୨୩ରୁ ପାହାଳ ମିଠା ମହଙ୍ଗା; ୨୦ ଟଙ୍କିଆ ମିଠାକୁ ୨୫, ଛେନାପୋଡ଼ କେଜି ୨୮୦

ବାଲିଅନ୍ତା ବଜାର : ମହଙ୍ଗା ହେବ ପାହାଳ ମିଠା। ୫ ଟଙ୍କିଆ ମିଠା ୬ ଟଙ୍କାରେ, ୧୦ ଟଙ୍କିଆ ମିଠା ୧୨ ଟଙ୍କାରେ, ୨୦ ଟଙ୍କିଆ ମିଠା ୨୫ ଟଙ୍କାରେ, ଛେନାଗଜା କେଜି ପିଛା ୨୨୦ ଟଙ୍କା, ଛେନାପୋଡ଼ କେଜି ପିଛା ୨୮୦ ଟଙ୍କାରେ ବିକ୍ରି ହେବ। ଓମ୍‌ଫେଡ୍‌ କ୍ଷୀରର ଦାମ ଲିଟର ପିଛା ୪ ଟଙ୍କା ଓ ଛେନା ଦରରେ ଅହେତୁକ ବୃଦ୍ଧି ପାଇଁ ଏପରି ନିଷ୍ପତ୍ତି ନେଇଛି ପାହାଳ ମିଠା ବ୍ୟବସାୟୀ ସଂଘ। ଆସନ୍ତା ୨୩ ତାରିଖ (ମଙ୍ଗଳବାର)ଠାରୁ ଏହି ଦରବୃଦ୍ଧି ଲାଗୁ ହେବ।

fooddrifter.in

ପାହାଳ ବଜାରରେ ଥିବା ୭୦ରୁ ଊର୍ଦ୍ଧ୍ବ ମିଠା ଦୋକାନକୁ ମଦନ ମୋହନ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ଦୈନିକ ପ୍ରାୟ ୪ ଟନ୍‌ରୁ ଊର୍ଦ୍ଧ୍ବ ଛେନା ଯୋଗାଇଥାଏ। ଏହି ଛେନାରୁ ପ୍ରସ୍ତୁତ ମିଠା ଏଠାରେ ବିକ୍ରିବଟା ହେବା ସହ ରାଜ୍ୟର ୨୦ରୁ ଊର୍ଦ୍ଧ୍ବ ସହରକୁ ଯାଇଥାଏ। ସ୍ବତନ୍ତ୍ର ଚାହିଦା ଥିବାରୁ ବିବାହ, ବ୍ରତ ଭଳି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ପାହାଳ ମିଠା ଖୋଜା ପଡ଼େ। କିନ୍ତୁ ଆସନ୍ତା ୨୩ ତାରିଖରୁ କେଜି ପିଛା ଛେନା ଦର ୨୦ ଟଙ୍କା ବୃଦ୍ଧି ପାଇବାକୁ ଥିବାରୁ ମିଠା ଦର ବୃଦ୍ଧି କରିବାକୁ ବ୍ୟବସାୟୀ ସଂଘ ବାଧ୍ୟ ହୋଇଛି।

ଏନେଇ ସଂଘ ସଭାପତି ଅକ୍ଷୟ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଶ୍ରୀଶ୍ରୀରାଧାବଲ୍ଲଭ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବସମ୍ମତିକ୍ରମେ ଦରବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯିବା ସହ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଶରତ ବେହେରା, କାର୍ତ୍ତିକ ବେହେରା, ଲୋକନାଥ ସାହୁ, ପବନୀ ସାହୁ, ଦୁଃଖୀଶ୍ୟାମ ସାହୁ, ଚିତ୍ତରଞ୍ଜନ ବେହେରା, ରାଜକିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର