ଟି-୨୦ ବିଶ୍ବକପ୍ ସେମିଫାଇନାଲ୍ : ବର୍ଷା ଯୋଗୁଁ ଆଉଟଫିଲଡ୍ ଓଦା, ବିଳମ୍ବ ହେଲା ଟସ୍

ଗୁଏନା: ଗୁଏନାରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟି-୨୦ ବିଶ୍ବକପ୍ ସେମିଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ବିଳମ୍ବିତ ହେଉଛି । ସଂଧ୍ୟା ସାଢେ ୭ଟାରେ ହେବାକୁ ଥିବା ଟସ ବିଳମ୍ବିତ ହୋଇଛି ।

ବର୍ଷା ଏବେ ଛାଡ଼ିଯାଇଥିଲେ ବି ଆଉଟଫିଲ୍ଡ୍ ଓଦା ରହିଛି । ଏହା ସହିତ ପିଚ୍ ଉପରେ ଏବେ ବି କଭର ରହିଛି । ଟସ ବିଳମ୍ବିତ ହୋଇଛି ଓ ଅମ୍ପାୟାର ଉଭୟ ଦଳର ଅଧିନାୟକଙ୍କ ସହ ଆଲୋଚନା କରିଛନ୍ତି । ତେବେ ଆଶ୍ବସ୍ତିର କଥା ହେଉଛି ଯେ ବର୍ଷା ଛାଡ଼ିଯାଇଛି ଓ ଖୁବ ଶୀଘ୍ର ଗ୍ରାଉଣ୍ଡରକ୍ଷକମାନେ ପିଚ୍ ଉପରୁ ପାଲ ହଟାଇବାର ସମ୍ଭାବନା ରହିଛି । ପିଚ ଉପରୁ ପାଲ ହଟିବା ପରେ ଟସ ପଡ଼ିବାର ସମ୍ଭାବନା ରହିଛି । ସେପଟେ ଭାରତୀୟ ଦଳର କୋଚ୍ ରାହୁଲ ଦ୍ରାବିଡ୍ ପଡିଆକୁ ଓହ୍ଲାଇ ୪ର୍ଥ ଅମ୍ପାୟାର ପଲ୍ ରାଇଫେଲଙ୍କ ସହ ଆଲୋଚନା କରୁଛନ୍ତି ।

ଆଇସିସି ନିୟମ ଅନୁଯାୟୀ ବର୍ଷା କିମ୍ବା ମ୍ୟାଚ୍ ବାତିଲ ହେବା ଭାରତୀୟ ପ୍ରଶଂସକଙ୍କ ପାଇଁ ସେତେଟା ନିରାଶ ହେବାର କାରଣ ନାହିଁ । ମ୍ୟାଚ ରଦ୍ଦ ହେବା କ୍ଷେତ୍ରରେ ଭାରତ ଫାଇନାଲକୁ ଯିବ । କାରଣ ଆଇସିସିର ନିୟମ ଅନୁସାରେ ଟିମ ଇଣ୍ଡିଆ ସୁପର-୮ ପର୍ଯ୍ୟାୟରେ ଟେବୁଲ ଶୀର୍ଷରେ ଥିଲା ।

ସମ୍ବନ୍ଧିତ ଖବର