ଶୁଖିଯାଉଛି ଜଳାଶୟ: ଜଳଭଣ୍ଡାର ପାଲଟୁଛି ଗୋରୁଗାଈଙ୍କ ଚରାଭୂଇଁ

ପୁନଃଉଦ୍ଧାର ପାଇଁ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି

ରାଇରଙ୍ଗପୁର: ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ମୟୂରଭଂଜ ଜିଲ୍ଲାରେ ସବୁଠାରୁ ଅଧିକ ଉତ୍ତାପ ହେଉଛି। ଚଳିତ ବର୍ଷ ଜିଲ୍ଲାର ଅନେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ପ୍ରବଳ ଖରାଯୋଗୁଁ ଜିଲ୍ଲାର ଅଧିକାଂଶ ଜଳଉତ୍ସ, ନଦୀନାଳ, ଝରଣା, କୂଅପୋଖରୀ ଶୁଖିଗଲାଣି। ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ପୂର୍ବରୁ କୌଣସି ବର୍ଷ ଗ୍ରୀଷ୍ମ ଋତୁରେ ଜଳାଶୟ ଗୁଡିକ ଶୁଷ୍କ ହେଉନଥିବା ବେଳେ ଚଳିତ ବର୍ଷ ସେସବୁ ଶୁଖି ଫାଟି ଆଁ କରିଛି।

ଜଳଭଣ୍ଡାରରେ ଆଦୌ ପାଣି ନଥିବାରୁ ସେଗୁଡିକ ବର୍ତମାନ ଗୋରୁଗାଈଙ୍କ ଚରାଭୂଇଁ ପାଲଟିଛି। ପ୍ରତିଦିନ ଜଳଭଣ୍ଡା ଗୁଡିକରେ ଶହଶହ ଗାଈଗୋରୁ ଚରୁଥିବାର ଦେଖାଯାଉଛି। ଜଳଭଣ୍ଡାର ପୋତି ହୋଇଯିବା ଯୋଗୁଁ ଜଳଧାରଣ କ୍ଷମତା ମଧ୍ୟ ହ୍ରାସ ପାଉଛି। କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ପରିଚାଳିତ ଜଳଭଣ୍ଡାରର ଖନନ ଓ ପୁନଃରୁଦ୍ଧାର ଜରୁରୀ ହୋଇ ପଡ଼ିଛି। ଜଳଭଣ୍ଡାର ପୋତି ହୋଇପଡିବା କାରଣରୁ ଏଠାରେ ବର୍ଷାଦିନରେ ଆଶାନୁରୂପ ପାଣି ଗଚ୍ଛିତ ହୋଇ ରହିପାରୁନି। ଏଣୁ ଜଳଭଣ୍ଡାରର ପୁନରୁଦ୍ଧାର ଏବଂ ସେଗୁଡିକର ଉଚ୍ଚତା ବଢାଇବା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରି ଆସୁଥିଲେ ବି କେହି କର୍ଣପାତ କରୁନାହାଁନ୍ତି।

ଦୀର୍ଘବର୍ଷ ଧରି ଉକ୍ତ ଜଳାଶୟରୁ ପଙ୍କ ଉଦ୍ଧାର ହୋଇନଥିବାରୁ ଏହାର ଶଯ୍ୟା ପୋତି ହୋଇଗଲାଣି। ଗତବର୍ଷର ବର୍ଷା ଫଳରେ ଜଳଭଣ୍ଡାର ଗୁଡ଼ିକରୁ ପାଣି ଉଛୁଳି ପାଣି ବାହାରକୁ ଚାଲିଯାଉଥିଲା। କିନ୍ତୁ ଚଳିତ ବର୍ଷ ଉକ୍ରଟ ଗ୍ରୀଷ୍ମ ପ୍ରକୋପ ଯୋଗୁଁ ଜଳଭଣ୍ଡାର ସମ୍ପୂର୍ଣ ଶୁଷ୍କ ହୋଇଯାଉଛି। ଉକ୍ତ ଜଳଭଣ୍ଡାର ଗୁଡିକର ଜଳରେ ଉଭୟ ଖରିଫ ଓ ରବି ଋତୁରେ ଶହ ଶହ ହେକ୍ଟର ଜମିକୁ ଜଳସେଚନ ହୋଇ ପାରିଥାନ୍ତା କିନ୍ତୁ ଜଳାଶୟ ଗୁଡିକର ଉଚ୍ଚତା କମ୍ ଥିବାରୁ ସେଗୁଡିକରେ ବର୍ଷାଦିନରେ ମଧ୍ୟ ଜଳ ଗଚ୍ଛିତ ରହୁନାହିଁ । ପରିସ୍ଥିତି ଏମିତି ହେଉଛି, ବର୍ଷା ଛାଡ଼ିବା ମାତ୍ରେ ଜଳସ୍ତର ତୁରନ୍ତ ହ୍ରାସ ପାଉଛି। ଫଳରେ ଚାଷୀମାନେ ମଧ୍ୟ ରବିଋତୁରେ ଚାଷ କାର୍ଯ୍ୟ କରିବାରୁ ବଂଚିତ ହେଉଛନ୍ତି। ତେବେ କିଛି ଜଳଭଣ୍ଡାରର ପୁନରୁଦ୍ଧାର, କେନାଲ ମରାମତି ଓ ସଫେଇ ପାଇଁ ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଅଳ୍ପ କାର୍ଯ୍ୟ କରି ଠିକାଦାର ଓ ବିଭାଗୀୟ ଅଧିକାରୀ ମାନେ ମାଲାମାଲ୍ ହେଉଛନ୍ତି।

ସମ୍ବନ୍ଧିତ ଖବର