ଟେଷ୍ଟ୍ ଦଳରୁ ପୂଜାରା ବାଦ୍‌: ସାମିଙ୍କୁ ବିଶ୍ରାମ; ଜୟସ୍ବାଲ, ଗାଏକ୍ବାଡ୍‌, ମୁକେଶ ନୂଆ ମୁହଁ

ମୁମ୍ବାଇ : ଜୁଲାଇ ମାସରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟେଷ୍ଟ୍ ଓ ଦିନିକିଆ ଦଳ ଶୁକ୍ରବାର ଘୋଷିତ ହୋଇଛି। ଟେଷ୍ଟ୍ ଦଳରୁ ଅଭିଜ୍ଞ ବ୍ୟାଟର୍‌ ‌ଚେତେଶ୍ବର ପୂଜାରାଙ୍କୁ ବାଦ୍ ଦିଆଯାଇଥିବା ବେ‌ଳେ ଘରୋଇ କ୍ରିକେଟ୍‌ରେ ପ୍ରଚୁର ରନ୍ ସଂଗ୍ରହ କରୁଥିବା ଦୁଇ ଯୁବ ତାରକା ଯଶସ୍ବୀ ଜୟସ୍ବାଲ ଏବଂ ଋତୁରାଜ ଗାଏକ୍ବାଡଙ୍କୁ ସାମିଲ କରାଯାଇଛି। ପ୍ରଥମ ଥର ପାଇଁ ଜୟସ୍ବାଲ, ଗାଏକ୍ବାଡଙ୍କ ସହ ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ଦଳରେ ନିଆଯାଇଛି। ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଉମେଶ ଯାଦବଙ୍କ ବଦଳରେ ନଭଦୀଦ ସୈନି ପ୍ରତ୍ୟାବର୍ତନ କରିଛନ୍ତି। ଡବଲ୍ୟୁଟିସି ଫାଇନାଲ୍‌ର ଉଭୟ ପାଳିରେ ୧୪ ଓ ୨୭ ରନ୍‌ କରିଥିବା ୩୫ ବର୍ଷୀୟ ପୂଜାରାଙ୍କ ପାଇଁ ସବୁଦିନ ଲାଗି ବାଟ ବନ୍ଦ ହୋଇଯାଇଥିବା ବିଶ୍ବାସ କରାଯାଉଛି। ଶୁବମନ ଗିଲ୍‌ଙ୍କୁ ତଳକୁ ଖସା ନ ଗଲେ ପୂଜାରାଙ୍କ ୩ ନମ୍ବର ସ୍ଥାନରେ ଜୟସ୍ବାଲ କିମ୍ବା ଗାଏକ୍ବାଡଙ୍କ ମଧ୍ୟରୁ ଜଣେ ନିଶ୍ଚିତ ୨୦୨୩-୨୫ ଡବଲ୍ୟୁଟିସି ଚକ୍ରରେ ଖେଳିବା ନିଶ୍ଚିତ। ଅନ୍ୟପକ୍ଷରେ ୧୫ ମାସ ପରେ ଟେଷ୍ଟ୍‌ କ୍ରିକେଟ୍‌କୁ ଫେରି ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍‌ରେ ଭଲ ପ୍ରଦର୍ଶନ କରିଥିବା ଅଜିଙ୍କ୍ୟ ରାହାଣେ ଦଳରେ କେବଳ ନିଜ ସ୍ଥାନ ସୁରକ୍ଷିତ ରଖିନାହାନ୍ତି, ଉପ ଅଧିନାୟକ ପଦକୁ ମଧ୍ୟ ପୁନଃ ପ୍ରତ୍ୟାବର୍ତନ କରିଛନ୍ତି। ଟେଷ୍ଟ୍ ଦଳରେ ଅନ୍ୟ ବିଶେଷ ପରିବର୍ତନ ‌ହୋଇନାହିଁ। ଆହତ କାରଣରୁ ଯଶପ୍ରୀତ ବୁମରା, କେଏଲ୍ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ତ୍ ଦଳକୁ ଫେରି ପାରିନାହାନ୍ତି।


ମହାରାଷ୍ଟ୍ର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳୁଥିବା ଗାଏକ୍ବାଡ ୨୮ ମ୍ୟାଚ୍‌ରୁ ୬ ଶତକ ସହିତ ୪୨.୧୯ ହାରରେ ୧୯୪୧ ରନ୍‌ ସଂଗ୍ରହ କରିଛନ୍ତି। ସେହିଭଳି ମୁମ୍ବାଇ ବ୍ୟାଟର୍‌ ଜୟସ୍ବାଲ ୧୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୮୦.୨୧ ହାରରେ ୧୮୪୫ ରନ୍‌ ସଂଗ୍ରହ କରିଛନ୍ତି। ଗତ ଈରାନୀ କପ୍‌ ମ୍ୟାଚ୍‌ରେ ସେ ମଧ୍ୟପ୍ରଦେଶ ବିପକ୍ଷରେ ଅବଶିଷ୍ଟ ଭାରତ ପାଇଁ ୨୧୩ ଓ ୧୪୪ ରନ୍‌ ପାଳି ଖେଳି ଚୟନକର୍ତାଙ୍କୁ ପ୍ରଭାବିତ କରିଥିଲେ। ସେହିଭଳି ବେଙ୍ଗଲକୁ ବିଗତ ୩ ଋତୁରେ ୨ ଥର ରଣଜୀ ଫାଇନାଲ୍ ନେଇଥିବା ମୁକେଶ କୁମାର ଭାରତୀୟ ଟେଷ୍ଟ୍ ଦଳ ରାଡାରରେ ରହି ଆସିଥିଲେ। ୩୯ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ସେ ୧୪୯ ୱିକେଟ୍ ସଂଗ୍ରହ କରି ସାରିଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତ ଦୁଇଟି ଟେଷ୍ଟ୍‌ ଡୋମିନିକା (ଜୁଲାଇ ୧୨-୧୬) ଏବଂ ପୋର୍ଟ ଅଫ୍ ସ୍ପେନ୍ (ଜୁଲାଇ ୨୦-୨୪)ରେ ‌ଖେଳିବ।
ଭାରତୀୟ ଟେଷ୍ଟ୍ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ଋତୁରାଜ ଗାଏକ୍ବାଡ, ଯଶସ୍ବୀ ଜୟସ୍ବାଲ୍‌, କେଏସ୍ ଭରତ (ୱିକେଟ୍‌ରକ୍ଷକ), ଆର୍‌ ଅଶ୍ବିନ, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍‌, ଶାର୍ଦୁଳ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକଟ୍‌, ଈଶାନ କିଶନ (ୱିକେଟରକ୍ଷକ), ନଭଦୀପ ସୈନି।

ଦିନିକିଆ ଦଳରେ ସଂଜୁ, ଋତୁରାଜ, ମୁକେଶ
ୱେଷ୍ଟଇଣ୍ଡିଜ୍ ଗସ୍ତରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ଦିନିକିଆ ଶୃଙ୍ଖଳା ପାଇଁ ମଧ୍ୟ ଭାରତୀୟ ଦଳ ଘୋଷିତ ‌ହୋଇଛି। ଉପେକ୍ଷିତ ୱିକେଟରକ୍ଷକ ସଂଜୁ ସାମସନ୍ ଏହି ଦଳକୁ ପ୍ରତ୍ୟାବର୍ତନ କରିଥିବା ବେଳେ ଅନ୍ୟତମ ୱିକେଟରକ୍ଷକ ବ୍ୟାଟର୍‌ ଈଶାନ କିଶନ ମଧ୍ୟ ସାମିଲ ଅଛନ୍ତି। ଗତବର୍ଷ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ମାତ୍ର ଦିନିକିଆ ଖେଳିଥିବା ଋତୁରାଜ ଗାଏକ୍ବାଡଙ୍କ ସହ ମୁକେଶ କୁମାର ଏହି ଦଳରେ ସୁଯୋଗ ପାଇଛନ୍ତି। ରୋହିତ ଶର୍ମାଙ୍କ ଉପ ଅଧିନାୟକ ଭାବେ ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ନିଯୁକ୍ତ କରାଯାଇଛି। ମହମ୍ମଦ ସାମିଙ୍କୁ ଟେଷ୍ଟ୍ ଭଳି ଦିନିକିଆ ଦଳରୁ ମଧ୍ୟ ବିଶ୍ରାମ ଦିଆଯାଇଛି। ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ମଧ୍ୟକ୍ରମରେ ସ୍ଥାନ ବଜାୟ ରଖିଛନ୍ତି। ୱାସିଂଟନ୍ ସୁନ୍ଦର ବାଦ୍ ପଡ଼ିଥିବାବେଳେ ୟୁଝବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଦୁଇ ଆଗଧାଡ଼ିର ସ୍ପିନର୍ ସାମିଲ ଅଛନ୍ତି। ରବୀନ୍ଦ୍ର ଜାଦେଜା ଓ ଅକ୍ଷର ପଟେଲ୍‌ ସ୍ପିନ ବୋଲିଂ ଅଲରାଉଣ୍ଡର୍ ଭୂମିକାରେ ରହିବେ। ଭାରତ ଜୁଲାଇ ୨୭, ୨୯ (ଉଭୟ ବ୍ରିଜଟାଉନ୍) ଏବଂ ଅଗଷ୍ଟ ୧ (ତରୌବା)ରେ ତିନିଟି ଯାକ ଦିନିକିଆ ଖେଳିବ।

ଭାରତୀୟ ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ଋତୁରାଜ ଗାଏକ୍ବାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଂଜୁ ସାମସନ୍‌, ଈଶାନ କିଶନ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଶାର୍ଦୁଳ ଠାକୁର, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜୟଦେବ ଉନାଦକଟ୍‌, ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ, ମୁକେଶ କୁମାର।

ସମ୍ବନ୍ଧିତ ଖବର