‌ମ୍ୟାକ୍ସୱେଲ୍‌ଙ୍କ ୪୦ ବଲ୍‌ ଶତକ: ଅଷ୍ଟ୍ରେଲିଆର ବିଶ୍ବକପ୍‌ ରେକର୍ଡ ବିଜୟ, ନେଦରଲାଣ୍ଡ୍‌ସ ୩୦୯ ରନ୍‌ରେ ପରାସ୍ତ

ନୂଆଦିଲ୍ଲୀ: ଡେଭିଡ୍‌ ୱାର୍ଣ୍ଣରଙ୍କ କ୍ରମାଗତ ଶତକ ସହ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ଦ୍ରୁତତମ ବିଶ୍ବକପ୍‌ ଶତକ ସହାୟତାରେ ଅଷ୍ଟ୍ରେଲିଆ ବୁଧବାର ନେଦରଲାଣ୍ଡ୍‌ସକୁ ୩୦୯ ରନ୍‌ର ବୃହତ୍‌ ବ୍ୟବଧାନରେ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଏହି ବିଜୟ ଏକାଧିକ କୀର୍ତ୍ତିମାନ ଲେଖିଛି। ବିଶ୍ବକପ୍‌ ଇତିହାସରେ ଏହା ସର୍ବବୃହତ୍‌ ବିଜୟ ହୋଇଥିଲା ବେଳେ ମ୍ୟାକ୍ସୱେଲ୍‌ଙ୍କ ଶତକ ମଧ୍ୟ ଦ୍ରୁତତମ ରେକର୍ଡ କରିଛି।। ଅଷ୍ଟ୍ରେଲିଆ ବ୍ୟାଟର୍‌ଙ୍କ ବିସ୍ଫୋରକ ଖେଳ ଯୋଗୁଁ ଦଳ ୩୯୯/୮ ସ୍କୋର କରିଥିଲା ବେଳେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିପର୍ଯ୍ୟୟ କରିଥିବା ନେଦରଲାଣ୍ଡ୍‌ସ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ୯୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଏହାଫଳରେ ନେଦରଲାଣ୍ଡ୍‌ସ ପ୍ରଥମ ଥର ପାଇଁ ବିଶ୍ବକପ୍‌ରେ ୧୦୦ରୁ କମ୍‌ ରନ୍‌ କରିଥିଲା। ବିସ୍ଫୋରକ ପାଳି ସହାୟତାରେ ଲୟକୁ ଫେରିଥିବା ମ୍ୟାକ୍ସୱେଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ କରିଥିଲା ବେଳେ ଚତୁର୍ଥ ଓଭରରେ ମିଚେଲ ମାର୍ଶ (୯) ଆଉଟ୍‌ ହୋଇଥିଲେ। କିନ୍ତୁ ତୁରନ୍ତ ଦଳ ଏହି କ୍ଷତିର ଭରଣା କରିବାରେ ସଫଳ ହୋଇଥିଲା। ଦ୍ବିତୀୟ ୱିକେଟ୍‌ରେ ଷ୍ଟିଭେନ୍‌ ସ୍ମିଥ୍‌ (୭୧)ଙ୍କ ସହ ୧୩୨ ଓ ତୃତୀୟ ୱିକେଟ୍‌ରେ ମାର୍ନସ ଲବୁସାନ (୬୨)ଙ୍କ ସହ ୮୪ ରନ୍‌ ଭାଗୀଦାରି ପରେ ଡେଭିଡ୍‌ ୱାର୍ଣ୍ଣର ଚଳିତ ବିଶ୍ବକପ୍‌ରେ ଲଗାତାର ଦ୍ବିତୀୟ ଶତକ (୧୦୪ ରନ୍‌, ୯୩ ବଲ୍, ୧୧ ଚୌକା, ୩ ଛକା) ଅର୍ଜନ କରିଥିଲେ। ଏହି ଶତକୀୟ ପାଳି ସହାୟତାରେ ବିଶ୍ବକପ୍‌ ଇତିହାସରେ ସର୍ବାଧିକ ଶତକ କରିବାରେ ସେ ରୋହିତ ଶର୍ମା (୭)ଙ୍କ ପଛକୁ ସଚିନ ତେନ୍ଦୁଲକର (୬)ଙ୍କ ସମକକ୍ଷ ହୋଇଛନ୍ତି। ୩୯ତମ ଓଭରରେ ବ୍ୟାଟିଂ ଆସିଥିବା ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଚୌକା, ଛକା ବର୍ଷା କରି ଦ୍ରୁତ ରନ୍‌ ସଂଗ୍ରହ କରିଥିଲେ। ୪୦ ବଲ୍‌ରୁ ଶତକ କରିବା ପରେ ୧୦୬ ରନ୍‌ (୯ ଚୌକା, ୮ ଛକା) କରି ଆଉଟ୍‌ ହୋଇଥିଲେ। ‌ଏଥିସହିତ ଦିନିକିଆରେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ଛକା ମାରିବାରେ ସେ ରିକି ପଣ୍ଟିଂ (୧୫୯) ଓ ଆଡ଼ାମ ଗିଲକ୍ରିଷ୍ଟ (୧୪୮)ଙ୍କ ପଛକୁ ତୃତୀୟ (୧୩୮)ରେ ରହିଲେ। ନେଦରଲାଣ୍ଡ୍‌ସର ଲୋଗାନ ଭାନ୍‌ ବିକ୍‌ ସବୁଠୁ ସଫଳ ବୋଲର (୪/୭୪) ରହିଥିଲେ। କିନ୍ତୁ ବାସ୍‌ ଡି’ଲିଡେ ପୂର୍ଣ୍ଣ କୋଟା ୧୦ ଓଭରରେ ୧୧୫ ରନ୍‌ ବ୍ୟୟ କରି ଦିନିକିଆରେ ସବୁଠୁ ମହଙ୍ଗା ବୋଲର ହେବାର ଅଲୋଡ଼ା କୀର୍ତ୍ତି ବହନ କରିଛନ୍ତି।
ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ନେଦରଲାଣ୍ଡ୍‌ସ ଅଷ୍ଟ୍ରେଲିଆ ଆକ୍ରମଣକୁ ସାମ୍ନା କରିପାରି ନଥିଲା। ଦକ୍ଷିଣ ଆଫ୍ରିକା ବିପର୍ଯ୍ୟୟରେ ବଡ଼ ଭୂମିକା ନେଇଥିବା ଅଧିନାୟକ ସ୍କଟ ଏଡୱାର୍ଡ୍ସ (୧୨) ବିଫଳ ହେବାରୁ ଦଳ ୨୧ ଓଭରେ ସମସ୍ତ ୱିକେଟ୍‌ ହରାଇଥିଲା। ଆଡ଼ାମ ଜାମ୍ପା ୩ ଓଭରରେ ମାତ୍ର ୮ ରନ୍‌ ବ୍ୟୟ କରି ୪ ୱିକେଟ୍‌ ଅକ୍ତିଆର କରିବା ସହ ବିଜୟ ମୁଣ୍ଡି ମାରିଥିଲେ। ଏଥିସହିତ ଚଳିତ ବିଶ୍ବକପ୍‌ରେ ସେ ମୋଟ ୧୩ ୱିକେଟ୍‌ ନେଇ ସର୍ବାଧିକ ୱିକେଟ୍‌ ହାସଲକାରୀ ହୋଇଛନ୍ତି।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ୫୦ ଓଭରରେ ୩୯୯/୮ (ଗ୍ଲେନ୍‌ ମ୍ୟାକ୍ସୱେଲ-୧୦୬, ଡେଭିଡ ୱାର୍ଣ୍ଣର-୧୦୪, ଷ୍ଟିଭେନ ସ୍ମିଥ-୭୧, ମାର୍ନସ ଲବୁସାନ-୬୨, ଲୋଗାନ ଭାନ ବିକ୍-୪/୭୪, ବାସ୍‌ ଡି’ଲିଡ୍‌-୨/୧୧୫)। ନେଦରଲାଣ୍ଡ୍‌ସ ୨୧ ଓଭରରେ ୯୦/୧୦ (ବିକ୍ରମଜିତ ସିଂହ-୨୫, ତେଜା ନିଦାମନୁରୁ-୧୪, ଆଡ଼ାମ ଜାମ୍ପା-୪/୮, ମିଚେଲ ମାର୍ସ-୨/୧୯)।

ସମ୍ବନ୍ଧିତ ଖବର