କୋହଲି-ବାବର ପାଲଟା ଗତି

ପନ୍ତ ବନାମ କାର୍ତ୍ତିକ: ଦ୍ରାବିଡ଼ କହିଲେ କେହି ପ୍ରଥମ ପସନ୍ଦର ୱିକେଟ୍‌ରକ୍ଷକ ନୁହନ୍ତି

ଦୁବାଇ: ବିଶ୍ବର ଦୁଇ ପ୍ରମୁଖ ବ୍ୟାଟର୍‌ ବିରାଟ କୋହଲି ଏବଂ ବାବର ଆଜମଙ୍କ ଫର୍ମ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏସିଆ କପ୍‌ରେ ଉଭୟଙ୍କ ଫର୍ମ ପାଲଟା ପଥରେ ଚାଲିଛି। ପ୍ରତିଯୋଗିତା ଆରମ୍ଭ ପୂର୍ବରୁ କୋହଲିଙ୍କ ଫର୍ମ ଓ ଦଳରେ ତାଙ୍କ ସ୍ଥାନକୁ ନେଇ ଢେର ଆଲୋଚନା ହୋଇଥିଲା। କୋହଲି କିନ୍ତୁ ଲୟକୁ ଫେରି ଏବେ କ୍ରମାଗତ ୩ ପାଳିରେ ୩୫, ୫୯*, ୬୦ ରନ୍‌ କରି ସାରିଛନ୍ତି। ଅନ୍ୟପକ୍ଷରେ ବାବର କିନ୍ତୁ ସଂଘର୍ଷ କରି ଏଠାରେ ଯଥାକ୍ରମେ ୧୦, ୯, ୧୪ ରନ୍‌ କରିଛନ୍ତି। ଭାରତ ବିପକ୍ଷ ଉଭୟ ମ୍ୟାଚ୍‌ରେ ସେ ବିଫଳ ହୋଇଛନ୍ତି। ନିଜ ଟ୍ବେଣ୍ଟି-୨୦ ଖେଳ ଜୀବନର ଶେଷ ୧୦ ପାଳିରୁ ୮ ଥର ୨୦ ପୂର୍ବରୁ ଆଉଟ୍ ହୋଇଛନ୍ତି। ତା ପୂର୍ବରୁ କିନ୍ତୁ ବାବର ୫୭ ପାଳିରେ ମାତ୍ର ୬ ଥର ୨୦ରୁ ତଳେ ଆଉଟ୍ ହୋଇଥିଲେ।

ପନ୍ତ ବନାମ କାର୍ତ୍ତିକ: ଦ୍ରାବିଡ଼ କହିଲେ କେହି ପ୍ରଥମ ପସନ୍ଦର ୱିକେଟ୍‌ରକ୍ଷକ ନୁହନ୍ତି

ନୂଆଦିଲ୍ଲୀ: ଏସିଆ କପ୍‌ର କିଛି ମ୍ୟାଚ୍‌ରେ ଭାରତର ଚୂଡ଼ାନ୍ତ ଏକାଦଶରେ ଋଷଭ ପନ୍ତଙ୍କ ସ୍ଥାନରେ ଅଭିଜ୍ଞ ଦୀ‌ନେଶ କାର୍ତ୍ତିକ ଖେଳିବା ନେଇ ଅନେକ ବାଦ ବିବାଦ ସୃଷ୍ଟି ହୋଇଛି। ଯୁବବୀର ପନ୍ତଙ୍କ ପରିବର୍ତ୍ତେ ପୁରୁଖା କାର୍ତ୍ତିକଙ୍କୁ ଦଳରେ ପ୍ରଥମ ପସନ୍ଦର ୱିକେଟ୍ ରକ୍ଷକ ଭାବେ ସାମିଲ କରାଯିବାକୁ କ୍ରିକେଟ୍ ବିଶେଷଜ୍ଞମାନେ ପସନ୍ଦ କରିନାହାନ୍ତି। ମୁଖ୍ୟ ପ୍ରଶିକ୍ଷକ ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ଏହି ବିତର୍କ ଉପରେ ବିରାମ ଲଗାଇ ପ୍ରଥମ ପସନ୍ଦର ୱିକେଟ୍ ରକ୍ଷକ ବୋଲି କିଛି ନାହିଁ, ପରିବେଶ ଓ ପରିସ୍ଥିତି ଅନୁଯାୟୀ ଚୂଡ଼ାନ୍ତ ଦଳରେ ଖେଳାଳିଙ୍କୁ ରଖାଯାଇଥାଏ ବୋଲି ଏକ ସାକ୍ଷାତକାର ଅବସରରେ ସ୍ପଷ୍ଟ କରି ଦେଇଛନ୍ତି। ‘‘ଦଳରେ କେହି ପ୍ରଥମ ପସନ୍ଦର ୱିକେଟ୍ରକ୍ଷକ ନାହାନ୍ତି। ଆମେ ପରିବେଶ, ପରିସ୍ଥିତି ଏବଂ ପ୍ରତିପକ୍ଷ ଅନୁଯାୟୀ ଖେଳୁ। ଶ୍ରେଷ୍ଠ ଏକାଦଶ ବାଛି ପଡ଼ିଆକୁ ଓହ୍ଲାଇଥାଉ। ସତ କହିବାକୁ ଗଲେ ପ୍ରଥମ ପସନ୍ଦର ଚୂଡ଼ାନ୍ତ ଏକାଦଶ ବୋଲି କିଛି ନଥାଏ। ଏହା ସବୁବେଳେ ପରିବର୍ତ୍ତନଶୀଳ। ପାକିସ୍ତାନ ବିପକ୍ଷ ସେହି ମ୍ୟାଚ୍‌ରେ ଦୀନେଶ କାର୍ତ୍ତିକ ଆମ ପାଇଁ ପ୍ରଥମ ପସନ୍ଦ ଥିଲେ। ସୁପର ଫୋର୍‌ରେ କିନ୍ତୁ ଆମେ ପନ୍ତଙ୍କୁ ନେଇଛୁ। ସେହିଭଳି ହଂକଂ ବିପକ୍ଷରେ ଉଭୟ ପନ୍ତ ଓ କାର୍ତ୍ତିକ ଖେଳିଥିଲେ। ହେଲେ ବ୍ୟାଟିଂ କରିବାର ସୁଯୋଗ ପାଇନଥିଲେ। କାହାକୁ ବି ଦଳରୁ ବାଦ୍‌ ଦେବା ବହୁତ କଷ୍ଟକର ହୋଇଥାଏ। ହେଲେ ଆମେ ସବୁବେଳେ ‌ଶ୍ରେଷ୍ଠ ଏକାଦଶ ବାଛିବାକୁ ଚେଷ୍ଟା କରିଥାଉ।’’ ବୋଲି ଦ୍ରାବିଡ଼ ଏହି ଅବସରରେ କହିଥିଲେ।

ସମ୍ବନ୍ଧିତ ଖବର