ଚନ୍ଦ୍ରଶେଖରପୁରରେ ବଢୁଛି ନିଶା କାରବାର: ମାଷ୍ଟରମାଇଣ୍ଡଙ୍କ ପାଖରେ ପହଞ୍ଚିପାରୁନି ପୁଲିସ

ପୁଲିସ ମିତ୍ରଙ୍କ କାର୍ଯ୍ୟକରିତା ନେଇ ଉଠୁଛି ପ୍ରଶ୍ନ

ଚନ୍ଦ୍ରଶେଖରପୁର: ନିଶାର ଭୟାବହତା ବିଷୟରେ କମିସନରେଟ୍ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଖଟି ଉପରେ ପ୍ରତିବନ୍ଧକ ଲଗାଇବାକୁ ବ୍ୟବସ୍ଥା ହେଉଛି। ମାତ୍ର କମିସନରେଟ୍‌ ପୁଲିସ ଅଧୀନ ଇନ୍‌ଫୋସିଟି ଜୋନ୍-୬ ଅଧୀନ ଇନ୍‌ଫୋସିଟି, ଚନ୍ଦ୍ରଶେଖରପୁର, ମୈତ୍ରୀବିହାର ଥାନା ଅଞ୍ଚଳରେ ନିଶା କାରବାର କମିବାର ନାଁ ଧରୁନି। ନିଶା କାରବାର ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳର ପଞ୍ଜିକରଣ ବସ୍ତିର ଯୁବକମାନଙ୍କୁ ପୁଲିସ୍ ମିତ୍ର ଦାୟିତ୍ବ ଦିଆଯାଇଛି। କିଛି ବସ୍ତିରେ ଅସାମାଜିକ କାର୍ଯ୍ୟକଳାପ ରୋକିବା ଓ ନିଶା କାରବାରକୁ ବନ୍ଦ କରିବାରେ ସେମାନେ ପ୍ରମୁଖ ଭୂମିକା ନେଉଛନ୍ତି ଅବଶ୍ୟ, ମାତ୍ର ଜୋନ୍-୬ ଅଧୀନ ବିଭିନ୍ନ ବସ୍ତିରେ ନିଶା ବ୍ୟବସାୟ କମିବା ବଦଳରେ ବଢ଼ିବାରେ ଲାଗିଛି। ଏହି ଅଞ୍ଚଳରେ ପୁଲିସ ମିତ୍ରଙ୍କ କାର୍ଯ୍ୟକଳାପ ସେତେଟା ଆଖିଦୃଶିଆ ହୋଇପାରୁ ନାହିଁ। ପରିଣାମ ସ୍ବରୂପ ନିଶା କାରବାର ବଢ଼ିଚାଲିଛି। ମାଷ୍ଟର ମାଇଣ୍ଡଙ୍କ ପାଖରେ ପହଞ୍ଚିପାରୁନି ପୁଲିସ। କେବଳ ଯାହା ଛୋଟ ବେପାରୀଙ୍କୁ ଧରି ଥାନା ଅଧିକାରୀମାନେ ବାହାବା ନେଉଛନ୍ତି। ଯେଉଁ ଛୋଟ ବ୍ୟବସାୟୀ ଧରାପଡ଼ୁଛନ୍ତି, ସେମାନଙ୍କ ଆଚରଣରେ ବି କୌଣସି ପରିବର୍ତ୍ତନ ହେଉନି। କାରଣ ଜେଲ୍‌ରୁ ଫେରିବା ପରେ ତାଙ୍କ ରିଂ-ଲିଡର୍‌ ପୁଣି ସେମାନଙ୍କୁ ମାଲ୍ ଯୋଗାଇ ଦେଉଛି ଓ ସେମାନେ ପୁଣି ନିଶା କାରବାରରେ ଲିପ୍ତ ରହୁଛନ୍ତି।

ଗତ ୪ ମାସ ମଧ୍ୟରେ ଇନ୍‌ଫୋସିଟି ଥାନା ପୁଲିସ୍ ଶିଖରଚଣ୍ଡି ବସ୍ତି, ଚୁନୁକୋଳି ବସ୍ତି, ଜଳିମୁଣ୍ଡା ବସ୍ତି ଓ ଚିରଗାଲଟୋଲା ବସ୍ତିରୁ ୧୦ରୁ ଅଧିକ ନିଶା ବ୍ୟବସାୟ ହେଉଥିବା ଆଡ୍ଡା ଚିହ୍ନଟ କରିଥିଲା। ସେଠାରେ ରାତିଅଧିଆ ଚଢ଼ାଉ କରି ପୁଲିସ ବଡ଼ ସଫଳତା ପାଇଥିଲେ ମଧ୍ୟ ବର୍ତମାନ ପୂର୍ବଭଳି ବ୍ୟବସାୟ ଚାଲିଛି। ଚନ୍ଦ୍ରଶେଖରପୁର ଥାନା ଅଧୀନ ପଣ୍ଡା ପାର୍କ ବସ୍ତି, ସରସ୍ବତୀ ବସ୍ତି, ପାହାଡ଼ ମୁଣ୍ଡିଆ ବସ୍ତି, ରିକ୍ସା ବସ୍ତି, ମଙ୍ଗଳା ବସ୍ତି, ଗଣପତି ମୁଣ୍ଡା ବସ୍ତି, ପଟିଆ ତଳପଡ଼ିଆ ବସ୍ତି, ନୀଳକଣ୍ଠ ବସ୍ତି, କନ୍ୟାଶ୍ରମ ବସ୍ତିରେ ଚଢ଼ାଉ କରି ଏକାଧିକ ନିଶା ପେଣ୍ଠସ୍ଥଳୀରୁ ଛୋଟ ବେପାରୀଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ତା’ର ପ୍ରଭାବ ବେଶୀ ଦିନ ରହିଲାନି। ଏପରିକି ଏହି ଅଞ୍ଚଳଗୁଡ଼ିକରେ ନିଶା ବେପାର ପୂର୍ବ ଅପେକ୍ଷା ବଢ଼ିଯାଇଛି। ମୈତ୍ରୀବିହାର ଥାନା କଥା ନ କହିବା ଭଲ। ଏହା ଅଧୀନ ସାଲିଆସାହିର ବିଭିନ୍ନ ଛୋଟ ବଡ଼ ସ୍ଥାନରେ ନିଶା କାରବାର ଛତୁ ଫୁଟିଲା ଭଳି ଚାଲିଛି। କମିସନରେଟ୍‌ ପୁଲିସ ପକ୍ଷରୁ କିଛି ମାସ ତଳେ ଚଢ଼ାଉ କରାଯାଉ ହାଣ୍ଡିଆ ବିକ୍ରି କରୁଥିବା ଲୋକଙ୍କ ସାମଗ୍ରୀ ନଷ୍ଟ ସହ ବେପାର ବନ୍ଦ କରି ଦେଇଥିଲେ। ମାତ୍ର ତାହା ବେଶୀଦିନ ରହିଲା ନାହିଁ। ଏବେ ସେଠାରେ ବେପାରୀମାନେ ପୁଣି ପସରା ମେଲି ଦେଲେଣି। ବସ୍ତି ଭିତରେ ପିସିଆର୍ ପ୍ରବେଶ କଷ୍ଟକର ହେଉଥିବାରୁ ଏଠାରେ ପୁଲିସର ଜୋରଦାର ଚଢ଼ଉ ‌ହୋଇପାରୁ ନାହିଁ।

ସାମାଜିକ କର୍ମୀ ନୃପେଶ କୁମାରଙ୍କ କହିବାନୁଯାୟୀ, ନିଶା କାରବାର ରୋକିବାକୁ ଥାନାର ବଡ଼ବାବୁମାନେ ସ୍ବତନ୍ତ୍ର ଦଳ ନେଇ ଚଢ଼ଉ କରୁଛନ୍ତି। ହେଲେ ତଳିଆ କର୍ମଚାରୀଙ୍କ ଜାଣତରେ ନିଶା ବିକ୍ରି ହେଉଥିବାରୁ ଚଢ଼ଉ ଆଗରୁ ସେମାନଙ୍କଠାରୁ ବ୍ୟବସାୟୀମାନେ ଖବର ପାଇ ଖସିଯିବାରେ ସକ୍ଷମ ହେଉଛନ୍ତି। ଚଢ଼ଉ ସମୟରେ ପୁଲିସ ହାତରେ କେବଳ ଦେଶୀ ମଦ, ହାଣ୍ଡିଆ, ମହୁଲି, ପୋଚ ଓ ତାଡ଼ି ବୋତଲ ଧରାପଡ଼ୁଛି। ମାତ୍ର ବେଆଇନ ବିଦେଶୀ ମଦ କାରବାରର ଟେର ପାଇପାରୁନି ପୁଲିସ। ସେହିପରି ଗଞ୍ଜେଇ ଓ ବ୍ରାଉନସୁଗାର ବ୍ୟବସାୟ କରୁଥିବା ମାଷ୍ଟରମାଇଣ୍ଡ ବ୍ୟବସାୟୀଙ୍କୁ ଧରିବାରେ ପୁଲିସ୍ ଏଯାବତ୍‌ ସେଭଳି ସଫଳତା ପାଇପାରି ନାହିଁ। ମୈତ୍ରୀ ବିହାର ଥାନା ଅଞ୍ଚଳରୁ ବାରମ୍ବାର ବ୍ରାଉନ୍‌ସୁଗାର ଧରାପଡ଼ିଥିଲେ ମଧ୍ୟ ସେଥିରେ ଆଜି ପର୍ଯ୍ୟନ୍ତ ରୋକ ଲାଗିପାରି ନାହିଁ। ‌ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନବହୁଳ ଇଲାକାକୁ ଟାର୍ଗେଟ୍ କରି ନିଶାର ଜାଲ ବିଛାଇଥିବା ମାଷ୍ଟରମାଇଣ୍ଡଙ୍କ ପାଖରେ ପହଞ୍ଚିପାରୁନି ପୁଲିସ। ତେଣୁ ସେଠାରେ ଖୋଲାଖୋଲି ଭାବେ କେଉଁଠି ସିଗାରେଟ୍‌ରେ ତ କେଉଁଠି ଚକୋଲେଟ୍ ପୁଡ଼ିଆରେ ଭଳିକି ଭଳି ନାମରେ ଧଳା ଜହର ବିକ୍ରି ହେଉଛି। କଡ଼ା ଆଭିମୁଖ୍ୟ ଗ୍ରହଣ କରା ନଗଲେ ଏହାକୁ ରୋକିବା ଅସମ୍ଭବ।

ସମ୍ବନ୍ଧିତ ଖବର