ଆଧ୍ୟାତ୍ମିକ ଚେତନା ସତ୍ୟକୁ ଭେଟିବାର ସୁଯୋଗ ଦିଏ: ରାଜ୍ୟପାଳ

ଶ୍ରୀଜଗନ୍ନାଥ ଚେତନା ଓ ଗବେଷଣା ପ୍ରତିଷ୍ଠାନର ବାର୍ଷିକ ଉତ୍ସବ

ପୁରୀ: ବିଜ୍ଞାନ ଚେତନା ସତ୍ୟ ରହସ୍ୟ ଖୋଳି ବାହାର କରିବାକୁ ଚେଷ୍ଟା କରୁଛି। କଳା ଚେତନା ସତ୍ୟକୁ ସୁନ୍ଦର ରୂପ ଦେଉଛି। କିନ୍ତୁ ଆଧ୍ୟାତ୍ମିକ ଚେତନା ସତ୍ୟକୁ ଭେଟିବାର ସୁଯୋଗ ଦେଇଛି। ଏ ବିଶ୍ବବ୍ରହ୍ମାଣ୍ଡ ସୃଷ୍ଟି କିପରି ହୋଇଛି, ବୁଝିବାର ମାର୍ଗଦର୍ଶନ କରୁଛି। ଆଧ୍ୟାତ୍ମିକ ଚେତନା କ’ଣ ଜାଣିବାକୁ ହେଲେ, ପ୍ରକୃତିକୁ ଆଦର କରିବାକୁ ପଡ଼ିବ, ଭଲ ପାଇବାକୁ ହେବ। ମାଟି ମା’କୁ ସମ୍ମାନ ଦେବାକୁ ପଡ଼ିବ। ପ୍ରକୃତି ବିନା ସୃଷ୍ଟି ନାହିଁ। ପ୍ରକୃତି ଜରିଆରେ ଆଧ୍ୟାତ୍ମିକ ଚେତନାକୁ ଖୋଜିବାକୁ ପଡ଼ିବ। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି।

ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ତ୍ରୟୋଦଶ ସାଧାରଣ ସଭା ଓ ଏକାଦଶ ବାର୍ଷିକ ଉତ୍ସବ ଝାଞ୍ଜପିଟା ମଠର ଅଧ୍ୟକ୍ଷ ସଚିଦାନନ୍ଦ ଦାସ ବାବାଜୀଙ୍କ ସଭାପତିତ୍ବରେ ଆଜି ପୁରୀ ହଲିଡେ’ ରିସର୍ଟଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ରାଜ୍ୟପାଳ କହିଥିଲେ, ଆଧ୍ୟାତ୍ମିକ ଚେତନା କ’ଣ?। ବହୁ ଅନାଦି କାଳରୁ ବେଦ, ପୁରାଣ ଆଦିରେ ଉଲ୍ଲେଖ ରହିଛି। ପ୍ରଭୁ ଶ୍ରୀକୃଷ୍ଣ ଅନେକ ଥର ସୃଷ୍ଟି ସମ୍ପର୍କରେ ଅର୍ଜୁନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମୁଁ ହିଁ ସୃଷ୍ଟି, ଏକଥା ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଥିଲେ। ଆପଣ ପୂଜା ପଦ୍ଧତି ଜାଣନ୍ତୁ କି ନ ଜାଣନ୍ତୁ, ଭଜନ ଜାଣନ୍ତୁ କି ନ ଜାଣନ୍ତୁ, ପ୍ରଣାମ କରିବା ଜାଣନ୍ତୁ କି ନ ଜାଣନ୍ତୁ, କିନ୍ତୁ ମହାପ୍ରଭୁଙ୍କ ନଜରବନ୍ଦୀରେ ଆମେ ସଦାସର୍ବଦା ରହିଛୁ। ଏ ନେଇ ମନରେ କିଛି ଦ୍ବନ୍ଦ୍ବ ରହିବା ଅନୁଚିତ। ଭାରତୀୟ ସଂସ୍କୃତି ଆମକୁ କହୁଛି, ଆମ ଭିତରେ କିଛି ଦୂରତା ନ ରହୁ। ତାହାହେଲେ ଆମ ମନରେ ସମେସ୍ତ ଏକ ଓ ସମାନ ବୋଲି ଭାବନା ଜାତ ହେବ।

କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଯୋଗଦେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଥିଲେ, ପ୍ରାଚୀନ ଭାରତର ମହାନତାର ମୂଳ କାରଣ ହେଉଛି ଆଧ୍ୟାତ୍ମିକ ଚେତନାର ପ୍ରତିଷ୍ଠା। ଦେଦାନ୍ତ, ସାହିତ୍ୟ, ଦର୍ଶନ, ଜୀବନ ଏବଂ ଅନୁକୂଳ ପରିବେଶ ଦ୍ବାରା ଏହା ଦୃଢ଼ ଭାବେ ପ୍ରତିଷ୍ଠା ଲାଭ କରିପାରିଛି। ସେହି ବେଦ ଓ ବେଦାନ୍ତ ସଭ୍ୟତା ପରିବେଶ ଶ୍ରୀଜଗନ୍ନାଥ ସଂସ୍କୃତିରେ ଦେଇ ଆସିଛି। ପୂର୍ବର ଗୁରୁକୂଳ ସଂସ୍ଥାମାନେ ଆଚାର ବ୍ୟବହାର, ଉତ୍ତମ ଚରିତ୍ର ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ। ଏହି ଆଧ୍ୟାତ୍ମିକ ଚେତନାର ଜାଗରଣ ପାଇଁ ଧାର୍ମିକ ଅନୁଷ୍ଠାନମାନେ ଆଗେଇ ଆସିବାକୁ ପଡିବ। ଆଧ୍ୟାତ୍ମିକ ଚେତନା ଜାଗରଣ, ଉତ୍ତମ ଚରିତ୍ର ଗଠନ ସମାଜ ପାଇଁ ହେବ ସବୁଠୁ ବଡ ସେବା। ଏହାକୁ ବଞ୍ଚାଇବାକୁ ହେଲେ ଶାସ୍ତ୍ର ଓ ଗୁରୁ ଆଶ୍ରିତ ହୋଇ ଆମକୁ ଆଗେଇବାକୁ ପଡ଼ିବ ବୋଲି ଗଜପତି କହିଛନ୍ତି।

