ଇଂଜିନିୟରିଂ ଛାତ୍ରୀଙ୍କ ୯୬ ହଜାର ଟଙ୍କା ନେଇଗଲା ସାଇବର ଠକ

ଭୁବନେଶ୍ବର/ଚନ୍ଦ୍ରଶେଖରପୁର: ଓଏଲ୍‌ଏକ୍ସରେ ଘରୋଇ ଉପକରଣ ବିକିବାକୁ ଯାଇ ଜଣେ ଇଂଜିନିୟରିଂ ଛାତ୍ରୀ ସାଇବର ଠକେଇର ଶିକାର ହୋଇ ୯୬ ହଜାର ଟଙ୍କା ହରାଇଛନ୍ତି। ସେ ହେଲେ ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢ଼ୁଥିବା ଗୌହାଟି ହାତୀଗାଓଁର ରୁଚିକା କଟ୍‌କୀ(୨୫)। ଏନେଇ ସେ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି। ରୁଚିକାଙ୍କ ଏତଲା ସେ ଭୁବନେଶ୍ବର ଛାଡ଼ି ଆସାମ ଫେରିବାକୁ ଥିବାରୁ ତାଙ୍କ ଟିଭି, ଫ୍ରିଜ୍ ସମେତ ଅନ୍ୟାନ୍ୟ ଘରୋଇ ଉପକରଣ ବିକ୍ରି କରିବାକୁ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇଥିଲେ।

ବିଜ୍ଞାପନରେ ଥିବା ତାଙ୍କ ମୋବାଇଲ୍‌ ନମ୍ବରକୁ ଅନୁପ କୁମାର ମିଶ୍ର ନାମକ ଜଣେ ଯୁବକ ଫୋନ୍ କରି ସମସ୍ତ ଉପକରଣ କିଣିବାକୁ କହିଥିଲା। ଏହା ପରେ ସେ ରୁଚିକାଙ୍କ ମୋବାଇଲ୍‌କୁ ଏକ କ୍ୟୁଆର୍ କୋଡ୍ ପଠାଇଥିଲା। ଉକ୍ତ କ୍ୟୁଆର୍ କୋଡ୍‌କୁ ସ୍କାନ୍ କଲେ ତାଙ୍କ ବ୍ୟାଙ୍କ୍‌ରେ ଟଙ୍କା କ୍ରେଡିଟ୍ ହୋଇଯିବ ବୋଲି ଧୂର୍ତ୍ତ ଅନୁପ କହିଥିଲା। ରୁଚିକା ଉକ୍ତ କ୍ୟୁଆର୍ କୋଡ୍ ସ୍କାନ୍ କରୁକରୁ ଅନୁପ ତାଙ୍କ ଆକାଉଣ୍ଟକୁ ୧୦୫ ଟଙ୍କା ପଠାଇଥିଲା। ଟଙ୍କା ପାଇବା ପରେ ରୁଚିକାଙ୍କ ବିଶ୍ବାସ ହୋଇଥିଲା। କିନ୍ତୁ ଧୂର୍ତ୍ତ ଅନୁପ ଏଥର ଚାଲ୍‌ ଖେଳିଥିଲା। ଅଧିକ ଟଙ୍କା ଦେବାକୁ ଥିବାରୁ ସେ ତା’ ଆକାଉଣ୍ଟ୍‌କୁ କିଛି ଟଙ୍କା ପଠାଇବାକୁ ରୁଚିକାଙ୍କୁ କହିଥିଲା। ତା’ ଚାଲ୍‌ ବୁଝିନପାରି ରୁଚିକା ଠକ ଆକାଉଣ୍ଟକୁ କିଛି ଟଙ୍କା ପଠାଇଥିଲେ। ମାତ୍ର ପରେ ପରେ ତାଙ୍କ ଆକାଉଣ୍ଟରୁ ବିଭିନ୍ନ ପର୍ଯ୍ୟାୟରେ ୯୬ ହଜାର ଟଙ୍କା କଟି ଯାଇଥିଲା। ଏତେ ଟଙ୍କା କଟିଯିବା ପରେ ବ୍ୟସ୍ତ ହୋଇ ରୁଚିକା ଠକ ଅନୁପ ଫୋନ୍‌କୁ କଲ୍‌ କରିଥିଲେ। ମାତ୍ର ଫୋନ୍‌ ସୁଇଚ୍‌ ଅଫ୍ ହୋଇଯାଇଥିଲା।

ସମ୍ବନ୍ଧିତ ଖବର