ଓଡ଼ିଶା ରାଜସ୍ୱ ଅମଲା ସଂଘର ଶୋଭାଯାତ୍ରା

ଭୁବନେଶ୍ୱର : ୪ଦଫା ଦାବିରେ ଓଡ଼ିଶା ରାଜସ୍ୱ ଆମଲା ସଂଘ ପକ୍ଷରୁ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସାଧାରଣ ସମ୍ପାଦକ ନରେନ୍ଦ୍ର ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ସଂଘର ଶତାଧିକ କର୍ମକର୍ତ୍ତା ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଆୟୋଜିତ ଏକ ସଭାରେ ସଂଘ ପକ୍ଷରୁ ଦାବି କରାଯାଇଥିଲା, ଜିଲ୍ଲାସ୍ତରରେ ଅମଲାଙ୍କ କିରାଣୀ ପଦକୁ ବଦଳାଇ ପୁନର୍ଗଠିତ ସ୍ୱତନ୍ତ୍ର ପାହ୍ୟା ଲାଗୁ କରାଯାଉ। ବେତନକୁ ୯୩୦୦ ଗ୍ରେଡ୍‌ ପେ’ କରିବା ସହ ପଦକ୍ରମ ବେତନ ୪୨୦୦ କରାଯାଉ। ରାଜସ୍ୱ ସେବାର ପଦୋନ୍ନତିରେ ୭୫ ପ୍ରତିଶତ ପଦ ରାଜସ୍ୱ ଅମଲାଙ୍କ ପାଇଁ ସ୍ଥାନ ସଂରକ୍ଷିତ ରଖାଯାଉ। ସେହିପରି ଚୁକ୍ତିଭିତ୍ତିକ ନିଯୁକ୍ତି ଅଧିସୂଚନା ଉଚ୍ଛେଦ କରିବାକୁ ସଂଘ ଦାବି କରିଛି। ସରକାର ଏଥର ଲିଖିତ ପ୍ରତିଶ୍ରୁତି ଦେବାକୁ ସଂଘ ଦାବି କରିଛି। ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ଚେନାବନୀ ଦେଇଛି। ସୂଚନାଯୋଗ୍ୟ, ରାଜସ୍ୱ ଅମଲା ଗତ ମେ’ ୧ ତାରିଖରୁ ସମୂହ ଛୁଟି ନେଇ ଅସହଯୋଗ ଆନ୍ଦୋଳନ ଚଳାଇଛନ୍ତି।

ସମ୍ବନ୍ଧିତ ଖବର