ଶିଶିର ସରସ ମେଳା ଉଦ୍‌ଯାପିତ: ଗୃହିଣୀଙ୍କ ପସନ୍ଦ ଝାଡୁ ଓ ମସଲା

ଚକଲେଟ୍‌ ଓ ଓରିଓ ସିଙ୍ଗଡ଼ା ପାଇଁ ଗହଳି

ଭୁବନେଶ୍ୱର: ଓରମାସ ପକ୍ଷରୁ ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ ଆୟୋଜିତ ଶିଶିର ସରସ ମେଳା ଉଦ୍‌ଯାପିତ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଓରମାସ୍‌ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର, ପାନୀୟ ଜଳ ଓ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଶୁଶିଲ କୁମାର ଲୋହାନୀ ପ୍ରମୁଖ ଯୋଗ ଦେଇଥିଲେ। ଚଳିତ ବର୍ଷ ମେଳାରେ ୧୪ କୋଟି ୩୫ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି। ମକର ସଂକ୍ରାନ୍ତି ପାଇଁ ଛୁଟି ଥିବାରୁ ମେଳାରେ ପ୍ରବଳ ଭିଡ଼ ହୋଇଥିଲା। ଆକର୍ଷଣ ପାଲଟିଥିଲା କଦଳୀ ମଞ୍ଜାରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ। ଜୟଦେବ ବାନାନା ଫାଇବର ଆସୋସିଏସନ ପକ୍ଷରୁ କଦଳୀ ମଞ୍ଜାରୁ ତିଆରି ବଡ଼ି, ପାମ୍ପଡ, ବିଭିନ୍ନ ଆଚାର, ଜୁସ୍‌ ଆଦି ‌ଲୋକେ ପସନ୍ଦ କରିଥିଲେ। କଦଳୀ ଫାଇବରରୁ ପ୍ରସ୍ତୁତ ମସିଣା, ବ୍ୟାଗ, ଝୁଡ଼ି କିଣିବାକୁ ଲୋକ ଭିଡ଼ ଜମିଥିଲା।

ଗୃହିଣୀଙ୍କ ପସନ୍ଦ ଝାଡୁ ଓ ମସଲା
ଶେ‌ଷ ଦିନରେ ଗୃହିଣୀ ଝାଡୁ ଓ ମସଲା କିଣିବାରେ ବେଶ୍‌ ଆଗ୍ରହ ଦେଖାଇଥିଲେ। ସବୁଠାରୁ ଅଧିକ ଫୁଲଝାଡୁ ବିକ୍ରି ହୋଇଥିଲା। କଟକରୁ ଆସିଥିବା ବ୍ୟବସାୟୀ ମମତା ପତି କହିଛନ୍ତି, ଷ୍ଟିଲ୍‌ ହ୍ୟା‌ଣ୍ଡେଲ, ପ୍ଲାଷ୍ଟିକ ହ୍ୟାଣ୍ଡେଲ ଓ ତିନିମୁହାଁ ଝାଡୁ ଇତ୍ୟାଦି ୩ ପ୍ରକାରର ଝାଡୁ ଉପଲବ୍ଧ ହେଉଥିଲା। ୩୦ ଟଙ୍କାରୁ ଆରମ୍ଭ ହୋଇ ଏହାର ଦର ୮୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା। ସେହିପରି ରାୟଗଡାର ଡାଲମା ମସଲା, ଗରମ ମସଲା, ଡାଲଚିନି, ସୋରିଷ, ରାଶି ଆଦି ପାଇଁ ମଧ୍ୟ ଭିଡ଼ ହୋଇଥିଲା।

ଚକଲେଟ୍‌ ଓ ଓରିଓ ସିଙ୍ଗଡ଼ା ପାଇଁ ଗହଳି
ଚକଲେଟ ଓ ଓରିଓ ସିଙ୍ଗଡ଼ା ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ମେଳାରେ ଏହି ସ୍ୱତନ୍ତ୍ର ସିଙ୍ଗଡ଼ା ଉପଲବ୍ଧ ହୋଇଥିଲା। ଚକଲେଟ୍‌ ସିଙ୍ଗଡ଼ାର ଦାମ ୩୦ ଟଙ୍କା ହୋଇଥିବା ବେଳେ ଓରିଓ ସିଙ୍ଗଡ଼ାର ଦାମ ୬୦ ଟଙ୍କା ରହିଥିଲା। ଏହାବ୍ୟତୀତ ଭେଜ ପିଜା ସିଙ୍ଗଡା, ଚିଲି ଚିକେନ ସିଙ୍ଗଡ଼ା, ଚିଲି ମାଛ ସିଙ୍ଗଡ଼ା, ମଟନ ସିଙ୍ଗଡ଼ା ପରି ୨୨ ପ୍ରକାର ସିଙ୍ଗଡ଼ା ବିକ୍ରି ହୋଇଥିଲା।

ସମ୍ବନ୍ଧିତ ଖବର