ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ପୁରୀ: ସାହିତ୍ୟ ହିତ ସାଧନ କରେ, ଆନନ୍ଦ ଦିଏ। ଆତ୍ମ ବିକାଶ ସହ ନେତୃତ୍ବର ବିକାଶରେ ସହାୟକ ହୁଏ। ନୀତି ଶିକ୍ଷା ପ୍ରଦାନ କରେ। ଲେଖକର ଲେଖନୀ ବୋମା ଓ ମିସାଇଲ୍‌ଠୁ ବି ଅଧିକ ଶକ୍ତିଶାଳୀ। ଆଗକୁ ଭାରତ ବିଶ୍ବର ନେତୃତ୍ବ ନେବ। ସମଗ୍ର ବିଶ୍ବ ଭାରତ ଆଗରେ ନତ ମସ୍ତକ ହେବ। ସାହିତ୍ୟିକ ତା’ର ସୃଷ୍ଟିରେ ଏସବୁକୁ ସମ୍ଭବ କରିପାରିବାର କ୍ଷମତା ରଖିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୪ତମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଲାଲ ପ୍ରାଚୀନ ସାହିତ୍ୟରୁ ଆଧୁନିକ ସାହିତ୍ୟ ପର୍ଯ୍ୟନ୍ତ ସମାଜ ଉପରେ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ।

ଜିଲ୍ଲା ସଂସ୍କୃତି ଭବନ ପରିସରରେ ସଂସଦର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସାହିତ୍ୟିକ ଲୋକନାଥ ମିଶ୍ର, ସାମ୍ବାଦିକ ଶ୍ରୀରାମ ଦାଶ, ବିଧାନସଭା ସଚିବ ଦାଶରଥି ଶତପଥୀ, ଇଂ ଭରତ ଚରଣ ବେହେରା, କବି ବିପିନ ବିହାରୀ ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଶ୍ରୀରାମ ଦାଶ, ଦାଶରଥି ଶତପଥୀ, ଶିକ୍ଷା ଅଧିକାରୀ ଡ. ମର୍କତ କେଶରୀ ରାୟ, ସମାଜସେବୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ଗଣକ ଗଣେଶ ଶାସ୍ତ୍ରୀ, କବି ମାନସ ମହାପାତ୍ର, ଅଭିନେତା ପ୍ରଭାତ ବିଶ୍ୱାଳ, ଗୀତିକାର ଶ୍ରୀମନ୍ତ ପଣ୍ଡା, କବି ମଞ୍ଜୁଶ୍ରୀ ବରାଳ ଓ କବି ସୁପ୍ରିୟା ସାହୁଙ୍କୁ ସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

କବି ବେଣୁଧର ସୂତାର, ନାଟ୍ୟକାର ଡ.ରମାକାନ୍ତ ନାୟକ, କବି ମଞ୍ଜୁଶ୍ରୀ ବରାଳ, ସୁପ୍ରିୟା ସାହୁ, ମୋନାଲିସା ସିଂହ, ଅଶୋକ କୁମାର ଦାଶ, କୁମୁଦିନୀ ବେହେରାଙ୍କ ପୁସ୍ତକ ରାଜ୍ୟପାଳ ଲୋକାର୍ପଣ କରିଥିଲେ। ସମ୍ପାଦକ ହେମନ୍ତ ଜେନା ସ୍ୱାଗତ ଭାଷଣ ଦେଇଥିଲେ। ପାୟଲ୍ ମ୍ୟୁଜିକ୍‌ର ଶିଳ୍ପୀବୃନ୍ଦ ଜାତୀୟ ସଂଗୀତ ପରିବେଷଣ କରିଥିଲେ। ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ ବେଦପାଠ କରିଥିଲେ। ଅପର୍ତ୍ତି ଚରଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସସ୍ମିତା ପଣ୍ଡା ଓ ଚାରୁଲତା ଭୂୟାଁ କବିତା ପାଠ ସଂଯୋଜନା କରିଥିଲେ। ସୁରେଶ ଚନ୍ଦ୍ର ରଥ, ବୀଣାପାଣି ଚୌଧୁରୀ, ରଞ୍ଜିତା କୁମାରୀ ପତି, ରମାକାନ୍ତ ଦାଶ, ରଞ୍ଜନ କୁମାର ଦଳାଇ, ଅଭିରାମ ସାହୁ, ପ୍ରଣତି ମହାପାତ୍ର, ଲିଳିମା ଦାସ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ।

ସମ୍ବନ୍ଧିତ ଖବର