ବିକାଶ ଏଠି ଅପହଞ୍ଚ: ଲୋପ ପାଇଯିବେ ମୁଣ୍ଡା ଆଦିବାସୀ!

ଥିଲେ ୫୦୦୦ ଏବେ ଅଛନ୍ତି ମାତ୍ର ୨୦୦୦

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ୧୫ଟି ପଞ୍ଚାୟତକୁ ନେଇ ଗଠିତ ଉପାନ୍ତ ବ୍ଲକ କୋଇଡା। ଚିରସବୁଜିମା ଓ ପ୍ରକୃତିର ଗନ୍ତାଘର କୋଇଡା ବ୍ଲକର ପ୍ରାୟ ୬୦% ମୁଣ୍ଡା ଜନଜାତି। କାଲ୍‌ଟା, ଜାମୁଡିହି, ରେଙ୍ଗୁଳା, ଟେନ୍‌ସା, ସୋଏମ୍ଭା, ମାଲ୍‌ଦା, ରେହ୍ଲାତୁ, ବିମଳାଗଡ, କୋଇଡା, ପାଟମୁଣ୍ଡା, ସାକିରା ଆଦି ପଞ୍ଚାୟତରେ ଅଧିକାଂଶ ହେଉଛି ମୁଣ୍ଡା ସମ୍ପ୍ରଦାୟର। ବ୍ଲକର ଚତୁଃପାର୍ଶ୍ବରେ ବସ୍ତି, ପଡା, ଗ୍ରାମରେ ପରିବାର ସହ ରହୁଛନ୍ତି। ପେଶା ହେଉଛି ଖଣି ଶ୍ରମିକ। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଝାଳବୁହା ପରିଶ୍ରମ କଳେ ଚାଲେ ଏମାନଙ୍କର ତେଲ ଲୁଣର ସଂସାର। ଏମାନଙ୍କ କଠିନ ପରିଶ୍ରମରେ କୋଟି କୋଟି ଟଙ୍କାର ରାଜସ୍ଵ ରାଜ୍ୟ, କେନ୍ଦ୍ର ସରକାରଙ୍କ ରାଜକୋଷକୁ ଯାଏ। ଏହି ମାଟି କେତେନି କେତେ ସାଧାରଣ ମଣିଷକୁ ସାହେବ କରିଛି। କେବଳ ଏତିକି ନୁହେଁ , ଦୁଇ ଦୁଇ ଥର ଦେଶକୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଦେବାରେ ରହିଛି ଏମାନଙ୍କ ସହଭାଗୀ। ଦେଶକୁ ବିକାଶର ସ୍ବାଦ ଚଖାଉଥିବା ଏହି ବ୍ଲକ ଏବେ ଶ୍ରୀହୀନ। ଏଠି ଗରିବ ଆହୁରି ଗରିବ ହେଉଛି। ମୁଣ୍ଡା ଆଦିବାସୀର ବିକାଶକୁ ଭୁଲି ଯାଇଛି ଜିଲ୍ଲା ପ୍ରଶାସନ। ଏହି ନିରୀହ ମୁଣ୍ଡା ଆଦିବାସୀଙ୍କ ଫାଇଦା ଉଠାଉଛନ୍ତି ଖଣି ମାଲିକ। ରାଜ୍ୟ ଓ ଦେଶର ରାଜକୋଷକୁ କୋଟି କୋଟି ଟଙ୍କାର ରାଜସ୍ବ ଯାଉଛି, ସେହି ଜାତି ଦେଖି ପାରିଲାନି ବିକାଶ। ସରକାରଙ୍କ ଯୋଜନା ଏମାନଙ୍କ ପାଇଁ ମଧ୍ୟ ଅପହଞ୍ଚ।

ଏମାନଙ୍କ ଉତ୍‌ଥାନ ପାଇଁ ରହିଛି ସ୍ବତନ୍ତ୍ର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା। ବିଭିନ୍ନ ବିଭାଗକୁ କୋଟି କୋଟି ଟଙ୍କା ଆସୁଛି। ହେଲେ ବାସ୍ତବରେ ଏହାର ସୁଫଳ ଏମାନଙ୍କୁ ମିଳୁନି। ବିଭାଗୀୟ ଅଧିକାରୀମାନେ କେବଳ କାଜଗଜପତ୍ରରେ ବିକାଶ ଦର୍ଶାଇ କୋଟି କୋଟି ଟଙ୍କା ହରିଲୁଟ୍‌ କରି ଦେଉଛନ୍ତି। ଫଳସ୍ବରୂପ ବିଗତ କିଛି ବର୍ଷ ଧରି ପେଟପାଟଣା ପାଇଁ ଖଣି ଅଞ୍ଚଳ ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଛନ୍ତି। ବହୁ ପରିବାର ପୁରୁଷ ଶୁନ୍ୟ। ବହୁ ଦାଦନ ଖଟିବାକୁ ଯାଇ ନିଖୋଜ।

ଚାରି ଦଶନ୍ଧି ଧରି ଏହି ଅଞ୍ଚଳରେ ମୂଳବାସିନ୍ଦା ସଂଖ୍ୟା ଥିଲା ୫ହଜାରରୁ ଅଧିକ। ଏବେ ଏହି ସଂଖ୍ୟା ପହଞ୍ଚି ପ୍ରାୟ ୨ ହଜାର‌ରେ। ଯେଉଁ କିଛି ପରିବାର ଅଛନ୍ତି ସେମାନେ ଦୈନିକ ପେଟକୁ ଦାନା ମୁଠାଏ ଯୋଗାଡ ପାଇଁ ହେଉଛନ୍ତି ବାରଦୁଆର ଶୁ୍ଣ୍ଢିପିଣ୍ଡା। ବ୍ଲକ ଠାରୁ ମାତ୍ର ୧୦ରୁ ୧୫ କି.ମି. ପରିଧୀ ମଧ୍ୟରେ ରହୁଥିବା ନୀରିହ ଆଦିବାସୀଙ୍କ ଦୁଃଖ ଯେମିତି ସମସ୍ତେ ପାସୋରି ଯାଇଛନ୍ତି। ବିକାଶ ନାଁରେ ଛିଡା କରିଛନ୍ତି ପ୍ରତିଶ୍ରୁତିର ପାହାଡ। ସବୁ ଯୋଜନା ଯେମିତି ଏମାନଙ୍କ ପାଇଁ ବାଟବଣା ହୋଇଯାଇଛି। ଆଦିବାସୀ ବିଧାୟକ, ମନ୍ତ୍ରୀ ଏମାନଙ୍କ ସମସ୍ୟାକୁ ଭୁଲି ଯାଇଛନ୍ତି। ଯଦି ଏମାନଙ୍କ ବିକାଶକୁ ଏମିତି ଅଣଦେଖା କରାଯାଏ, ନିକଟ ଭବିଷ୍ୟତରେ ସୁନ୍ଦରଗଡ଼ ଜିଲ୍ଲାର ମୁଣ୍ଡା ଆଦିବାସୀ ନିଶ୍ଚିତ ଭାବେ ଲୋପ ପାଇଯିବେ ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର