ବାଇକ୍‌ ଦେବା ନାଁରେ ଠକେଇ: ପୂର୍ବତନ ଗୃହରକ୍ଷୀ ଗିରଫ

ଭୁବନେଶ୍ବର: ବାଇକ୍‌ ଦେବା ନାଁରେ ୬୨ ହଜାର ଟଙ୍କା ଠକେଇ ଅଭିଯୋଗରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଜଣେ ପୂର୍ବତନ ଗୃହରକ୍ଷୀଙ୍କୁ ଗିରଫ କରିଛି। ସେ‌ ହେଲେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ବିଜୟ କୁମାର ପାଣ୍ଡି(୩୫)।

ସୂଚନା ମୁତାବକ, କିଛିଦିନ ତଳେ ପ୍ରମୋଦ କୁମାର ସାହୁ ଓ ନିର୍ମଳ ପୃଷେଠ ନାମକ ଦୁଇ ସାଙ୍ଗ ସେକେଣ୍ଡ ହ୍ୟାଣ୍ଡ ବାଇକ୍‌ କିଣିବା ପାଇଁ ସେମାନଙ୍କର ଜଣେ ବନ୍ଧୁଙ୍କୁ ଜଣାଇଥିଲେ। ହେଲେ ସେ ରାଜଧାନୀରେ ନୂଆ ତେଣୁ ତାଙ୍କର ବେଶୀ ଲୋକସମ୍ପର୍କ ନଥିବା କହିଥିଲେ। କିନ୍ତୁ ତାଙ୍କ ସାଙ୍ଗ ବିଜୟଙ୍କର ରାଜଧାନୀରେ ଭଲ ଲୋକସର୍ମ୍ପକ ଥିବା କହିଥିଲେ। ତେଣୁ ତାଙ୍କ ନମ୍ବର ଦେଇଥିଲେ। ପ୍ରମୋଦ ବିଜୟଙ୍କ ସହ ଯୋଗାଯୋଗ କରିଥିଲେ। ବିଜୟ ନିଜକୁ ଚନ୍ଦକା ଥାନାର ପିସିଆର ଡ୍ରାଇଭର ଭାବେ ପରିଚୟ ଦେଇଥିଲେ।

ପରଦିନ ବିଜୟ ବାଇକ୍‌ ଦେଖାଇବା ପାଇଁ ଉଭୟଙ୍କୁ ଆଚାର୍ଯ୍ୟବିହାର ଛକରେ ଥିବା ମା’ ଚର୍ଚ୍ଚିକା ସେକେଣ୍ଡ ହ୍ୟାଣ୍ଡ ମୋଟରସାଇକେଲ ଦୋକାନକୁ ଡାକିଥିଲେ। ଉଭୟ ସେଠାରେ ପହଞ୍ଚି ବିଜୟଙ୍କୁ ନପାଇବାରୁ ଫୋନ୍‌ କରିଥିଲେ। ହେଲେ ସେ ଏକ ରେଡ୍‌ରେ ଯାଇଥିବା କହିଥିଲେ। ତେଣୁ ସେମାନଙ୍କୁ ହ୍ବାଟ୍‌ସଆପ୍‌ ମାଧ୍ୟମରେ ୨ଟି ବାଇକ୍‌ ଫଟୋ ପଠାଇଥିଲେ। ବାଇକ୍‌ ଦୁଇଟି ପାଇଁ ବୁକିଂ ଟଙ୍କା ପଠାଇବାକୁ କହିଥିଲେ। ବିଜୟଙ୍କ କହିବା ମୁତାବକ ଉଭୟ ଫୋନ୍‌-ପେ ମାଧ୍ୟମରେ ପ୍ରଥମେ ୫୦୦୦ ଟଙ୍କା ଏବଂ ଗୁଗଲ୍‌-ପେ’ରେ ୫୭୦୦୦ ଟଙ୍କା ପଠାଇଥିଲେ। ଟଙ୍କା ପାଇବା ପରେ ବାଇକ୍‌ ଦେବା ତ ଦୂରର କଥା ଓଲଟା ତାଙ୍କୁ ନାଲିଆଖି ଦେଖାଇଥିଲେ। ଉଭୟ ଠକାମିର ଶିକାର ହୋଇଥିବା ନେଇ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ପରେ ପୁଲିସ ଆଜି ବିଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର