ବିଶ୍ବର ଦ୍ରୁତତମ ବଲ୍ ଫିଙ୍ଗାଳି

ବିଶ୍ବର ଦ୍ରୁତତମ ବଲ୍ ଫିଙ୍ଗାଳି
@ranvijaylive ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥକଙ୍କୁ ଚିଡ଼ାଇବା ପାଇଁ ରୋହିତଙ୍କ ସହ ଖେଳପଡ଼ିଆରେ ମୋଦୀଙ୍କର ଉଠାହୋଇଥିବା ସଦ୍ୟ ଫଟୋଟିଏ ପୋଷ୍ଟ କଲେ। ଲେଖିଲେ, ‘‘ଦୁନିଆର ସବୁଠୁ ଦ୍ରୁତ ଫିଙ୍ଗୁଥିବା ବୋଲର୍ ବି ରୋହିତଙ୍କ ପରି ଉଚ୍ଚକୋଟୀର ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଆଉଟ୍ କରିପାରିବନାହିଁ।’’ ପ୍ରତ୍ୟୁତ୍ତରରେ ଜଣେ ଲେଖିଲେ, ଓହୋ! ରାହୁଲଙ୍କୁ ମୋଦୀ ଆମେଥିରୁ ୱାୟନାଡ୍‌କୁ ଯୋଉ ଫିଙ୍ଗିଦେଇଥିଲେ, ସେଇ ଫିଙ୍ଗାକଥା କହୁଛ ତ? ପୂରା କଂଗ୍ରେସକୁ ସେ କେମିତି ଫିଙ୍ଗିଦେଇଛନ୍ତି ଦେଖୁନ! ଖୋଜିଲେ ବି ଆଉ ମିଳୁନି। ମୋଦୀ ଏମିତି ବଲ୍ ଫିଙ୍ଗୁଛନ୍ତି ଯେ ତାଙ୍କ ଗତି, ସୁଇଂ ଆଦିକୁ ବିରୋଧୀ ଓ ବିଦେଶୀ କେହି କିଛି ବୁଝିପାରୁନାହାନ୍ତି। ଅନ୍ୟ ଜଣେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟ ଭାଷଣର ଉଦାହରଣ ଦେଇ ଲେଖିଛନ୍ତି, ମୋଦୀ ନୁହନ୍ତି, ରାହୁଲ ହିଁ ସବୁଠୁ ଦ୍ରୁତ ଗତିରେ ଫିଙ୍ଗୁଥିବା ବ୍ୟକ୍ତି। ଆଉ ଜଣେ ମୋଦୀବାଦୀ ତୀବ୍ର କଟାକ୍ଷ କରି କହିଛନ୍ତି:- ହଁ, ଠିକ୍ କହିଛ। ସେ ଧାରା ୩୭୦କୁ ଫିଙ୍ଗିଦେଇଛନ୍ତି। ରାମ ମନ୍ଦିର ପାଇଁ ବାବ୍ରୀ ମସଜିଦ୍‌କୁ ଫିଙ୍ଗିଦେଇଛନ୍ତି। ତିନି ତଲାକ୍‌କୁ ଫିଙ୍ଗିଦେଲେ। ଅପେକ୍ଷା କର, ଏବେ ସିଏଏ ଓ ଏନ୍‌ଆର୍‌ସି ଆଣିକି ଆହୁରି ଅନେକ ଲୋକଙ୍କୁ ଫିଙ୍ଗିବେ। ଉପରୋକ୍ତ ଫଟୋଟିରେ ମୋଦୀ-ରୋହିତଙ୍କ କଥୋପକଥନକୁ @IamDhruv45 ବର୍ଣ୍ଣନା କରନ୍ତି:- ରୋହିତ: ସାର୍! ମ୍ୟାଚ୍‌ଟିଏ ହାରିବା ପରର ସମାଲୋଚନାକୁ କିପରି ସାମ୍ନା କରିବା ଉଚିତ ସେ ନେଇ ମୋତେ ପ୍ଲିଜ୍ ଟିକେ ଟିପ୍ସ ଦିଅନ୍ତୁ। ମୋଦୀ: ଚିନ୍ତା କରନି। ସବୁ ଦୋଷ କପିଳଦେବ ଉପରେ ଅଜାଡ଼ିଦିଅ। @WireNeutral ଏକ ସୁନ୍ଦର କାର୍ଟୁନ୍ ପୋଷ୍ଟ କରିଛନ୍ତି। ଭାରତୀୟ ବୋଲର୍‌ଙ୍କ କାନ୍ଧରେ ହାତ ରଖି ମୋଦୀ କହୁଛନ୍ତି: ଆସ, ତୁମକୁ ମୁଁ ଫିଙ୍ଗିବା ଶିଖାଇବି। ଜଣେ ନିଆରା ମନ୍ତବ୍ୟଟିଏ ଦେଇଛନ୍ତି। ‘ମୋଦୀ-ରୋହିତଙ୍କ ଫଟୋରୁ କେବଳ ଗୋଟିଏ ନିର୍ଯାସ ଯଥେଷ୍ଟ। ଉଭୟ ନିଜନିଜ କ୍ଷେତ୍ରରେ ବହୁ ରଥୀମହାରଥୀଙ୍କୁ ପରାସ୍ତ କରି ଅପରାଜେୟ ରହିଆସିଥିବା ଜଣେ ଜଣେ ସଫଳ ଖେଳାଳି।’

ସହାନୁଭୂତି ନାହିଁ
ନବ ଦାସ ହତ୍ୟାକାଣ୍ଡ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ଏତେ ଟାଣୁଆ ଓ ପ୍ରତାପୀ ନେତା, ଯିଏ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିବା ଆଗରୁ ବିଜେଡି ପରି ଶାସକ ଦଳକୁ ଝାରସୁଗୁଡ଼ାରେ ପାଣି ପିଆଇଦେଉଥିଲେ, ତାଙ୍କ ହତ୍ୟାକାଣ୍ଡ ଯେପରି ଅନୁକମ୍ପା ସୃଷ୍ଟି କରିବା କଥା କରିନାହିଁ ବୋଲି ହେଉଥିବା ଆଲୋଚନାକୁ ଏଇ ପୋଷ୍ଟଗୁଡ଼ିକ ଖୋରାକ ଯୋଗାଉଛି। ନବଙ୍କ ରାଜନୈତିକ ଉତ୍ତରାଧିକାରୀ କନ୍ୟା ଦୀପାଳି ଯାହା ପୋଷ୍ଟ କଲେ ଏବେ ବୁମେରାଂ ହେଉଥିବା ଲକ୍ଷ୍ୟ କରାଯାଉଛି। @News18Odia ପୋଷ୍ଟରେ ଦୀପାଳିଙ୍କ ମନ୍ତବ୍ୟ:- ‘‘ଟିକେଟ କିଏ ପାଇବ ମୁଖ୍ୟମନ୍ତ୍ରୀ ନେବେ ନିଷ୍ପତ୍ତି, ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ସମର୍ଥନ କରିବୁ, ଭାଇ ଓ ମା’ଙ୍କ ସହ ମିଶି ବାପାଙ୍କ ଅଧୁରା ସ୍ବପ୍ନ ପୂରା କରିବୁ।’’

ଖାଲି ସମାଲୋଚନା ନୁହେଁ, ଟାହିଟାପରା, ଉପହାସ, ଏପରିକି ଅତି କଡ଼ା ଭାଷାରେ ଲୋକେ ଗାଳିଫଜିତ୍ କରୁଛନ୍ତି ସଦ୍ୟ ବାପଛେଉଣ୍ଡ ହୋଇଥିବା ଝିଅକୁ। ସେଥିରୁ କିଛି:- (୧) ନିଶ୍ଚୟ କରିପାରିବେ, କାରଣ ଛାମୁଙ୍କ ପାଇଲଟ ପ୍ରୋଜେକ୍ଟ ହେଉଛି ‘ବାପାଙ୍କ ସ୍ବପ୍ନ’ ଯାହାକୁ କେବଳ ତାଙ୍କର ଯୋଗ୍ୟ ସନ୍ତାନ ସନ୍ତତିଗଣ ହିଁ ପୂର୍ଣାଙ୍ଗ ରୂପରେଖ ଦେଇପାରନ୍ତି, ଆଉ ବାକି ପୁରୁଣା ବିଶ୍ୱସ୍ତ କର୍ମୀମାନେ କେବଳ ଆନୁଗତ୍ୟ ପ୍ରଦର୍ଶନ ନିମନ୍ତେ ଥାଆନ୍ତି; (୨) ଆପଣ ସବୁ କହିବେ, ହେଲେ ବାପାର ହତ୍ୟାକାରୀକୁ ପଦେ କଥା କହି‌େବନି; (୩) ଆପଣ ନିଶ୍ଚୟ ଟିକେଟ ପାଇବେ, ଜିତିବେ ମଧ୍ୟ, ଚିନ୍ତା କରନ୍ତୁନାହିଁ କାରଣ ଆପଣଙ୍କ ଉପରେ ଡୁପ୍‌ଲିକେଟ ବାପାଙ୍କ ହାତ ଅଛି, ତା’ପରେ ଆପଣଙ୍କ ବାପା ଅସାଧୁ ଉପାୟରେ ଯେଉଁ ସାମ୍ରାଜ୍ୟ ଛିଡ଼ା କରିଥିଲେ ତାକୁ ତ ରକ୍ଷା କରିବାକୁ ପଡ଼ିବ, କିନ୍ତୁ ସାବଧାନ। ଅନ୍ୟମାନେ ଅନେଇ ବସିଛନ୍ତି ବାପାଙ୍କ ସାମ୍ରାଜ୍ୟ ଉପରେ; (୪) ବିଜେଡିର ପାଇଲଟ୍ ‌େପ୍ରାଜେକ୍ଟ ହେଉଛି ବାପାଙ୍କ ଅଧୁରା ସ୍ବପ୍ନ; ଏ ଧନୀ ଲୋକମାନେ ନିଜ ପିଲାଛୁଆଙ୍କ ପାଇଁ କାହିଁକି ଏତେ ଅଧୁରା ସ୍ବପ୍ନ ଛାଡ଼ିକି ଯା’ନ୍ତି କେଜାଣି! (୫)ବିଜେଡିରେ ଥିବା ବାପାମାନେ ଦୟାକରି ଏତେ ସ୍ବପ୍ନ ଦେଖନ୍ତୁନାହିଁ… କାରଣ ତୁମେ ଗଲାପରେ ତୁମ ସନ୍ତାନମାନେ ତୁମ ଅଧୁରା ସ୍ବପ୍ନକୁ ପୂରଣ କରିବାକୁ ଯାଇ ବିଚରାମାନେ ଥକିପଡୁଛନ୍ତି; (୬) ଏମ୍‌ଏଲ୍‌ଏଙ୍କ ପୁଅଝିଅ ଏମ୍‌ଏଲ୍‌ଏ ହେବା ରାଜତନ୍ତ୍ର, ଗଣତନ୍ତ୍ର ନୁହେଁ; ବଂଶବାଦ ରାଜନୀତି ଛାଡ଼ି ନୂତନ ଶିକ୍ଷିତ ଯୁବକ/ଯୁବତୀଙ୍କୁ ସୁଯୋଗ ଦିଆଯାଉ।

ଅରୁନ୍ଧତୀଙ୍କୁ ଡାଆଣୀ କହି ଗାଳିଦେଲେ
ଲେଖୁଲେଖୁ ଅରୁନ୍ଧତୀ ରାୟ ଲେଖିଦେଲେ, ‘‘ମୋଦୀ ନିଜକୁ ରାଜା ନୁହେଁ, ଭଗବାନ ବନାଇବା ଚାହାନ୍ତି।’’ ଓହୋ! ତା’ପରେ କି ଗାଳି!! ଡାଆଣୀ, ରାକ୍ଷସୀ.. ଆଉ କେତେ କ’ଣ! ମୋଦୀ ସଂଘର୍ଷ କରି ବିଜୟୀ ହୋଇଥିବା ନେତା। ଇସ୍ଲାମିକ୍ ବିଚ୍ଛିନ୍ନତାବାଦୀଙ୍କ ସହ ହାତ ମିଳାଇଥିବା ତମପରି ନକ୍ସଲ ସମର୍ଥକ ନୁହଁ। ହଁ, ସେ ଈଶ୍ବରଙ୍କ ପ୍ରତିନିଧି, କାରଣ ବାରମ୍ବାର ଲୋକଙ୍କ ଭୋଟ ପାଇ ଜିତିକି ଶାସନ କରୁଛନ୍ତି। ଆତଙ୍କବାଦୀଙ୍କର ଉପପତ୍ନୀ ସାଜିଥିବା ‌ମହିଳାଙ୍କଠାରୁ ମୋଦୀଙ୍କୁ ପ୍ରମାଣପତ୍ର ଦରକାର ନାହିଁ। ‘ଭାରତ ଆଗରୁ କେବେ ଏତେ ମଜବୁତ ନଥିଲା’ ବୋଲି ବ୍ରିଟେନ୍‌ର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର କହିଥିବା ଖବରଟିର କ୍ଲିପିଂଟିଏ ପୋଷ୍ଟ କରିଛନ୍ତି ଜଣେ। ସେହିପରି ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କ ହାତ ଧରିଥିବା ଅରୁନ୍ଧତୀଙ୍କର ଏକ ଫଟୋ ମଧ୍ୟ ପୋଷ୍ଟ ହୋଇଛି। ଅନ୍ୟ ପକ୍ଷରେ ମୋଦୀ ବିରୋଧୀ ମଧ୍ୟ କିଛି କମ୍ ଟାହିଟାପରା କରୁନାହାନ୍ତି। ‘ମୁହଁ ମେ ଗଂଗେ, ଦିମାଗ୍ ମେ ଦଂଗେ..’’ ପରି କଡ଼ା ସମାଲୋଚନାମୂଳକ ମିମ୍ସମାନ ପୋଷ୍ଟ କରିଛନ୍ତି ସେମାନେ।

ସମ୍ବନ୍ଧିତ ଖବର