ପ୍ରତ୍ୟହ ଜାତୀୟ ସଂଗୀତ ଗାଉଥିବା ଗାଁ

ଏକ ମାଓ ଅଧ୍ୟୁଷିତ ଗାଁର ପରିଚୟରୁ ମୁକ୍ତି ପାଇବା ଲାଗି ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲା ଅନ୍ତର୍ଗତ ମୁଲଚେରା ଗାଁର ଲୋକେ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ରାଜଧାନୀ ମୁମ୍ବାଇ ସହର ଠାରୁ ୯୦୦ କି.ମି. ଦୂରରେ ଅବସ୍ଥିତ ୨,୫୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁର ଲୋକେ ପ୍ରତ୍ୟହ ସକାଳ ୮ଟା ୪୫ ମିନିଟ୍‌ରେ ଜାତୀୟ ସଂଗୀତ ଗାନ ପୂର୍ବକ ଦୈନନ୍ଦିନ ଜୀବନ ଆରମ୍ଭ କରିଆସୁଛନ୍ତି। ଗତ ସ୍ବାଧୀନତା ଦିବସ ପରଠାରୁ ଆରମ୍ଭ ହୋଇଥିବା ଗ୍ରାମବାସୀଙ୍କର ଏହି ପଦକ୍ଷେପ ସମସ୍ତଙ୍କ ମନରେ ଦେଶପ୍ରେମ ଭାବ ଜାଗ୍ରତ କରୁଛି ବୋଲି ଗଡ଼ଚିରୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି।

ଏପରି ଜାତୀୟ ସଂଗୀତ ପରିବେଷଣ କରିବାରେ ଏହା ମହାରାଷ୍ଟ୍ରର ଦ୍ବିତୀୟ ଗାଁ ତଥା ଦେଶର ତୃତୀୟ ଗାଁର ମାନ୍ୟତା ବହନ କରୁଛି। ପୂର୍ବରୁ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ଅନ୍ତର୍ଗତ ଭିଲଵାଡ଼ି ଗାଁ ଓ ତେଲେଙ୍ଗାନାର ନାଲଗୋଣ୍ଡାରେ ଅନୁରୂପ ଅଭ୍ୟାସ ଦେଖିବାକୁ ମିଳିଛି। ଠିକ୍‌ ସକାଳ ୮ଟା ୪୫ ହେବା ମାତ୍ରେ ସ୍ଥାନୀୟ ପୁଲିସ ପକ୍ଷରୁ ମାଇକ୍‌ ଯୋଗେ ଜାତୀୟ ସଂଗୀତ ପରିବେଷଣ କରାଯାଏ। ଏତିକି ବେଳେ ଗ୍ରାମବାସୀଙ୍କ ସମେତ ପଥଚାରୀ, ଆଗନ୍ତୁକ, ଦୋକାନୀ ଓ ବ୍ୟବସାୟୀ- ଯିଏ ଯେଉଁ ଅବସ୍ଥାରେ ଥିଲେ ବି ଏଥିରେ ସ୍ଥିର ହୋଇ ଯୋଗଦେଇଥା’ନ୍ତି। ଏପରିକି ସେ ସମୟରେ ମୁଲଚେରା ଦେଇ ଯାଉଥିବା ଦୁଇଟି ଯାତ୍ରୀବାହୀ ବସ୍‌ ମଧ୍ୟ ସେଠାରେ ଅଟକି ଜାତୀୟ ସଂଗୀତକୁ ସମ୍ମାନ ଜଣାଇଥା’ନ୍ତି। ଏହାକୁ ଅନୁସରଣ କରି ଆଖପାଖ ଗାଁରେ ମଧ୍ୟ ଅନୁରୂପ ଅଭ୍ୟାସ ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର