ପିଣ୍ତ-ବ୍ରହ୍ମାଣ୍ତ: କୃଷ୍ଣାବତାର-୧୧

ପରିଶେଷରେ ନିୟତି ଯେଉଁଥିପାଇଁ କୃଷ୍ଣଙ୍କୁ ଅବତରିତ ହେବାପାଇଁ ସୁଯୋଗ ପ୍ରଦାନ କରିଥିଲା, ତାହାହିଁ ଘଟେ। କୃଷ୍ଣ ଓ କଂସ ପ୍ରଥମ ଥର ପାଇଁ ସାମନା ସାମନି ହୁଅନ୍ତି। କଂସ ସେତେବେଳେ କୃଷ୍ଣଙ୍କ ଭୟ ତଥା ନିଜ ଅବଶ୍ୟମ୍ଭାବୀ ଭୟରେ ଭୀତତ୍ରସ୍ତ। ଉଚ୍ଚ ମଞ୍ଚ ଉପରେ, ସିଂହାସନରେ ଆସୀନ ହୋଇଥିଲେ ବି, ନିଜ ବିଲୟର ଆଶଙ୍କାରେ ସେ ଥରହର। ନିଜେ ନିଜେ ମଞ୍ଚରୁ ଖସିପଡ଼େ କଂସ। କୃଷ୍ଣ ତା’କୁ ଘୋଷାରି ନେଇ ହତ୍ୟା କରନ୍ତି। ସମସ୍ତ ମଥୁରାବାସୀ ଆନନ୍ଦରେ କୃଷ୍ଣଙ୍କର ଜୟଗାନ କରନ୍ତି। କୃଷ୍ଣଙ୍କୁ ନିଜର ତ୍ରାଣକର୍ତ୍ତା ଭାବେ ଗ୍ରହଣ କରନ୍ତି। ସାଧନାରତ ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ କ୍ଷେତ୍ରରେ ଠିକ୍ ସେହି କଥା ହିଁ ଘଟେ।

କୃଷ୍ଣରୂପୀ ପୂର୍ଣ୍ଣତାର ଚେତନାର ଆଭାସ ଦିନେ ନା ଦିନେ ମୋକ୍ଷକାମନାରୂପୀ କଂସର ବିନାଶର କାରଣ ହେବ। ଏହାକୁ ଅନୁଭବ କରିବା ସହ ଭୟ ଓ ଆଶଙ୍କାରେ ଜର୍ଜରିତ ହୋଇଯାଏ ସାଧକଙ୍କ ମଧ୍ୟରେ ରାଜୁତି କରୁଥିବା ମୋକ୍ଷକାମନା। ଦିନେ ଗଭୀର ଧ୍ୟାନ ଅବସ୍ଥାରେ, କୃଷ୍ଣରୂପୀ ଅନନ୍ତ ପୂର୍ଣ୍ଣତାର ଚେତନାର ଆଭାସ ଓ ମୋକ୍ଷକାମନାରୂପୀ କଂସ ମୁହାଁମୁହିଁ ହୁଅନ୍ତି। ସମସ୍ତ ମଥୁରାବାସୀ ବା ଶରୀରର ସମସ୍ତ କୋଷିକା ଅପେକ୍ଷା କରନ୍ତି ଦେଖିବାକୁ, କ’ଣ ଘଟିବ? ସମସ୍ତେ ଜାଣନ୍ତି, ଏହି ଦୁଇଙ୍କ ମଧ୍ୟରୁ ଜଣେ ହିଁ ବଞ୍ଚିବ, ଅନ୍ୟ ଜଣକ ନାଶ ହେବ। ଅନନ୍ତ ପୂର୍ଣ୍ଣତାର ଚେତନାର ଆଭାସ ଆଗରେ କଂସ ନିଜର ସ୍ଥିତି ଓ ଭାରସାମ୍ୟ ହରାଇ ବସେ। ସେ ଆଜିଯାଏ ସାଧକଙ୍କ ମସ୍ତିଷ୍କ ଓ ମନର ଉଚ୍ଚତମ ସ୍ଥାନରେ ବିରାଜମାନ କରୁଥିଲା। ମୋକ୍ଷକାମନାରୂପୀ କଂସ ନିଜର ପ୍ରଭାବ ଓ କର୍ତ୍ତୃତ୍ୱ ହରାଇ ସେଠାରୁ ଖସିପଡ଼େ। ସାଧକଙ୍କ ପାଖରେ ମୋକ୍ଷକାମନା ନିଜର ପ୍ରଭାବ ହରାଇ ବସେ। ଠିକ୍ ଏହି ସମୟରେ ପୂର୍ଣ୍ଣତାର ଚେତନାର ଆଭାସ ହାତରେ ନିହତ ହୁଏ ଏହି ମୋକ୍ଷକାମନାରୂପୀ କଂସ। ସାଧକଙ୍କ ଦେହର ସମସ୍ତ କୋଷିକାରେ ଅନୁଭୂତ ହୁଏ ଅନନ୍ତ ପୂର୍ଣ୍ଣତା ପ୍ରାପ୍ତିର ସମ୍ଭାବନା।
ମୋକ୍ଷକାମନାରୂପୀ କଂସର ବିଲୟରେ ଶେଷହୁଏନାହିଁ କୃଷ୍ଣଙ୍କ ଲୀଳା। କଂସରୂପୀ ଅଧର୍ମର ବିନାଶ ପରେ ଧର୍ମ ସଂସ୍ଥାପନ ପାଇଁ ଜାରି ରହେ କୃଷ୍ଣରୂପୀ ଅନନ୍ତପୂର୍ଣ୍ଣତାର ଆଭାସର ଲୀଳାଖେଳା। ଅର୍ଥାତ୍ ସାଧକଙ୍କ ସାଧନା ଆଗକୁ ମାଡ଼ିଚାଲେ। ଏଠାରେ ମନେ ରଖିବା ଉଚିତ, ପାର୍ଥକ୍ୟହୀନ ଏକାତ୍ମତା ହିଁ ଅନନ୍ତ ବ୍ରହ୍ମାଣ୍ଡର ଏକମାତ୍ର ଅନ୍ତର୍ନିହିତ ଧର୍ମ। ପାର୍ଥକ୍ୟରୂପୀ ବିଭିନ୍ନତାର ଦର୍ଶନ ହିଁ ପ୍ରକୃତ ଅଧର୍ମ। ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ମଧ୍ୟରେ ଏହାପରେ ଧର୍ମସଂସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଯାଏ।

ସମ୍ବନ୍ଧିତ ଖବର