ଆଇପିଏଲ : ଗୁଜରାଟକୁ ୬ ଓ୍ବିକେଟରେ ପରାସ୍ତ କଲା ଦିଲ୍ଲୀ, ୯୦ ରନ ଲକ୍ଷ୍ୟକୁ ୮.୫ ଓଭରରେ ହାସଲ କଲା

ଅହମଦାବାଦ: ଅହମଦାବାଦଠାରେ ଖେଳାଯାଇଥିବା ଆଇପିଏଲ-୨୦୨୪ର ୩୨ତମ ମ୍ୟାଚରେ ଗୁଜରାଟକୁ ୬ ଓ୍ବିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ବିଜୟ ପାଇଁ ଗୁଜରାଟ ପକ୍ଷରୁ ରଖାଯାଇଥିବା ୯୦ରନର ଟାର୍ଗେଟକୁ ଦିଲ୍ଲୀ ୮.୫ ତମ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ଜେକ୍ ଫ୍ରେସର ମାକଗର୍କ ୨୦ ରନ କରିଥିବାବେଳେ ସାଇ ହୋପ ୧୯ରନ ଓ ଋଷଭ ପନ୍ତ ୧୬ରନ କରିଥିଲେ । ଅଭିଷେକ ପୋରେଲ ୧୫ରନ କରିଥିଲେ ।

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଦଳୀୟ ସ୍କୋର ମାତ୍ର ୧୧ ରନ ହୋଇଥିବାବେଳେ ଅଧିନାୟକ ଶୁଭମନ ଗିଲ ମାତ୍ର ୮ ରନ କରି ଆଉଟ ହୋଇଥିଲେ । ସେହିପରି ଓପନର ରିଦ୍ଧିମାନ ଶାହା ମାତ୍ର ୨ ରନ କରି ଆଉଟ ହୋଇଥିଲେ । ଡେଭିଡ ମିଲର ମାତ୍ର ୨ ରନ, ସାଇ ସୁଦର୍ଶନ ୧୨ ରନ, ରାହୁଲ ତେଓ୍ବାତିଆ ୧୦, ଅଭିନଭ ମନୋହର ୮ ରନ, ଶାହରୁଖ ଖାଁ ୦ କରିଥିଲେ । କେବଳ ରସିଦ ଖାଁ କିଛି ସମୟ କ୍ରିଜରେ ତିଷ୍ଠି ୩୦ ରନ କରିବାକୁ ସକ୍ଷମ ହୋଇଥିଲେ । ଗୁଜରାଟ ଦଳ ସଂପୂର୍ଣ୍ଣ ୧୦ ଓଭର ମଧ୍ୟ ଖେଳିପାରିନଥିଲା ଓ ୧୭.୩ ଓଭରରେ ୮୯ ରନ କରି ଅଲଆଉଟ ହୋଇଯାଇଥିଲା । ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୩ଟି ଓ୍ବିକେଟ ନେଇଥିବାବେଳେ ଟ୍ରିଷ୍ଟେନ ଷ୍ଟବ୍ସ ଓ ଇଶାନ୍ତ ଶର୍ମା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର