ଅତାବିରା ଓ ହିନ୍ଦୋଳ ଏନ୍‌ଏସି ମାମଲାରେ ନିର୍ବାଚନ କମିସନଙ୍କୁ ନୋଟିସ୍‌

ପରବର୍ତ୍ତୀ ଶୁଣାଣି ୧୫ରେ

କଟକ : ଅତାବିରା ଓ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ର ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରସଂଗରେ ଆଇନ ଉଲ୍ଲଘଂନ ହୋଇଥିବା ଦର୍ଶାଇ ରୁଜୁ ଦୁଇ ପୃଥକ ମାମଲାର ଶୁଣାଣି କରି ହାଇକୋର୍ଟ ଆଜି ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିସନଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଅତାବିରା ଏନଏସି ୱାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣକୁ ନେଇ ଜିଲାପାଳଙ୍କ ପକ୍ଷରୁ ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତିକୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ସିଦ୍ଧାର୍ଥ ଶଙ୍କର ପଣ୍ଡା ଚାଲେଞ୍ଜ କରି ଗୋଟିଏ ମାମଲା ରୁଜୁ କରିଥିବା ବେଳେ ସମାନ ଅଭିଯୋଗ ନେଇ ହିନ୍ଦୋଳ ଏନଏସି ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସମାନ ଆଇନଗତ ପ୍ରସଂଗକୁ ନେଇ ବିଚାରାଧୀନ ନୂଆପଡା ଏନଏସି ମାମଲା ସହିତ ଅତାବିରା ଓ ହିନ୍ଦୋଳ ଏନଏସି ସଂପର୍କିତ ମାମଲା ଦୁଇଟିର ଏକତ୍ର ଶୁଣାଣି ହେବ ବୋଲି ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ତିନିଟି ଯାକ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୫ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଓ ନିର୍ବାଚନ କମିସନଙ୍କ ତରଫରୁ ବିଜୟ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଗତ ୬ ତାରିଖରେ ନୂଆପଡା, ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ଏପ୍ରିଲ ମାସରେ କରିବା ନେଇ ଘୋଷଣା କରାଯାଇଥିଲା। ପୁରୁଣା ନିୟମ ଅନୁସାରେ ଏହି ସବୁ ଏନଏସିରେ ଓ୍ଵାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ କରାଯାଇଥିବା ବେଳେ ରାଜ୍ୟ ସରକାର ୨୦୧୮, ଜାନୁଆରି ୧୦ରେ ଆଇନରେ ସଂଶୋଧନ ଆଣିଥିଲେ। ସଂଶୋଧିତ ଆଇନ ଅନୁସାରେ ଏହି ସବୁ ଏନଏସିରେ ଓ୍ଵାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ କରାଯିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର