ରୋଜ୍‌ବାଉଲ୍‌ରେ ରାଜ

ବୁମ୍‌ରା-ଚହଲ ରାମ୍ପିଲେ

ସାଉଥମ୍ପଟନ୍: ଦକ୍ଷିଣ ଆଫ୍ରିକା ବିପକ୍ଷ ବିଜୟରେ ଭାରତୀୟ ବୋଲରଙ୍କ ଦମ୍‌ଦାର ଅବଦାନ ରହିଥିଲା। ଦକ୍ଷିଣ ଆଫ୍ରିକା ପାଳିକୁ ବୁମ୍‌ରା-ଚହଲ ରାମ୍ପି ଦେଇଥିଲେ। ଟସ୍ ହାରି କ୍ଷେତ୍ରରକ୍ଷଣ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ଚତୁର୍ଥ ଓଭରରେ ହିଁ ପ୍ରଥମ ସଫଳତା ପାଇଥିଲା। ବିଶ୍ବକପ୍ ପଦାର୍ପଣ କରିଥିବା ଯଶପ୍ରୀତ ବୁମରା (୧୦-୧-୩୫-୨) ନିଜ ଦ୍ବିତୀୟ ଓଭରରେ ହିଁ ବିପଜ୍ଜନକ ହାସିମ ଆମଲା (୬) ଏବଂ ଷଷ୍ଠ ଓଭରରେ କ୍ବିଣ୍ଟନ୍ ଡି’ କକ୍ (୧୦)ଙ୍କୁ ଆଉଟ୍ କରି ଦେଇଥିଲେ। ତାଙ୍କ ଅଣପାରମ୍ପରିକ ବୋଲିଂ ଶୈଳୀରେ ଚକ୍‌ମା ଖାଇ ଦକ୍ଷିଣ ଆଫ୍ରିକା ମାତ୍ର ୨୪ ରନ୍‌ରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ଆରପଟୁ ଭୁବନେଶ୍ବର କୁମାର (୧୦-୦-୪୪-୨) ମଧ୍ୟ ନୂଆ ବଲ୍‌ରେ ଶୃଙ୍ଖଳିତ ବୋଲିଂ କରିଥିଲେ। ଯାହାର ଫାଇଦା କିଛି ସମୟ ପରେ ଅନ୍ୟତମ ପଦାର୍ପଣକାରୀ ୟୁଜବେନ୍ଦ୍ର ଚହଲ (୧୦-୦-୫୧-୪)ଙ୍କୁ ମିଳିଥିଲା। ଚହଲ ଏକ ଚମତ୍କାର ସ୍ପେଲ୍ ପକାଇ ଦକ୍ଷିଣ ଆଫ୍ରିକା ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ରସି ଭାନଡର ଦୁସେନ (୨୨) ତାଙ୍କ ପ୍ରଥମ ବିଶ୍ବକପ୍ ଶିକାର ହୋଇଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁ’ ପ୍ଲେସିସ୍ (୩୮) ଓ ବିସ୍ଫୋରକ ଡେଭିଡ୍ ମିଲର (୩୧)ଙ୍କୁ ମଧ୍ୟ ସେ ପ୍ୟାଭିଲିୟନ ଫେରାଇ ଦେଇଥି‌ଲେ। ଲେଗ୍ ଷ୍ଟମ୍ପରେ ଥିବା ବଲ୍‌କୁ ଭାନଡର ଦୁସେନ ସୁଇପ୍ କରିବାକୁ ଚେଷ୍ଟା କରୁଥିଲା ବେଳେ ଚହଲ ଚତୁରତାର ସହ ତାଙ୍କ ଖାଡ଼ି ଉଡ଼ାଇ ଦେଇଥିଲେ। ଚାରିଟି ବଲ୍ ପରେ ଡୁ’ପ୍ଲେସିସ୍ ତାଙ୍କ ସ୍ପିନ୍ ଜାଲରେ ଫଶି ଯାଇଥିଲେ। ସିଧା ବଲ୍‌କୁ ବୁଝି ନପାରିବା ଡୁପ୍ଲେସିସଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ବଲ୍ ବ୍ୟାଟ୍-ପ୍ୟାଡ୍ ଭିତରେ ଥିବା ଫାଙ୍କ ଦେଇ ଭିତରକୁ ଯିବା ସହ ଷ୍ଟମ୍ପ ଭାଙ୍ଗି ଦେଇଥିଲା।

India’s Jasprit Bumrah during the ICC Cricket World Cup group stage match at the Hampshire Bowl, Southampton. (Photo by Adam Davy/PA Images via Getty Images)

ଚହଲ ଗୋଟିଏ ଓଭରରେ ଦୁଇଟି ସଫଳତା ହାସଲ କରି ନେଇଥି‌ଲେ। ୮୦ ରନ୍‌ରେ ୪ ଜଣ ଖେଳାଳି ହରାଇ ଦକ୍ଷିଣ ଆଫ୍ରିକା ସଙ୍କଟରେ ପଡ଼ିଥିଲା। ୯ ରନ୍ ପରେ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ ତାଙ୍କ ପ୍ରଥମ କମାଲ ଦେଖାଇଥିଲେ। ଜେପି ଡୁମିନି (୩)ଙ୍କୁ ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ଷଷ୍ଠ ଝଟକା ଦେଇଥିଲେ। ସେହିଭଳି ମିଲର ପାଦ ଜମାଇ ଆସୁଥିଲା ବେଳେ ଚହଲ ତାଙ୍କୁ କଟ୍ ଆଣ୍ଡ ବୋଲ୍ଡ କରି ନେଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୨୦୦ ରନ୍ ତଳେ ଅଟକି ଯିବାର ଆଶଙ୍କା ଦେଖା ଦେଇଥିଲା। ଦୁଇ ଅଲରାଉଣ୍ଡର ଆନ୍ଦିଲ ଫେଲୁକ୍ବାଓ (୩୪ ରନ୍, ୬୧ ବଲ୍, ୨ ଚୌକା, ୧ ଛକା) ଓ କ୍ରିସ୍ ମୋରିସ୍ (୪୨ ରନ୍, ୩୪ ବଲ୍, ୧ ଚୌକା, ୨ ଛକା)ଙ୍କ ସହ ଦ୍ରୁତ ବୋଲର କାଗିସୋ ରବାଦା (୩୧* ରନ୍, ୩୫ ବଲ୍, ୨ ଚୌକା) ଦାୟିତ୍ବବାନ ବ୍ୟାଟିଂ କରି ନିଜ ଦଳର ସ୍କୋରକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଫେଲୁକ୍ବାଓ ଆଗକୁ ଆସି ଚହଲଙ୍କୁ ଛକା ମାରିବା ପ୍ରୟାସ କରୁଥିଲା ବେଳେ ଚହଲଙ୍କୁ ଚତୁର୍ଥ ୱିକେଟ୍ ଉପହାର ଦେଇଥିଲେ। ଭୁବନେଶ୍ବର ଶେଷ ଓଭରରେ କ୍ରିସ୍ ମୋରିସ୍ ଏବଂ ଇମ୍ରାନ ତାହିରଙ୍କୁ ଆଉଟ୍ କରି ୱିକେଟ୍ ଖାତା ଭରିଥିଲେ।

ସମ୍ବନ୍ଧିତ ଖବର