ମହାଯୁଦ୍ଧ ପାଇଁ ରୁଷର ପ୍ରସ୍ତୁତି, ପରମାଣୁ ଚେତାବନୀ ଡ୍ରାମା ନୁହେଁ: ପୁଟିନ

ମସ୍କୋ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍‌ ବିରୋଧରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଯୁଦ୍ଧରେ ଗଣ ସମ୍ପୃକ୍ତି ପାଇଁ ପୁଟିନ ବୁଧବାର ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ସମୟରେ ଘୋଷଣା କରିଛନ୍ତି। ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଯୁଦ୍ଧରେ ଗଣ ସମ୍ପୃକ୍ତି ଏବଂ ସଂରକ୍ଷିତ ସୈନିକଙ୍କ ଅଂଶଗ୍ରହଣ ନେଇ ରୁଷ୍‌ ଏଭଳି ଘୋଷଣା କରିଛି। ଯୁଦ୍ଧରେ କେବଳ ସକ୍ରିୟ ସେନା ନୁହେଁ, ରୁଷ୍‌ର ରିଜର୍ଭ ଥିବା ସମସ୍ତ ସଦସ୍ୟ ବି ସାମିଲ ହେବେ। ପୁଟିନ କହିଛନ୍ତି, ବର୍ତ୍ତମାନ ଦେଶ ପଶ୍ଚିମ ରାଷ୍ଟ୍ରମାନଙ୍କୁ ଆଡ଼ୁ ଯେଉଁଭଳି ବିପଦ ସାମ୍ନା କରୁଛି ଏହି ସମୟରେ ଏଭଳି ନିଷ୍ପତ୍ତି ଜରୁରି ଥିଲା। ଯଦି ଆମ ଦେଶର ଭୌଗଳିକ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହୁଏ ତେବେ ସୁରକ୍ଷା ଦେବାପାଇଁ ଯେକୌଣସି ଉପାୟ ଅବଲମ୍ବନ କରିପାରିବୁ।। ଏହି ଅବସରରେ ସେ ପରମାଣୁ ଧମକ ମଧ୍ୟ ଦେଇଛନ୍ତି।

The Kootneeti

ପୁଟିନ କହିଛନ୍ତି ରୁଷ୍‌କୁ ସୁରକ୍ଷା ଦେବାପାଇଁ ସେ ଯେଉଁ ପରମାଣୁ ଅସ୍ତ୍ର ପ୍ରୟୋଗ ଚେତାବନୀ ଦେଇଥିଲେ ତାହା ଆଦୌ ମିଛ ନୁହେଁ କି ଡ୍ରାମା ନୁହେଁ। ଏହା ଦ୍ବାରା ପୁଟିନ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ପୁଣିଥରେ ପରମାଣୁ ଯୁଦ୍ଧ ଧମକ ଦେଇଛନ୍ତି। ପୁଟିନ କହିଛନ୍ତି, ପାଶ୍ଚାତ୍ୟ ରାଷ୍ଟ୍ରମାନେ ରୁଷ୍‌କୁ ଧ୍ବଂସ କରିଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି। ରୁଷ୍‌ ବିରୋଧରେ ପରମାଣୁ ଅସ୍ତ୍ର ବ୍ୟବହାରର ଷଡ଼ଯନ୍ତ୍ର ହେଉଛି। ଆମେରିକା, ୟୁରୋପୀୟ ରାଷ୍ଟ୍ରସଂଘ ଏବଂ ବ୍ରିଟେନ ୟୁକ୍ରେନ୍‌କୁ ‌ଏଥିପାଇଁ ଉତ୍ସାହିତ କରୁଛନ୍ତି ବୋଲି ପୁଟିନ କହିଛନ୍ତି।

ପୁଟିନ ଏବେ ୟୁକ୍ରେନର ଏକ ବିଶାଳ ଅଂଶକୁ ଦଖଲ କରିବା ପାଇଁ ଯୋଜନା କରିଛନ୍ତି। ହଙ୍ଗେରି ଆକାରର ଏକ ବିଶାଳ ଅଞ୍ଚଳକୁ ଦଖଲ କରି ତାହାକୁ ରୁଷ୍‌ରେ ସାମିଲ କରାଇବାକୁ ପୁଟିନ ଯୋଜନା ପ୍ରସ୍ତୁତ କରି ସାରିଛନ୍ତି। ପୁଟିନଙ୍କ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରୁଷ୍‌ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଅବତୀର୍ଣ୍ଣ ହେବ।

ସମ୍ବନ୍ଧିତ ଖବର