ଖଣ୍ଡଗିରି: ସୋମବାର ଅପରାହ୍ଣ ପ୍ରାୟ ୨ଟା ସମୟରେ ରାଜମହଲ ଓଭରବ୍ରିଜ୍ ଉପରେ ଦୁଇ ଜଣ ବାଇକ୍ ଆରୋହୀ ଦୁର୍ବୃତ୍ତ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଛନ୍ତି। ଲୁଟ୍ର ଶିକାର ହୋଇଥିବା ମହିଳା ହେଲେ ଖଣ୍ଡଗିରି ଥାନା ସିଜୁଆ ଅଞ୍ଚଳର ବେବିନା ଗୁମାନସିଂହ(୪୮)। ସୂଚନାନୁସାରେ ବେବିନା ଓ ତାଙ୍କ ଝିଅ କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ସେମାନେ ୟୁନିଟ୍-୨ ପେଟ୍ରୋଲ ପମ୍ପରେ ସ୍କୁଟିରେ ପେଟ୍ରୋଲ ପକାଇ କଳ୍ପନା ଛକ ଆଡ଼କୁ ଯାଉଥିଲେ। ସେମାନେ ରାଜମହଲ ଓଭରବ୍ରିଜ୍ ଉପରେ ଯାଉଥିବାବେଳେ ସେମାନଙ୍କୁ ପିଛା କରୁଥିବା ଦୁଇ ବାଇକ୍ ଆରୋହୀ ହଠାତ୍ ପଛରୁ ବେବିନାଙ୍କ ବେକରୁ ସୁନା ଚେନ୍ ଟାଣିଥିଲେ। ମାତ୍ର ବେବିନା ଜାଣିପାରି ଚେନ୍କୁ ଜାବୁଡ଼ି ଧରି ପକାଇବାରୁ ସେମାନେ ସ୍କୁଟିକୁ ଠେଲି ଦେଇଥିଲେ। ଫଳରେ ମା ଝିଅ ତଳେ ପଡ଼ି ଯାଇଥିଲେ। ଏହି ମଉକାରେ ଦୁର୍ବୃତ୍ତମାନେ ଚେନ୍ ଝାମ୍ପିନେଇ କଳ୍ପନା ଛକ ଆଡ଼କୁ ଚମ୍ପଟ ମାରିଥିଲେ। ତଳେ ପଡ଼ି ମା ଝିଅ ଆହତ ହୋଇଥିଲେ। ବେବିନାଙ୍କ ମୁଣ୍ଡ ଫାଟି ଯାଇଥିଲା। ଖବର ପାଇ ବେବିନାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ଭୁବନେଶ୍ୱର ଏମ୍ସରେ ଚିକିତ୍ସା କରାଇଥିଲେ।