ପ୍ରଭାସପାତନ ତ୍ରିବେଣୀ

ପ୍ରାଚୀନ କାଳରୁ ପ୍ରଭାସ ଏକ ମହାନ ତୀର୍ଥର ମର୍ଯ୍ୟାଦା ଲାଭ କରିଆସିଛି। ପ୍ରଭାସ ମଧ୍ୟ ତ୍ରିବେଣୀ ସଂଗମ ଭାବରେ ବିଖ୍ୟାତ। ସାଧାରଣତଃ ଭାରତରେ ପ୍ରାୟ ଦୁଇଶହରୁ ଅଧିକ ନଦୀ ପ୍ରବାହିତ। ସେମାନେ ପ୍ରାୟ ଉତ୍ତର ଓ ପଶ୍ଚିମ ପର୍ବତମାଳାରୁ ନିସୃତ ହୋଇ ଦକ୍ଷିଣ ସମୁଦ୍ରରେ ସଂଗମ କରିଛନ୍ତି। ତେଣୁ ପ୍ରାୟ ଦକ୍ଷିଣ ସମୁଦ୍ରାଭିମୁଖୀ ନଦୀମାନେ ତ୍ରିବେଣୀ ସୃଷ୍ଟି କରିଥାଆନ୍ତି। କିନ୍ତୁ ପ୍ରଭାସ ଏକମାତ୍ର ସ୍ଥାନ ଯେଉଁଠି ପଶ୍ଚିମବାହୀ ସରସ୍ୱତୀ, କପିଳା ଓ ହିରଣ୍ୟ ନଦୀ ଏକତ୍ର ହୋଇ ଏକ ତ୍ରିବେଣୀ ସଂଗମ ରଚନା କରିଛନ୍ତି। ତାହାର ମର୍ଯ୍ୟାଦା ଗଙ୍ଗା, ଯମୁନା, ସରସ୍ୱତୀଙ୍କର ତ୍ରିବେଣୀ ସଂଗମଠାରୁ କମ୍ ନୁହେଁ। ମାନ୍ୟତା ଅନୁସାରେ, ବନସ୍ପତିପତି ସୋମ (ଚନ୍ଦ୍ର) ଦକ୍ଷ ପ୍ରଜାପତିଙ୍କ ଦ୍ୱାରା ଅଭିଶପ୍ତ ହେବାରୁ, ତାଙ୍କର ସମସ୍ତ ପ୍ରଭା ହ୍ରାସ ପାଇଥିଲା। ତ୍ରିବେଣୀ ତଟରେ, ସରସ୍ୱତୀରେ ସ୍ନାନ କରି ଶିବଙ୍କୁ ଆରାଧନା କରିବାରୁ ସେ ତାଙ୍କର ପ୍ରଭା ଫେରି ପାଇଲେ। ସୋମ ପ୍ରଭା ଫେରି ପାଇବାରୁ ଏ ସ୍ଥାନର ନାମ ହେଲା ପ୍ରଭାସ। ଶିବ ଏଠାରେ ଆବିର୍ଭୂତ ହୋଇ ଚନ୍ଦ୍ରଦେବଙ୍କୁ ବର ପ୍ରଦାନ କରିଥିବାରୁ, ଚନ୍ଦ୍ର ଏଠାରେ ଯେଉଁ ଶିବଙ୍କୁ ପ୍ରତିଷ୍ଠା କଲେ, ସେ ହେଲେ ସୋମନାଥ। ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ସୋମନାଥ ଅନ୍ୟତମ।

ଶ୍ରୀକୃଷ୍ଣଙ୍କର ଅନ୍ତିମ ସଂସ୍କାର ହରିଣ୍ୟନଦୀ ତୀରରେ ହୋଇଥିବାରୁ, ସେ ସ୍ଥାନକୁ ଦେବପାତନ କୁହାଯାଏ। ସେଠାରେ ଆଜି ବି ଶିଳାଖଣ୍ଡରେ ଶ୍ରୀକୃଷ୍ଣଙ୍କର ପାଦଚିହ୍ନ ରହିଛି। ଶ୍ରୀକୃଷ୍ଣ ପ୍ରଭାସରେ ଦେହତ୍ୟାଗ କରିଥିବାରୁ ପ୍ରଭାସର ନାମ ହେଲା ପ୍ରଭାସପାତନ।

ସାଧାରଣତଃ ତ୍ରିବେଣୀ ସଂଗମ ହିନ୍ଦୁମାନଙ୍କ ନିମିତ୍ତ ଏକ ପବିତ୍ର ମୋକ୍ଷତୀର୍ଥ। ଯେଉଁ ସ୍ଥାନରେ ତିନି ନଦୀ ଏକତ୍ର ହୁଅନ୍ତି ତାହା ତ୍ରିବେଣୀ; କିନ୍ତୁ ସେହି ତିନି ନଦୀ ଏକତ୍ର ହୋଇ ଯେତେବେଳେ ସାଗର ସଂଗମ କରନ୍ତି, ତାର ମର୍ଯ୍ୟାଦା ଆହୁରି ଅଧିକ ହୁଏ। ନଦୀର ଅନ୍ତିମ ଲକ୍ଷ୍ୟ ସାଗର ସଂଗମ। ମନୁଷ୍ୟର ଅନ୍ତିମ ଲକ୍ଷ୍ୟ ମୋକ୍ଷ। ତେଣୁ ପବିତ୍ର ତିନିନଦୀ, ଜନ୍ମ, ଜୀବନ ଓ ମୃତ୍ୟୁର ପ୍ରତୀକ। ପୁରାଣ ଅନୁସାରେ, ମୋକ୍ଷ ପ୍ରାପ୍ତି ନିମିତ୍ତ ସାଧାରଣ ଜନତା ସଂଗମରେ ପିତୃମାତୃ ଶ୍ରାଦ୍ଧ କରିଥାନ୍ତି। ଭଗବାନ ଶ୍ରୀକୃଷ୍ଣ ଯାଦବମାନଙ୍କ ସହିତ ଏଠାରେ ପବିତ୍ର ସ୍ନାନ କରିବାକୁ ଆସିଥିଲେ। କିନ୍ତୁ ସ୍ନାନ ପରେ ଯାଦବମାନେ କାଦମ୍ବରୀ ନିଶାରେ ପ୍ରମତ୍ତ ହୋଇ ପରସ୍ପରକୁ ସଂହାର କରିବାକୁ ଲାଗିଲେ। ଯାଦବମାନଙ୍କର ବିନାଶ ଦେଖି ଭଗବାନ ଶ୍ରୀକୃଷ୍ଣ କ୍ଳାନ୍ତ ହୋଇ ଭାଲକତୀର୍ଥରେ ଏକ ଶିଆଳି ଲତାରେ ନିଜର ଅବଶ ଶରୀରକୁ ଲୋଟାଇ ଦେଲେ। ସେହି ସମୟରେ ଶିକାର ଉଦ୍ଦେଶ୍ୟରେ ବୁଲୁଥିବା ଜାରା ଶବର କୃଷ୍ଣଙ୍କ ପାଦକୁ ହରିଣ କାନ ବୋଲି ଭାବି ଶରାଘାତ କଲେ। ଶ୍ରୀକୃଷ୍ଣ ପରମଧାମ ଗମନ କଲେ।

ଶ୍ରୀକୃଷ୍ଣଙ୍କର ଅନ୍ତିମ ସଂସ୍କାର ହରିଣ୍ୟନଦୀ ତୀରରେ ହୋଇଥିବାରୁ, ସେ ସ୍ଥାନକୁ ଦେବପାତନ କୁହାଯାଏ। ସେଠାରେ ଆଜି ବି ଶିଳାଖଣ୍ଡରେ ଶ୍ରୀକୃଷ୍ଣଙ୍କର ପାଦଚିହ୍ନ ରହିଛି। ଶ୍ରୀକୃଷ୍ଣ ପ୍ରଭାସରେ ଦେହତ୍ୟାଗ କରିଥିବାରୁ ପ୍ରଭାସର ନାମ ହେଲା ପ୍ରଭାସପାତନ। ଏହା ନିକଟରେ ରହିଛି ବଳଦେବ ଗୁମ୍ଫା। ସେଠାରେ ସ୍ୱୟଂ ବଳରାମ ଶେଷନାଗ ରୂପ ଧାରଣ କରି ପାତାଳ ଗମନ କରିଥିଲେ। ଶ୍ରୀକୃଷ୍ଣଙ୍କର ନିଜଧାମ ଗମନ ସ୍ଥାନ ନିକଟରେ ରହିଛି ମହାକାଳୀ ମନ୍ଦିର। ଆଜି ମଧ୍ୟ ଆଭୀର ନାରୀମାନେ ଶ୍ରୀକୃଷ୍ଣଙ୍କର ନିଜଧାମ ଗମନସ୍ଥାନ ଦେହ ତୋସର୍ଗ (ଦେହୋତ୍ସର୍ଗ)କୁ ଆସି କୃଷ୍ଣବସ୍ତ୍ର ପିନ୍ଧି ରୋଦନ କରିଥାନ୍ତି।

ସମ୍ବନ୍ଧିତ ଖବର