ଅନଗ୍ରସର ଅରିଦିତା ଏବେ ସଫଳ କ୍ରୀଡ଼ାବିତ୍

ଭୁବନେଶ୍ବର : ମାନସିକ ତଥା ବୌଦ୍ଧିକ ଭାବେ ଦୁର୍ବଳ ଜଣେ ଝିଅ ଯେ କ୍ରୀଡ଼ାକ୍ଷେତ୍ରରେ ସଫଳତାର ଶିଡ଼ି ଚଢ଼ିପାରେ ଏହାକୁ ପ୍ରମାଣ କରିଛନ୍ତି ୧୮ ବର୍ଷୀୟା ଅରିଦିତା ଚକ୍ରବର୍ତୀ। ମାତ୍ର ୭ ବର୍ଷ ବୟସରେ ପିତାଙ୍କୁ ହରାଇଥିବା ଏହି ମାନସିକ ଅନଗ୍ରସର ପିଲାଟି ଏବେ ସ୍ବତନ୍ତ୍ର ଅଲିମ୍ପିକ୍ସ ବିଶ୍ବ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବା ଲାଗି ପ୍ରସ୍ତୁତିରେ ବ୍ୟସ୍ତ। ତା’ ପୂର୍ବରୁ ଜାତୀୟସ୍ତରରେ ବି ନିଜ ପ୍ରତିଭାକୁ ପ୍ରମାଣିତ କରି ସାରିଛନ୍ତି। ପିତାଙ୍କୁ ହରାଇବା ପରେ ୨୦୧୪ରେ ଅରିଦିତାଙ୍କ ମା’ ତାଙ୍କୁ ନିଜ ଘର ଶିଲିଗୁଡ଼ିରୁ ନେଇ ଆସିଥିଲେ ଭୁବନେଶ୍ବର। ମାନସିକ ଦୁର୍ବଳ ପିଲାଙ୍କ ପାଇଁ କିଛି ବ୍ୟବସ୍ଥା ‌ଖୋଜି ଖୋଜି ପହଞ୍ଚିଥିଲେ ଭୁବ‌ନେଶ୍ବରର ଓପନ୍ ଲର୍ଣ୍ଣିଂ ସିଷ୍ଟମ୍ ପରିଚାଳିତ ବୌଦ୍ଧିକ ଅନଗ୍ରସର ପିଲାଙ୍କ ବିଦ୍ୟାଳୟରେ। ଏଠାରେ ରହିବା ଅରିଦିତାଙ୍କୁ କେବଳ ବୌଦ୍ଧିକ ବିକାଶରେ ସହାୟତା ହୋଇନଥିଲା, କ୍ରୀଡ଼ା ‌କ୍ଷେତ୍ରରେ ଉତ୍କର୍ଷ ଅର୍ଜନର ବଡ଼ ପ୍ଲାଟଫର୍ମ ବି ଯୋଗାଇ ଦେଇଥିଲା।

ଅରିଦିତାଙ୍କୁ ଜଣେ‌ ଖେଳାଳି ଗାବେ ଗଢ଼ି ତୋଳିଛନ୍ତି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରର ପ୍ରଶିକ୍ଷିକା ସସ୍ମିତା ମହାପାତ୍ର। ୨୦୧୮ରେ ଅରିଦିତା ବିହାରର ମୁଜାଫରପୁରଠାରେ ହୋଇଥିବା ସ୍ବତନ୍ତ୍ର ଅଲିମ୍ପିକ୍ସ ପ୍ରଶିକ୍ଷଣ ଓ ସ୍କ୍ରିନିଂ ଶିବିରର ପ୍ରତିଯୋଗିତାରେ ହିଁ ନିଜ ଚମକ ଛାଡ଼ିଥିଲେ। ୧୦୦ ଓ ୨୦୦ ମିଟର୍‌ ‌‌ଦୌଡ଼ରେ ପ୍ରଥମ ସ୍ଥାନ ଦଖଲ କରି ସ୍ବତନ୍ତ୍ର ଅଲିମ୍ପିକ୍ସ ୱାର୍ଲଡ୍ ଗେମ୍ସ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। କୋଭିଡ୍ ପାଇଁ ଏହା ସ୍ଥଗିତ ରହିବାରୁ ସେ ବଞ୍ଚିତ ହୋଇଥିଲେ। ତେବେ ସସ୍ମିତାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ନିୟମିତ ଅଭ୍ୟାସ ଜାରି ରଖିଥିବା ଅରିଦିତା ପୁଣି ସେହି ବିଶ୍ବ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସୁଯୋଗ ପାଇଛନ୍ତି। ଜୁନ ମାସରେ ଗୁଜରାଟର ଗାନ୍ଧୀନଗରରେ ଅନୁଷ୍ଠିତ ସ୍ବତନ୍ତ୍ର ଅଲିମ୍ପିକ୍ସ ପ୍ରଶିକ୍ଷଣ ଓ ଚୟନ ଶିବିର ଅବସରରେ ଅରିଦିତା ୧୦୦ ଓ ୨୦୦ ମିଟର୍‌ ‌ସହିତ ସଟ୍‌ପୁଟ୍‌ରେ ବି ଚମକ ଛାଡ଼ି ବର୍ଲିନ ସ୍ବତନ୍ତ୍ର ଅଲିମ୍ପିକ୍ସ ବିଶ୍ବ କ୍ରୀଡ଼ା-୨୦୨୩ ଯୋଗ୍ୟତାକୁ ପୁଣି ଅର୍ଜନ କରିଛନ୍ତି। ଗାନ୍ଧୀନଗର ପ୍ରତିଯୋଗିତାରେ ଅରିଦିତା ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ବର୍ଲିନ ଗସ୍ତ ପାଇଁ ଗତ ସେପ୍ଟେମ୍ବର ମାସରେ ସେଠାରେ ଅନୁଷ୍ଠିତ ପ୍ରଥମ ଜାତୀୟ ଶିବିରରେ ଭାଗ ନେଇ ସାରିଛନ୍ତି।

ଡିସେମ୍ବରରେ ବର୍ଲିନ ଗସ୍ତ କରିବାକୁ ଥିବାରୁ ସସ୍ମିତା ଏବେ ଅରିଦିତାଙ୍କ ଦକ୍ଷତାକୁ ଅଧିକ ଶାଣିତ କରୁଛନ୍ତି। ଅରିଦିତାଙ୍କ ବିକାଶ ପଛରେ ସ୍ବତନ୍ତ୍ର ଅଲିମ୍ପିକ୍ସ ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ କୁମାର ରଥ ଓ କାର୍ଯ୍ୟକ୍ରମ ପ୍ରବଂଧକ ଅର୍ପିତା ମହାପାତ୍ରଙ୍କ ଅବଦାନ ମଧ୍ୟ ଅତୁଳନୀୟ।

ସମ୍ବନ୍ଧିତ ଖବର