ଗିଲ୍‌ଙ୍କ ଶତକ ବଳରେ ଲଢ଼ିଲା ଭାରତ: ତୃତୀୟ ଦିନ ସୁଦ୍ଧା ୨୮୯/୩; ତଥାପି ୧୯୧ ରନ୍‌ ପଛରେ

ଅହମଦାବାଦ: ଶୁବମନ ଗିଲ୍‌ଙ୍କ ଦ୍ବିତୀୟ ଟେଷ୍ଟ୍ ଶତକ (୧୨୮) ବଳରେ ଭାରତ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଚତୁର୍ଥ ଟେଷ୍ଟରେ ଲଢ଼ିଛି। ଅଷ୍ଟ୍ରେଲିଆର ପ୍ରଥମ ପାଳି ୪୮୦ ରନ୍ ଜବାବରେ ତୃତୀୟ ଦିନ ସୁଦ୍ଧା ରୋହିତ ଶର୍ମାଙ୍କ ଦଳ ୩ ୱିକେଟ୍ ବିନିମୟରେ ୨୮୯ ରନ୍‌ ସଂଗ୍ରହ କରିଛି। ତଥାପି ଭାରତ ଏବେ ୧୯୧ ରନ୍‌ ପଛରେ ଥିବାରୁ ବିପଦମୁକ୍ତ ହୋଇନାହିଁ। ଆଇସିସି‌ ବିଶ୍ବ ଟେ‌ଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍ ପ୍ରବେଶ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବା ପାଇଁ ଭାରତକୁ ଏହି ଟେଷ୍ଟ୍ ଜିତିବା ଜରୁରୀ ରହିଛି। ନ ହେଲେ ବି ଭାରତ ମ୍ୟାଚ୍‌ ଡ୍ର’ ରଖିବା ସହ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ୍‌ ଟେଷ୍ଟ୍ ଶୃଙ୍ଖଳା ଫଳାଫଳକୁ ଅପେକ୍ଷା କରିବ। ଭାରତ ହାରିଗଲେ ବି ଶ୍ରୀଲଙ୍କା ଉଭୟ ଟେଷ୍ଟରେ ହାରିଲେ ହିଁ ଭାରତ ପାଇଁ ସୁଯୋଗ ରହିବ।

ଭାରତ ଶନିବାର ଏହାର ପୂର୍ବ ଦିନର ସ୍କୋର୍‌ ୩୬/୦ରୁ ଖେଳିଥିଲେ ମଧ୍ୟ ଅଧିନାୟକ ରୋହିତ ଶର୍ମା (୫୮ ବଲ୍‌ରୁ ୩୫ ରନ୍‌, ୩ ଚୌକା, ୧ ଛକା) ସଅଳ ଆଉଟ୍ ହୋଇଯାଇଥିଲେ। ଯୁବ ଖେଳାଳି ଶୁବମନ ଗିଲ୍‌ଙ୍କ ସହ ଯୋଗଦେଇ ଚେତେଶ୍ବର ପୂଜାରା ଅସୀମ ‌ଧୈର୍ଯ୍ୟ ଓ ସଂଜମତାର ସହ ବ୍ୟାଟିଂ କରିଥିଲେ। ଉଭୟ ମଧ୍ୟାହ୍ନ ଭୋଜନ ପୂର୍ବରୁ ଆଉ ୱିକେଟ୍ ନ ହରାଇବା ସହ ଭାରତ ପାଇଁ ବହୁମୂଲ୍ୟ ଶତକୀୟ ଭାଗୀଦାରି ଗଢ଼ିଥିଲେ। ଠିକ୍ ୪୦ ଓଭର ଖେଳି ଉଭୟ ଦ୍ବିତୀୟ ୱିକେଟ୍ ପାଇଁ ୧୧୩ ରନ୍‌ ଯୋଡ଼ିଥିଲେ। ଅଫସ୍ପିନର୍ ଟଡ୍ ମର୍ଫିଙ୍କ ବଲ୍‌ରେ ଏଲବିଡବ୍‌ଲ୍ୟୁ ହେବା ପରେ ପୂଜାରାଙ୍କ ୧୨୧ ବଲ୍‌ ୪୨ ରନ୍‌ ପାଳି ଶେଷ ହୋଇଥିଲା। ଏହା ପୂର୍ବରୁ କିନ୍ତୁ ଯୁବ ଖେଳାଳି ଶୁବମନ ଗିଲ୍‌ ତାଙ୍କ ଦ୍ବିତୀୟ ଟେଷ୍ଟ ଶତକ ପୂର୍ଣ୍ଣ କରିଥିଲେ। ୧୯୪ ବଲ୍‌ରୁ ୧୦ ଚୌକା ଓ ୧ ଛକା ସହାୟତାରେ ସେ ତିନି ଅଙ୍କ ଛୁଇଁଥିଲେ। ଚା’ପାନ ବିରତି ପରେ କିନ୍ତୁ ଅଭିଜ୍ଞ ଅଫସ୍ପିନର୍‌ ନାଥନ୍ ଲାୟନଙ୍କ ଦ୍ବାରା ଏଲ୍‌ବିଡବଲ୍ୟୁ ହୋଇଯାଇଥିଲେ। ୨୩ ବର୍ଷୀୟ ଗିଲ୍‌ ୨୩୫ ବଲ୍‌ରୁ ୧୨୮ ରନ୍‌ କରିଥିଲେ। ‌ସେତେବେଳକୁ ବିରାଟ କୋହଲିଙ୍କୁ ସାଥି କରି ଗିଲ୍‌ ୫୮ ରନ୍‌ ଭାଗୀଦାରି ଗଢ଼ିଥିଲେ। ଏଥି ସହ ଗିଲ୍‌ ଦୁଇଟି ଅର୍ଦ୍ଧଶତକ ଓ ଗୋଟିଏ ଶତକୀୟ ଭାଗୀଦାରିର ଅଂଶବିଶେଷ ହୋଇଥିଲେ। ଭାରତ ତିନିଟିଯାକ ଅଧିବେସନରେ ଗୋଟିଏ ଲେଖାଏଁ ୱିକେଟ୍ ହରାଇଥିବା ବେଳେ ଅଷ୍ଟ୍ରେଲିଆ କେବଳ ରନ୍‌ ଗତିକୁ ରୋକିବାରେ ସଫଳ ଥିବାରୁ ସନ୍ତୁଷ୍ଟ ହୋଇଛି। ଭ୍ରମଣକାରୀ ଦଳ ଶନିବାର ୮୯ ଓଭର ବୋଲିଂ କରି ୨୫୩ ରନ୍ ବ୍ୟୟ କରିଥିଲା। ଅନ୍ତିମ ଅଧିବେସନରେ ଭାରତ ୩୬ ଓଭରରୁ ୧୦୧ ରନ୍‌ ଯୋଡ଼ିଥିବା ବେଳେ ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଦେଜା ଅତୁଟ ଚତୁର୍ଥ ୱିକେଟ୍ ପାଇଁ ୪୪* ରନ୍‌ ଯୋଡ଼ିଛନ୍ତି। ସାଢ଼େ ତିନି ବର୍ଷ ହେବ ଟେଷ୍ଟ୍ ଶତକ ହାସଲ କରିନଥିବା ବିରାଟ କୋହଲି ୧୪ ମାସ ପରେ ଅର୍ଦ୍ଧଶତକ ଜମାଇଥିବାରୁ ଏବେ ୨୮ତମ ଶତକ ସମ୍ଭାବନା ସୃଷ୍ଟି କରିଛନ୍ତି। ୧୬ ଟେଷ୍ଟ ପରେ କୋହଲି ମଧ୍ୟ ପ୍ରଥମ ଥର ୫୦ ଅତିକ୍ରମ କରିବା ତାଙ୍କ ଖେଳ ଜୀବନର ସବୁଠାରୁ ଦୀର୍ଘତମ। କୋହଲି ୫୯* ରନ୍‌ରେ (୧୨୮ ବଲ୍‌, ୫ ଚୌକା) ଏବଂ ରବୀନ୍ଦ୍ର ଜାଦେଜା ୧୬* ରନ୍‌ରେ (୫୪ ବଲ୍‌, ୧ ଛକା) ବ୍ୟାଟିଂ ଜାରି ରଖିଛନ୍ତି। ଦିନ ତମାମ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ନିଜର ଏକାଧିକ କୌଶଳ ଓ ସୃଜନଶୀଳ ଯୋଜନା ପ୍ରୟୋଗ କରିଥିଲେ ମଧ୍ୟ ବି‌ଶେଷ ସଫଳତା ପାଇନଥିଲେ। ନିୟମିତ ଭାବେ ବୋଲିଂ ଅଦଳବଦଳ, ପଡ଼ିଆ ସଜାଇବାରେ ପରିବର୍ତନ କରିବା ସହ ନିଜେ ପୂଜାରାଙ୍କ ବ୍ୟାଟିଂ ବେଳେ ଲେଗ୍ ସ୍ଲିପ୍‌ରେ ଫିଲ୍ଡିଂ କରିଥିଲେ।

ରୋହିତ ଓ କୋହଲିଙ୍କ ମାଇଲଖୁଣ୍ଟ
