ଦ୍ରୁତତମ ଦିନିକିଆ ଦ୍ବିଶତକ

କିଶନଙ୍କ ବିଶ୍ବ ରେକର୍ଡ, ଗେଲ୍‌ଙ୍କୁ କାଟି ରଚିଲେ ରେକର୍ଡ

ଚଟ୍ଟୋଗ୍ରାମ : ଈଶାନ କିଶନଙ୍କ ଦ୍ରୁତତମ ଦିନିକିଆ ଦ୍ବିଶତକ (୧୩୧ ବଲ୍‌ରୁ ୨୧୦ ରନ୍‌, ୨୪ ଚୌକା, ୧୦ ଛକା) ରେକର୍ଡ ଶନିବାର ଭାରତକୁ ବାଂଲାଦେଶ ବିପକ୍ଷରେ ବୃହତ୍‌ ବିଜୟ (୨୨୭ ରନ୍‌) ଦେଇଛି। ଦିନିକିଆ ଶୃଙ୍ଖଳା ହାରିବା ସତ୍ତ୍ବେ (୧-୨) ଭାରତ ସମ୍ମାନ ରଖିଛି। ବିରାଟ କୋହଲି (୯୧ ବଲ୍‌ରୁ ୧୧୩ ରନ୍‌, ୧୧ ଚୌକା, ୨ ଛକା)ଙ୍କ ସହ ମିଶି କିଶନ ୨୯୦ ରନ୍‌ ଭାଗୀଦାରି କରିବାରୁ ଭାରତ ମଧ୍ୟ ପ୍ରାଧାନ୍ୟଭରା ବିଜୟ ପାଇଛି। ବାମହାତୀ କିଶନ ମାତ୍ର ୧୨୬ ବଲ୍‌ରୁ ଦ୍ବିଶତକ ଅର୍ଜନ କରି ୱେଷ୍ଟଇଣ୍ଡିଆନ୍ ମହାନ କ୍ରିସ୍ ଗେଲ୍ (୧୩୮ ବଲ୍‌ରୁ ଦ୍ବିଶତକ)ଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ପାଳି ଅବସରରେ ମଧ୍ୟ ଏକାଧିକ କୀର୍ତ୍ତିମାନ ପ୍ରତିଷ୍ଠା ହୋଇଯାଇଛି।

ଈଶାନ କିଶନଙ୍କ ମନୋରଂଜନ ଭରା ପାଳି ଶନିବାର କେବଳ ଦ୍ରୁତତମ ଦ୍ବିଶତକ ନଥିଲା, ଦ୍ରୁତତମ ୧୫୦ ଏବଂ ସର୍ବକନିଷ୍ଠ ବ୍ୟାଟର୍‌ଙ୍କ ଦ୍ବିଶତକ ମଧ୍ୟ ରହିଥିଲା। ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ସପ୍ତମ ବ୍ୟାଟର୍‌ ଭାବେ ଈଶାନ ଦ୍ବିଶତକ ଅର୍ଜନ କରିଥ‌ିଲେ। ପ୍ରଥମ ଶତକକୁ ଦ୍ବିଶତକରେ ପରିଣତ କରିବାରେ ମଧ୍ୟ ପ୍ରଥମ ଖେଳାଳି ‌ହୋଇଛନ୍ତି। ଦ୍ବିଶତକ ଅର୍ଜନ କରିବାରେ ରୋହିତ ଶର୍ମା, ବୀରେନ୍ଦ୍ର ସେହବାଗ, ସଚିନ ତେନ୍ଦୁଲକରଙ୍କ ପରେ ଚତୁର୍ଥ ଭାରତୀୟ ହୋଇଛନ୍ତି। ଈଶାନ ପ୍ରଥମ ୫୦ ରନ୍‌ ପାଇଁ ୪୯ ବଲ୍‌ ଖେଳିଥିବା ବେଳେ ପରବର୍ତୀ ୫୦ ରନ୍‌ ପାଇଁ ୩୬ ବଲ୍‌, ତୃତୀୟ ୫୦ ରନ୍‌ ପାଇଁ ୧୮ ବଲ୍‌, ଚତୁର୍ଥ ପାଇଁ ୨୩ ବଲ୍‌ ଖେଳିଥିଲେ। ୧୦୩ ବଲ୍‌ରୁ ୧୫୦ ରନ୍‌ ପୂର୍ଣ୍ଣ କରିବାରେ ସେ ଦ୍ରୁତତମ ଭାରତୀୟ ବ୍ୟାଟର୍ ହୋଇଥିଲେ। ପୂର୍ବରୁ ଏହି କୀର୍ତ୍ତିମାନ ବୀରେନ୍ଦ୍ର ସେହବାଗଙ୍କ ନାମରେ ଥିଲା। ସେହବାଗ ୨୦୧୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦ୍ବିଶତକ ଅର୍ଜନ କରିବା ପଥରେ ମାତ୍ର ୧୧୨ ବଲ୍‌ରୁ ୧୫୦ ରନ୍‌ ପୂର୍ଣ୍ଣ କରିଥିଲେ।

