୩ ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତାଙ୍କୁ କରୋନା

ନୂଆଦିଲ୍ଲୀ: ଗୋଟିଏ ଦିନ ପରେ ଜାତୀୟ କ୍ରୀଡ଼ା ପୁରସ୍କାର ଗ୍ରହଣ ପାଇଁ ମନୋନୀତ ୩ ଜଣ ଖେଳାଳି କରୋନା ପଭିଟିଭ୍ ଆସିଛନ୍ତି। ମହାମାରୀ କାରଣରୁ ୭୪ ଜଣ ବିଜେତାଙ୍କ ମଧ୍ୟରୁ ୬୫ ଜଣ ପ୍ରଥମ ଭର୍ଚୁଆଲ୍‌ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବରେ ଅଂଶଗ୍ରହଣ କରିବେ। ବିଭିନ୍ନ କାରଣରୁ ୯ ଜଣ ଭାଗ ନେଇପାରିବେନାହିଁ। ଦେଶରେ ନଥିବାରୁ, ପଜିଟିଭ୍ ଆସିଥିବାରୁ, ସଙ୍ଗରୋଧରେ ଥିବାରୁ ଏବଂ ଅସୁସ୍ଥତା କାରଣରୁ ଏହି ୯ ଜଣ ବଞ୍ଚିତ ରହିବେ। ପଜିଟିଭ୍ ଆସିଥିବା ଖେଳାଳିଙ୍କ ନାମ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ପକ୍ଷରୁ କୁହାଯାଇନାହିଁ। ତେବେ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ବ୍ୟାଡମିଣ୍ଟନ୍ ଖେଳାଳି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ପୂର୍ବରୁ ପଜିଟିଭ୍ ଆସିଥିବା ସ୍ପଷ୍ଟ ହୋଇଥିଲା। ଅଗଷ୍ଟ ୨୯ ତାରିଖରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ‌ କୋବିନ୍ଦ ଭର୍ଚୁଆଲ୍‌ ମୋଡରେ ପୁରସ୍କାର ପ୍ରଦାନ କରିବେ। ଦେଶର ବିଭିନ୍ନ ଭାଗରେ ଥିବା ସାଇ କେନ୍ଦ୍ରରେ ଖେଳାଳିମାନେ ଏଥିରେ ଯୋଡି‌ହେବେ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଏବଂ ଅନ୍ୟ ଅଧିକାରୀମାନେ ବିଜ୍ଞାନ ଭବନରେ ରହି କାର୍ଯ୍ୟକ୍ରମ ସହ ଯୋଡ଼ିହେବେ। ଦୂରଦର୍ଶନ ଏହାକୁ ସିଧା ପ୍ରସାରଣ କରିବ।

ସମ୍ବନ୍ଧିତ ଖବର