ନିଜ ନିଜ ପାଳି ଅବସରରେ ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ଦୁଇଟି ବ୍ୟକ୍ତିଗତ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ରୋହିତ ଷଷ୍ଠ ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୭,୦୦୦ ରନ୍‌ ପୂର୍ଣ୍ଣ କରିଥିଲେ। ୩୫ ରନ୍‌ କରିଥିବା ରୋହିତ ବ୍ୟକ୍ତିଗତ ଭାବେ ୨୧ ରନ୍‌ ବେଳେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଥିଲେ। ରୋହିତଙ୍କ ପୂର୍ବରୁ ଏହି କ୍ଲବ୍‌ରେ କେବଳ ସଚିନ ତେନ୍ଦୁଲକର, ବିରାଟ କୋହଲି, ରାହୁଲ ଦ୍ରାବିଡ଼, ସୌରଭ ଗାଙ୍ଗୁଲି, ମହେନ୍ଦ୍ର ସିଂହ ଧୋନି ସାମିଲ ଅଛନ୍ତି। ୨୦୦୭ରେ ଆୟର୍ଲାଣ୍ଡ୍‌ ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳି ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିଥିବା ରୋହିତ ଏପର୍ଯ୍ୟନ୍ତ ୨୪୧ ଦିନିକିଆରୁ ୯୭୮୨ ରନ୍‌ ଏବଂ ୧୪୮ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରୁ ୩୮୫୩ ରନ୍‌ ସଂଗ୍ରହ କରିଛନ୍ତି। ୪୯ତମ ଟେଷ୍ଟ୍ ଖେଳୁଥିବା ରୋହିତ ପ୍ରଥମ ପାଳି ସୁଦ୍ଧା ମୋଟ ୩୩୭୯ ରନ୍‌ ସଂଗ୍ରହ କରିଛନ୍ତି। ଦିନିକିଆ କ୍ରିକେଟ୍‌ରେ ଏକମାତ୍ର ଖେଳାଳି ଭାବେ ରୋହିତ ୩ଟି ଦ୍ବିଶତକ ହାସଲ କରିବାର ରେକର୍ଡ ମଧ୍ୟ ନିଜ ନାମରେ ରଖିଛନ୍ତି। ଅନ୍ୟପକ୍ଷରେ ବିରାଟ କୋହଲି ନିଜ ୫୯* ରନ୍ ପାଳି ଅବସରରେ ଶନିବାର ପଞ୍ଚମ ଭାରତୀୟ ଭାବେ ଘରୋଇ ମାଟିରେ ୪,୦୦୦ ରନ୍‌ ଅତିକ୍ରମ କରିଛନ୍ତି। ଘରୋଇ ମାଟିରେ ୫୦ତମ ଟେଷ୍ଟରେ କୋହଲି ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। କୋହଲିଙ୍କ ପୂର୍ବରୁ ସଚିନ ତେନ୍ଦୁଲକର (୯୪ ଟେଷ୍ଟରୁ ୭୨୧୬ ରନ୍‌), ରାହୁଲ ଦ୍ରାବିଡ଼ (୭୦ ଟେଷ୍ଟରୁ ୫୫୯୮ ରନ୍‌), ସୁନିଲ ଗାଭାସ୍କର (୬୫ ଟେଷ୍ଟରୁ ୫୦୬୭ ରନ୍‌), ବୀରେନ୍ଦ୍ର ସେହବାଗ (୫୨ ଟେଷ୍ଟ୍‌ରୁ ୪୬୫୬ ରନ୍‌) ଏହି କ୍ଲବ୍‌ର ସଦସ୍ୟ ଥିଲେ।

ସମ୍ବନ୍ଧିତ ଖବର