ଆଧ୍ୟାତ୍ମିକ ଚେତନାର ଜାଗରଣ ପାଇଁ ଧାର୍ମିକ ଅନୁଷ୍ଠାନ ଆଗେଇ ଆସନ୍ତୁ: ଗଜପତି
ତୁଳସୀ ମୁଣ୍ଡା, ଭାସ୍କର ମିଶ୍ର ଓ ଶଙ୍କର୍ଷଣ ମଙ୍ଗରାଜ ସମ୍ମାନିତ

ସ୍ବାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ବତୀ ମହାରାଜ ସମ୍ମାନିତ, ଡ. ତପନ କୁମାର ଚାନ୍ଦ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଆଧ୍ୟାତ୍ମିକ ଚେତନା ଉପରେ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ପ୍ରତିଷ୍ଠାନର ମୁଖପାତ୍ର ‘ଶ୍ରୀଜଗନ୍ନାଥ ଚେତନା-୧୨’ ଅତିଥିଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ଉତ୍ସବରେ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ‘ଜାତୀୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ପ୍ରତିଭା ସମ୍ମାନ’, ‌ଗବେଷକ ଡ. ଭାସ୍କର ମିଶ୍ରଙ୍କୁ ‘ଶ୍ରୀଜଗନ୍ନାଥ ଚେତନା ଗବେଷଣା ସମ୍ମାନ’, ଶ୍ରୀଜଗନ୍ନାଥ ଚେତନାର ପ୍ରଚାରକ ତଥା ପ୍ରବଚକ ଶଙ୍କର୍ଷଣ ମଙ୍ଗରାଜଙ୍କୁ ‘ଶ୍ରୀଜଗନ୍ନାଥ ଚେତନା ପ୍ରଚାରକ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସେହିଭଳି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଶ୍ରୀଜଗନ୍ନାଥ ମନ୍ଦିର ଓ ତାମିଲନାଡ଼ୁ କୋଏମ୍ବାଟୁର ଶ୍ରୀଜଗନ୍ନାଥ ମନ୍ଦିରକୁ ଶ୍ରୀଜଗନ୍ନାଥ ଚେତନା ସଂଗଠକ ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ୫ଜଣ ସେବକ ପରିବାରଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଇଥିଲା। ଶ୍ରୀଜଗନ୍ନାଥ ଚେତନା ଓ ଗବେଷଣା ପ୍ରତିଷ୍ଠାନର ମହାସଚିବ ଡ. ନରେଶ ଚନ୍ଦ୍ର ଦାଶ ବ‌ାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର ସଚିବ ଅସିତ ମହାନ୍ତି କାର୍ଯ୍ୟକ୍ରମ ସଂଚାଳନା କରିଥିଲେ। ଆସନ୍ତା ଡିସେମ୍ବର ୨୦ ତାରିଖରେ ଭୁବନେଶ୍ବରଠାରେ ଶ୍ରୀଜଗନ୍ନାଥ ଚେତନା ମହାସମାରୋହ ସମ୍ବନ୍ଧରେ ପ୍ରସ୍ତାବ ଗୃହୀତ ହୋଇଥିଲା।ଏଥିରେ ଦୁଇଶହ ସଂକୀର୍ତ୍ତନ ମଣ୍ଡଳୀ ଓ ଖୋର୍ଦ୍ଧା ଜିଲ୍ଲା ଶ୍ରୀଜଗନ୍ନାଥ ମନ୍ଦିରର ପୂଜକ ଓ କର୍ମକର୍ତ୍ତାମାନେ ଯୋଗଦେବେ। ସେହିଭଳି ଭାଗବତ ଟୁଙ୍ଗି ପୁନରୁଦ୍ଧାର ପାଇଁ ଏକ ବିରାଟ ଆଧ୍ୟାତ୍ମିକ ସମ୍ମିଳନୀ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଆଜିର କାର୍ଯ୍ୟକ୍ରମରେ ଅନୁଷ୍ଠାନର ସନ୍ତୋଷ କୁମାର ପାତ୍ର, ରବିନାରାୟଣ ସାମନ୍ତରା, ଡା. କରୁଣାକର ପ୍ରଧାନ, ହରେକୃଷ୍ଣ ପ୍ରତିହାରୀ, ସୁଦର୍ଶନ ନାୟକ, ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ଡ. ଶ୍ରୀନିବାସ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର