚିବ ବାରମ୍ବାର ଏଠାକୁ ଗସ୍ତ କରି ଉନ୍ନୟନ କାର୍ଯ୍ୟର ତଦାରଖ କରିବା ପରେ ଏବେ ଚଳିତ ବର୍ଷ ଉଦ୍‌ଘାଟନ କରିବାକୁ ନିଷ୍ପତ୍ତି ହୋଇଛି। କାମ ସରିବା ପରେ ଠିକା ସଂସ୍ଥା ୫ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବ। ତେବେ ଟର୍ମିନାଲର ସମସ୍ତ ଅଟ୍ଟାଳିକା ନିର୍ମାଣ କାମ ସରିଥି‌ଲେ ମଧ୍ୟ ବାକିଥିବା କାର୍ଯ୍ୟ ଧାର୍ଯ୍ୟ ସମୟ ଭିତରେ ସରିବ‌ା ଭଳି ଲାଗୁନାହିଁ। ଏନେଇ ବସ୍‌ ମାଲିକ ସଂଘର ସଭାପତି ଦେବାଶିଷ ନାୟକ କହନ୍ତି, ଅଟ୍ଟାଳିକ ତ ତିଆରି ହୋଇଛି। ହେଲେ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା, ଶତାଧିକ ବସ୍‌ ରହିବା‌ ପାଇଁ ପର୍ଯ୍ୟାପ୍ତ ରହିବା ସ୍ଥାନର ବ୍ୟବସ୍ଥା କରିବାର ଆବଶ୍ୟକ। ଯାତ୍ରୀ ଓ ବସ୍‌ ଚାଳକଙ୍କ ପାଇଁ ସୁବିଧା ସୁଯୋଗ କରାଯାଇ ଏହାକୁ ଉଦ୍‌ଘାଟନ କରାଯାଉ। ନ ହେଲେ କଟକ ଭଳି ଅବସ୍ଥା ଭୋଗିବାକୁ ପଡ଼ିବ। କିନ୍ତୁ ବିଡ଼ିଏ ଇଞ୍ଜିନିୟର କୌଶିକ ଧଳଙ୍କ କହିବା କଥା, ରାତିଦିନ ଏକକରି ବିଡ଼ିଏର ଇଞ୍ଜିନିୟର ଓ ଅଧିକାରୀ କାମରେ ଲାଗି ପଡ଼ିଛନ୍ତି। ସମସ୍ତ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆବଶ୍ୟକ ସାମଗ୍ରୀ ଖୁବ୍‌ଶୀଘ୍ର ଲାଗିଯିବ। ବସ୍‌ ଟର୍ମିନାଲ୍‌ର ଭିତର ଓ ବ‌ାହାର କାମ ଶୀଘ୍ର ସରିବା ସହ ଏହାର ଉଦ୍‌ଘାଟନ ହେବ। ଯାତ୍ରୀମାନେ ଏହାର ସମସ୍ତ ସୁବିଧା ପାଇପାରିବେ।

ସମ୍ବନ୍ଧିତ ଖବର