ଜଗରନଟ୍ସକୁ ୧ ପଏଣ୍ଟରେ ୧ କୋଟି: ଫାଇନାଲ୍‌ରେ ତେଲୁଗୁ ଯୋଦ୍ଧାସ୍‌କୁ ହରାଇଲା

ଲାଣ୍ଡେ’ଙ୍କ ସ୍କାଏ ଡାଇଭ୍ ପଏଣ୍ଟ୍‌ରେ ଆସିଲା ଟ୍ରଫି, ଓଡ଼ିଶା କ୍ରୀଡ଼ା‌ ଜଗତରେ ଖୁସିର ଲହରି

ଭୁବନେଶ୍ବର: ଅସାଧାରଣ ପ୍ରତ୍ୟାବର୍ତ୍ତନର ବଳିଷ୍ଠ ନମୁନା ଦେଖାଇ ହୃତ୍‌ସ୍ପନ୍ଦନ ବନ୍ଦ ହେଲା ଭଳି ଜବରଦସ୍ତ ରୋମାଞ୍ଚ, ତୀବ୍ର ଉତ୍କଣ୍ଠାପୂର୍ଣ୍ଣ ତଥା ବାରମ୍ବାର ନାଟକୀୟ ମୋଡ଼ ନେଇଥିବା ଫାଇନାଲ୍‌ରେ ତେଲୁଗୁ ଯୋଦ୍ଧାସ୍‌କୁ ମାତ୍ର ୧ ପଏଣ୍ଟ୍‌ରେ ପରାସ୍ତ କରି ଓଡ଼ିଶା ଜଗରନଟ୍ସ ପ୍ରଥମ ଥର ପାଇଁ ଆୟୋଜିତ ପେସାଦାର ଖୋ ଖୋ ଲିଗ୍ ‘ଅଲ୍ଟିମେଟ୍ ଖୋ ଖୋ’ ଜିତି ନେଇଛି। ଖେଳ ଶେଷହେବାର ୧୪ ସେ‌କେଣ୍ଡ ପୂର୍ବରୁ ନିର୍ଣ୍ଣାୟକ ପଏଣ୍ଟ୍‌ ଅର୍ଜନ କରି ଜଗରନଟ୍ସ ବିଜେତା ହେବା ପରେ ଓଡ଼ିଶା କ୍ରୀଡ଼ା ଜଗତରେ ଖୁସିର ଲହରି ଖେଳି ଯାଇଛି। ଭିଡିଓ କନଫରେନ୍‌ସିଂରେ ଟ୍ରଫି ନେଇ ଭୁବନେଶ୍ବର ଆସିବେ ବୋଲି ଜଗରନଟ୍ସ ଖେଳାଳି ଓ ପ୍ରଶିକ୍ଷକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‌ଦେଇଥିବା ପ୍ରତିଶ୍ରୁତି ମଧ୍ୟ ରକ୍ଷା କରିଛନ୍ତି। ଭାରତରେ ଖୋ ଖୋ ବିପ୍ଳବର ବାର୍ତ୍ତା ନେଇ ଆରମ୍ଭ ହୋଇଥିବା ‘ଅଲ୍ଟିମେଟ୍ ଖୋ ଖୋ’ର ଆକର୍ଷଣୀୟ ଟ୍ରଫି ସହ ଓଡ଼ିଶା ଜଗରନଟ୍ସ ମଧ୍ୟ ୧ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଲାଭ କରିଛି। ଓଡ଼ିଶାରେ ଖୋ ଖୋ ଘରେ ଘରେ ପହଞ୍ଚିବାର ଦୃଢ଼ ମୂଳଦୁଆ ମଧ୍ୟ ପକାଇଛି। ଓଡ଼ିଶା କ୍ରୀଡ଼ା ବିକାଶ ଏବଂ ପ୍ରସାର କଂପାନି ମାଲିକାନାରେ ଥିବା ଓଡ଼ିଶା ଜଗରନଟ୍ସ ଦଳର ମୁଖ୍ୟ ପୃଷ୍ଠପୋଷକ ଭାବେ ଓଡ଼ିଶା ସରକାର ମଧ୍ୟ ନୂଆ କୀର୍ତ୍ତିମାନ କରିଛନ୍ତି। ପ୍ରଥମ ଏବଂ ଏକମାତ୍ର ରାଜ୍ୟ ଭାବେ ଖୋ ଖୋ ଦଳ କିଣି ପ୍ରଥମ ଋତୁରେ ବି‌ଜେତା ହେବାର ଶ୍ରେୟ ଏବଂ ଗୌରବ ମଧ୍ୟ ଓଡ଼ିଶା ଲାଭ କରିଛି। ଓଡ଼ିଶାର ଏହି ନିଜସ୍ବ ଦଳରେ ୬ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇ ନିଜ ନିଜର ଛାପ ମଧ୍ୟ ଛାଡ଼ିଛନ୍ତି। ଏହି ଖେଳାଳିମାନେ ହେଲେ ଜଗନ୍ନାଥ ମୁର୍ମୁ, ଲିପୁନ ମୁଖୀ, ସିଦ୍ଧେଶ୍ବର ଟୁଡୁ, ସ୍ବୟଂପ୍ରକାଶ ପରିଜା, ସୁଭା‌ଶିଷ ସନ୍ତ୍ରା ଓ ସୁକାନ୍ତ ସିଂହ। ଓଡ଼ିଶା ଜଗରନଟ୍ସର ଏହି ସଫଳତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର ଭିନିଲକ୍ରିଷ୍ଣା ପ୍ରମୁଖ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ନାଟକୀୟ ମୋଡ଼ଭରା ୪ ଟର୍ନ
ରବିବାର ଫାଇନାଲ୍‌ ଥିଲା ବେଶ୍ ରୋମାଞ୍ଚକ। ପ୍ରଥମାର୍ଦ୍ଧର ଦୁଇ ଟର୍ନ ସୁଦ୍ଧା ଓଡ଼ିଶା ଜଗରନଟ୍ସ ୩ ପଏଣ୍ଟ୍‌ରେ ଆଗୁଆ ଥିଲା। ତେବେ ଦ୍ବିତୀୟାର୍ଦ୍ଧର ପ୍ରଥମ ଟର୍ନରେ ପ୍ରତିପକ୍ଷ ତେଲୁଗୁ ଯୋଦ୍ଧାସ୍ ୧୮ ପଏଣ୍ଟ୍‌ରେ ଆଗୁଆ ହୋଇଯାଇଥିଲା। ଏହି ଟର୍ନରେ ତେଲୁଗୁ ଯୋଦ୍ଧାସ୍ ୨୧ ପଏଣ୍ଟ ହାସଲ କରି ମ୍ୟାଚ୍‌କୁ ଏକପ୍ରକାର ନିଜ ନିୟନ୍ତ୍ରଣକୁ ନେଇଥିଲା। ତେବେ ଚତୁର୍ଥ ତଥା ଶେଷ ଟର୍ନରେ ଧମାକାଦାର ପ୍ରତ୍ୟାବର୍ତ୍ତନ କରି ଓଡ଼ିଶା ଜଗରନଟ୍ସ ମ୍ୟାଚ୍‌ ଓ ଟ୍ରଫି ଜିତି ନେଇଥିଲା। ଜଗରନଟ୍ସ ୪୬ ପଏଣ୍ଟ୍‌ ଅର୍ଜନ କରିଥିଲା ବେଳେ ତେଲୁଗୁ ଯୋଦ୍ଧାସ୍ ୪୫ ପଏଣ୍ଟ୍‌ ପାଇ ଉପବିଜେତାରେ ସନ୍ତୁଷ୍ଟ ‌ରହିଥିଲା। ଓଡ଼ିଶା ଜଗରନଟ୍ସର ଏହି ଅବିଶ୍ବସନୀୟ ବିଜୟ ପରେ ଆସନ୍ତା ଋତୁରେ ‘ଅଲ୍ଟିମେଟ୍ ଖୋ ଖୋ’ ଓଡ଼ିଶା ପଦାର୍ପଣ କରିବାର ବାଟ ମଧ୍ୟ ଫିଟିଛି। ହାଇଭୋଲଟେଜ୍ ଫାଇନାଲ୍‌ରେ ଉଭୟ ଦଳର ଶକ୍ତି ଓ ସାମର୍ଥ୍ୟ ପ୍ରାୟ ସମାନ ଥିଲା। ତେବେ ସ୍କାଏ ଡାଇଭ୍ ପଏଣ୍ଟ୍‌ରେ ୩ ପଏଣ୍ଟ୍‌ ଅଧିକ ଅର୍ଜନ କରିବା ପରେ ଓଡ଼ିଶା ଜଗରନଟ୍ସ ସପକ୍ଷରେ ଫଳାଫଳ ଯାଇଥିଲା। ସୁରଜ ଲା‌ଣ୍ଡେଙ୍କ ଅନନ୍ୟ ସ୍କାଏ ଡାଇଭ୍ ପଏଣ୍ଟ୍‌ ହିଁ ଓଡ଼ିଶାକୁ ବିଜେତା କରାଇଥିଲା। ଲାଣ୍ଡେ ଆଜି ଏକାକୀ ୯ ପଏଣ୍ଟ୍‌ ଅର୍ଜନ କରିଥିଲେ।

ଫାଇନାଲ୍ ପୂର୍ବରୁ ପ୍ରସିଦ୍ଧ ବଲିଉଡ୍ ଗାୟକ ମୋହିତ ଚୌହ୍ବାନ ଜାତୀୟ ସଂଗୀତ ଗାନ କରିଥିଲେ। ବିଶ୍ବ ହିପ୍‌ ହପ୍ ନୃତ୍ୟ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ‘ଲାୟନ୍ସ କ୍ରୁ’ ଦଳ ନୃତ୍ୟ ପରିବେଷଣ କରିଥିଲା। ସେପଟେ ଗୁଜୁରାଟ ଲାୟନ୍ସ ତୃତୀୟ ସ୍ଥାନରେ ରହି ୩୦ ଲକ୍ଷ ଟଙ୍କାର ପୁରସ୍କାର ଲାଭ କରିଥିଲା। ସୂଚନାଯୋଗ୍ୟ ଯେ ପ୍ରଥମ ‘ଅଲ୍ଟିମେଟ୍ ଖୋ ଖୋ’ ଲିଗ୍ ୬ ଦଳକୁ ନେଇ ପୁଣେର ଛତ୍ରପତି ସ୍ପୋର୍ଟସ କଂପ୍ଲେକ୍ସରେ ‌ଆ‌‌ୟୋଜିତ ହେଉଥିଲା।

ସମ୍ବନ୍ଧିତ ଖବର