କିଶନଙ୍କ ପାଳି ବଳରେ ଭାରତ ମଧ୍ୟ ୨୦୧୪ ମସିହା ପରେ ପ୍ରଥମ ଥର ୪୦୦ ରନ୍‌ କରିପାରିଛି। ଶେଷ ଥର ପାଇଁ ରୋହିତ ଶର୍ମାଙ୍କ ରେକର୍ଡ ୨୬୪* ରନ୍ ବଳରେ ଭାରତ ୪୦୪/୫ ସ୍କୋର୍‌ କରିଥିଲା। ପୁରୁଷ ଦିନିକିଆରେ ସର୍ବକନିଷ୍ଠ ଖେଳାଳି ଭାବେ ଈଶାନ (୨୪ ବର୍ଷ ୧୪୫ ଦିନ) ମଧ୍ୟ ଦ୍ବିଶତକ ଅର୍ଜନ କଲେ। ପୂର୍ବରୁ ଏହି କୀର୍ତ୍ତିମାନ ରୋହିତ ଶର୍ମା (୨୬ ବର୍ଷ ୧୮୬ ଦିନ)ଙ୍କ ନାମରେ (ବନାମ ଅଷ୍ଟ୍ରେଲିଆ, ୨୦୧୩) ଥିଲା। ବଂଲାଦେଶ ମାଟିରେ ପୂର୍ବରୁ ମଧ୍ୟ ଦିନିକିଆରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌ ସେନ୍ ୱାଟସନ୍ (୧୮୫, ଢ଼ାକା, ୨୦୧୧)ଙ୍କ ନାମରେ ଥିଲା। ଈଶାନଙ୍କ ଦ୍ବିଶତକ ମଧ୍ୟ ପାଳି ଦୃଷ୍ଟିରୁ ଆଉ ଏକ ଦ୍ରୁତତମ କୀର୍ତ୍ତିମାନ କରିଛି। ଭାରତ ପାଳିର ୩୪.୬ ଓଭରରେ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ୨୦୧୧ରେ ବୀରେନ୍ଦ୍ର ସେହବାଗ ଦ୍ବିଶତକ ଅର୍ଜନ ବେଳକୁ ଭାରତ ପାଳି ୪୩.୩ରେ ଥିଲା। ଈଶାନଙ୍କ ୨୧୦ ରନ୍‌ ମଧ୍ୟରୁ ୧୫୬ ରନ୍‌ ବାଉଣ୍ଡରିରୁ ଆସିଥିଲା। ୨୪ ଚୌକା ଓ ୧୦ ଛକା ସାମିଲ ଥିଲା ତାଙ୍କ ପାଳିରେ। ଏକ ଦିନିକିଆ ପାଳିରେ ଏହାଠାରୁ ଅଧିକ ବାଉଣ୍ଡରି ରନ୍‌ ଦୁଇ ଜଣଙ୍କ ନାମରେ ରହିଛି। ରୋହିତ ଶର୍ମା (୧୮୬ ରନ୍‌ ବନାମ ଶ୍ରୀଲଙ୍କା, ୨୦୧୪) ଏବଂ ମାର୍ଟିନ ଗପ୍ଟିଲ୍ (୧୬୨ ରନ୍, ବନାମ ୱେଷ୍ଟଇଣ୍ଡିଜ୍, ୨୦୧୫) ଏହି ତାଲିକାରେ ରହିଛନ୍ତି। ଈଶାନ-କୋହଲିଙ୍କ ମଧ୍ୟରେ ହୋଇଥିବା ୨୯୦ ରନ୍‌ ମଧ୍ୟରୁ ଈଶାନଙ୍କ ଭାଗ ଥିଲା ୬୮.୬ ପ୍ରତିଶତ। ଏହା ମଧ୍ୟ ଏକ କୀର୍ତ୍ତିମାନ। ଭାରତ ମଧ୍ୟ ଦଳଗତ ଭାବେ ୪୦୦ ରନ୍‌ ଟପିଛି ଷଷ୍ଠ ଥର।

ବାଂଲାଦେଶ ମାଟିରେ ଏବଂ ବାଂଲାଦେଶ ବିପକ୍ଷରେ ମଧ୍ୟ ଏହା ପ୍ରଥମ ଥର ୪୦୦ରୁ ଊଧ୍ବ ଦିନିକିଆ ସ୍କୋର୍‌। ୨୦୧୯ରେ ବଂଲାଦେଶ ବିପକ୍ଷରେ ଇଂଲଣ୍ଡ ସର୍ବାଧିକ ୩୯୧/୪ ସ୍କୋର୍‌ କରିଥିଲା। ସେହିଭଳି ବାଂଲାଦେଶ ମାଟିରେ ୨୦୧୧ରେ ଭାରତ ସର୍ବାଧିକ ୩୭୦/୪ କରିଥିଲା। ଈଶାନଙ୍କ ପାଳିରେ ଥିବା ୧୦ ଛକା ମଧ୍ୟ ବାଂଲାଦେଶ ବିପକ୍ଷରେ ଭାରତ ପାଇଁ କୀର୍ତ୍ତିମାନ। ସୌରଭ ଗାଙ୍ଗୁଲି ୭ ଛକା ମାରିଥିଲେ। ସେହିଭଳି ବାଂଲାଦେଶରେ ସର୍ବୋଚ୍ଚ ଭାରତୀୟ ଦିନିକିଆ ପାଳି (ବୀରେନ୍ଦ୍ର ସେହବାଗ-୧୭୫)କୁ ମଧ୍ୟ ଈଶାନ ପଛରେ ପକାଇଛନ୍ତି।

ସମ୍ବନ୍ଧିତ ଖବର